ଆଠଗଡ଼: ଘର ସମ୍ମୁଖରୁ ଦୁର୍ବୃତ୍ତମାନେ ଶନିବାର ଦିବାଲୋକରେ ୫ ଲକ୍ଷ ଟଙ୍କା ଝାମ୍ପିନେଇଥିବା କଟକ ଜିଲ୍ଲାର ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆଠଗଡ଼ ସହରର ଝରଣା ଛକ ନିବାସୀ ଯୁବ ଠିକାଦାର ବିଭୂ ଶ୍ରୀପଦ ଦାଶ ଆଜି ଅପରାହ୍ଣ ୧ଟା ୩୦ରେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ନିଜର ଡ୍ରାଇଭର ସହି ଘରକୁ ଫେରିଥିଲେ।

Advertisment

ଘରେ ପହଂଚିବା ପରେ ଡ୍ରାଇଭର ମୁଖ୍ୟ ଗେଟ୍‌ ଖୋଲୁଥିବା ବେଳେ ସେହି ସମୟରେ ଜଣେ ଦୁର୍ବୃତ୍ତ ହଠାତ୍‌ ପହଂଚି ବୋଲେରୋରୁ ଟଙ୍କା ବ୍ୟାଗ୍‌ ନେଇ ଯାଇଥିଲା। ବୋଲେରୋ ଠାରୁ ଅଳ୍ପ ଦୂରରେ ଜଣେ ବାଇକ୍‌ (ପଲସର୍‌) ଚାଳକ ପୂର୍ବରୁ ପ୍ରସ୍ତୁତ ଥିଲା। ଦୁର୍ବୃତ୍ତ ଟଙ୍କା ଝାମ୍ପିବା ପରେ ଉଭୟ ପଲସର୍‌ରେ ଘଟଣାସ୍ଥଳରୁ ଶଙ୍କରପୁରରୋଡ ଦେଇ ଫେରାର ହୋଇ ଯାଇଥିଲେ। ଟଙ୍କା ଲୁଟର ଶିକାର ହେବା ପରେ ବିଭୂ ଶ୍ରୀପଦ ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଛି।