ଜୟପୁର: ମିଥ୍ୟା ବିଲ କରି ୫ ଲକ୍ଷ ଟଙ୍କା ଆତ୍ମସାତ କରିବା ଜଣେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କୁ ମହାଙ୍ଗା ପଡିଛି। କୋରାପୁଟ ଜିଲା ଜୟପୁରସ୍ଥିତ ଭିଜିଲାନ୍ସ କୋର୍ଟ ଶନିବାର ଏକ ମାମଲାର ଶୁଣାଣି କରି ତତ୍କାଳିନ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରଙ୍କୁ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଜର୍ଜ ଶ୍ରୀକାନ୍ତ ମିଶ୍ର। ଏହି ମାମଲାର ବିଚାରଣା କରିବା ସହିତ ତାଙ୍କ ରାୟରେ ଅଭିଯୁକ୍ତ ନନ୍ଦପୁର ବ୍ଲକର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ସୁରେଶ ବେହେରା (୫୪)ଙ୍କୁ ଦୁର୍ନୀତି ନିବାରଣ ଏବଂ ଠକେଇ ମାମଲାରେ ସମୁଦାୟ ୪ଟି ଦଫା ଅନୁଯାୟୀ ଦୋଷୀ ସାବସ୍ତ୍ୟ କରିବା ସହିତ ୩ବର୍ଷ ୬ମାସ ଏବଂ ସଶ୍ରମ କରାଦଣ୍ଡ ଏବଂ ୫ଲକ୍ଷ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଟଙ୍କା ଅନାଦାୟ ସ୍ଥଳେ ଅଧିକ ୬ ମାସରେ ଦଣ୍ଡରେ ଦଣ୍ଡିତ କରିଛନ୍ତି।
୨ୟ ଅଭିଯୁକ୍ତ ଠିକାଦାର ନନ୍ଦପୁର ଥାନା ଥୁବା ଗ୍ରାମର ଶେଖ ଗଫୁର (୫୫)ଙ୍କୁ ଠକେଇ ମାମଲାରେ ଅଭିଯୁକ୍ତ କରାଯାଇ ୩ବର୍ଷ ୬ମାସ କାରାଦଣ୍ଡ ଏବଂ ୪ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜରିମାନା ଟଙ୍କା ଅନାଦେୟସ୍ଥଳେ ଅଧିକ ୬ମାସ ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ତତ୍କାଳୀନ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀନାରାୟଣ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ତାଙ୍କ ବିରୋଧରେ ମାମଲା ଖାରଜ କରାଯାଇଛି।
ମାମଲା ଅନୁଯାୟୀ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ଗ୍ରାମଠାରେ ଗତ ୨୦୧୧-୧୨ ମସିହାରେ ୫ ଲକ୍ଷ ଟଙ୍କା ଅଟକଳରେ ଏକ ରାସ୍ତା ଏବଂ ଡ୍ରେନ କାମ ନାମରେ ମିଥ୍ୟାବିଲ୍ ପ୍ରସ୍ତୁତ କରାଯାଇ ଉକ୍ତ ଟଙ୍କାକୁ ଯନ୍ତ୍ରୀ ଏବଂ ଠିକାଦାର ଆତ୍ମସାତ କରିଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଘଟଣା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ ୨୦୧୩ ମସିହା ଜୁନ ୩ ତାରିଖରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା (୨୮/୧୩) ରୁଜୁ କରାଯିବା ସହିତ ଭିଜିଲାନ୍ସ ଏସ.ପି ମାୟାଧର ସ୍ୱାଇଁଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ସ୍ୱତନ୍ତ୍ର କୋର୍ଟରେ ଚାର୍ଜଫ୍ରେମ ହୋଇଥିଲା।