ଜୟପାଟଣା: କଳାହାଣ୍ଡି ଜିଲ୍ଲା ମହୁଲପାଟଣା ମୁଖିଗୁଡ଼ା ଘାଟି ରାସ୍ତାରେ ଗୁରୁବାର ଏକ ସଶସ୍ତ୍ର ଡକାୟତି ହୋଇଛି। ୪ ଜଣ ଗୋରୁ ବେପାରୀଙ୍କ ଠାରୁ ଡକାୟତମାନେ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ଜୟପାଟଣା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜୟପାଟଣାରେ ଗୁରୁବାର ସାପ୍ତାହିକ ଗୋରୁ ହାଟ ଥିଲା। ଏଥିପାଇଁ ସକାଳୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ କୁଚେଇପଦର ପଞ୍ଚାୟତ ଡି.କରୁଲ ଗ୍ରାମର ଗୋବିନ୍ଦ ନାଏକ, ଲବ ନାଏକ, ସୁନାରି ନାଏକ ଓ ଭରତ ନାଏକ ଏକ ବଲେରୋ (ଓଆର୍‌ ୧୮ବି ୮୮୨୬) ଯୋଗେ ଏହି ଗୋରୁ ବଜାରକୁ ଆସୁଥିଲେ। ମହୁଲପାଟଣା ଘାଟି ରାସ୍ତା ପାଖରେ ୮ଜଣରୁ ଅଧିକ ମୁଖା ପିନ୍ଧିଥିବା ଯୁବକ ରାସ୍ତା ଉପରେ ବାଇକ୍‌ ରଖି ବଲେରୋ ଗାଡ଼ିକୁ ଅଟକାଇଥିଲେ। ଏହି ବ୍ୟବସାୟୀମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଭୟଭୀତ କରି ଗାଡ଼ିର ଚାବି ନେଇଯାଇଥିଲେ। ଜଣଙ୍କୁ ଧାରୁଆ ଅସ୍ତ୍ର ଆଘାତ ମଧ୍ୟ କରିଥିଲେ। ପରେ ସେମାନଙ୍କ ପାଖରେ ଥିବା ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟିନେଇ ଫେରାର ହୋଇ ଯାଇଥିଲେ। ଏ ସଂକ୍ରାନ୍ତରେ ଧର୍ମଗଡ଼ ଏସଡିପିଓ ନାରାୟଣ ନାଏକଙ୍କୁ ପଚାରିବାରୁ ଡକାୟତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସ‌େ କହିଥିଲେ।