ସୁନା ଅଳଙ୍କାର ବ୍ୟବସାୟର ଅମରାବତୀ ବ୍ରହ୍ମପୁର ବଡ଼ବଜାରରେ ଧନତେରସ୍‌ର ଦିନ ପ୍ରାୟ ୫୦କୋଟିର ବେପାର

ବ୍ରହ୍ମପୁର : ଗତକାଲି ଧନତେରସ୍‌ ପାଇଁ ସୁନା ଦୋକାନ ଗୁଡ଼ିକରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ସୁନା ଅଳଙ୍କାର ବ୍ୟବସାୟର ଅମରାବତୀ କୁହାଯାଉଥିବା ବ୍ରହ୍ମପୁର ବଡ଼ବଜାରର ସମସ୍ତ ସୁନା ଅଳଙ୍କାର ଦୋକାନରେ ଦିନତମାମ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଦିନ ତମାମ କ୍ରେତା ଓ ବି‌କ୍ରେତା କାହାକୁ ବି ଫୁରସତ୍‌ ନାହିଁ। ଲୋକେ ନିଜ ମନ ପସନ୍ଦରର ଗହଣା ବାଛି ନେଇଥିବା ବେଳେ ଆଜିର ଦିନରେ ଗ୍ରାହକ ଯେଭଳି ଖାଲି ହାତରେ ନଫେରେ ସେଥିପ୍ରତି ଦୋକାନୀମାନେ ବି ଉଦ୍ୟମ ଜାରି ରଖିଥିଲେ। ଗ୍ରାହକଙ୍କ ଚାହିଦା ଅନୁସାରେ ଦୋକାନୀମାନେ ବିଭିନ୍ନ ପ୍ରକାର ଅଳଙ୍କାର ଦେଖାଉଥିଲେ। ଧନତେରସ୍ ଅବସରରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ବ୍ରହ୍ମପୁର ବଡ଼ ବଜାରରେ। ଗୋଟିଏ ଦିନରେ ପ୍ରାୟ ୫୦କୋଟି ଟଙ୍କାର ସୁନା ଅଳଙ୍କାର ବେପାର ହୋଇଥିବା ଜଣାପଡ଼ିଛି।

ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପଡ଼ୁଥିବା ଧନ୍‌ତେରସ୍‌ ଉପରେ ଲୋକଙ୍କ ଗଭୀର ବିଶ୍ବାସ ରହିଛି। ଏହି ଦିନରେ ସୁନା ଗହଣା କିମ୍ବା ଅନ୍ୟ ଯେକୌଣସି ନୂଆ ସାମଗ୍ରୀ କ୍ରୟ କଲେ ଶୁଭଫଳ ମିଳିଥାଏ। ନୂଆ ସାମଗ୍ରୀ ଘରକୁ ଆସିଲେ ଧନ ଦେବୀ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ବାସ ରହିଛି। ପ୍ରତିଟି ପରିବାର ଏହି ଦିନକୁ ଅପେକ୍ଷା କରିଥାନ୍ତି। ବ୍ରହ୍ମପୁର ସହରରେ ରହିଛି ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ ଗହଣା ବଜାର। ଏଠାକୁ ସହର ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକେ ଗହଣା କିଣିବାକୁ ଆସିଥାନ୍ତି। ଧନ୍‌ତେରସ୍‌ ପାଇଁ ଗତକାଲି ୭୫୦ହଲ୍ ମାର୍କ ସୁନା ୧୦ଗ୍ରାମକୁ ପ୍ରାୟ ୪୩, ୫୦୦ଟଙ୍କା, ୯୧୬ ହଲ୍‌ ମାର୍କ ସୁନା ୪୭,୨୦୦ ଏବଂ ୯୯୯ହଲ୍‌ ମାର୍କ ସୁନା ୧୦ଗ୍ରାମକୁ ସର୍ବାଧିକ ମୂଲ୍ୟ ୫୩,୦୦ଟଙ୍କା ରହିଥିଲା। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କିଛି ଦୋକାନୀ ସ୍ବତନ୍ତ୍ର ଅଫର୍‌ ଘୋଷଣା କରିଛନ୍ତି। କିଛି ଦୋକାନୀ କମ୍‌ ୱେ‌େଷ୍ଟଜ୍‌ ରଖି ଗଢ଼ାମୂଲ୍ୟ ମାଗଣା କରିଥିବା ବେଳେ କିଛି ଦୋକାନୀ ନିର୍ଦ୍ଦିଷ୍ଟ ମୂଲ୍ୟର ସୁନା ଅଳଙ୍କାର କ୍ରୟ କଲେ ଉପହାର ସାଂଗକୁ ରୁପା କଏନ୍‌ ପ୍ରଦାନ କରିଥିଲେ। ବ୍ରହ୍ମପୁର ସହରରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଛୋଟବଡ଼ ସୁନା ଦୋକାନ ରହିଛି। ବିଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁଁ ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଚଳିତବର୍ଷ ଏହାର ଭରପୁର ଫାଇଦା ଉଠାଉଛନ୍ତି ବ୍ୟବସାୟୀ। ଦୁଇବର୍ଷ ଧରି ଧନତେରସ୍‌ରେ ସୁନା କିଣିବାରୁ ବଂଚିତ ରହିଥିବା ଲୋକମାନେ ଚଳିତବର୍ଷ ସୁନା କିଣିବାକୁ ଅଧିକ ପସନ୍ଦ କରୁଥିବା ବ୍ୟବସାୟୀମାନେ କହିଛନ୍ତି। ମୋଟାମୋଟି ଭାବେ ଧନ୍‌ତେରସ୍‌ରେ ସୁନା ବେପାରୀଙ୍କ ଆଶା ଅନୁସାରେ ବେପାର ହୋଇଥିବା ସୂଚନା ମିଳିଛି।

ସେଭଳି ଧନତେରସ୍ ପାଇଁ ସୁନା ବଜାର ସହ ଘରକରଣା ସାମଗ୍ରୀ ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଲୋକେ ଫ୍ରିଜ୍, କୁଲର୍, ଵାସି˚ ମେସିନ୍ ଆଦି ଘରୋଇ ଉପକରଣ କିଣି ଘରକୁ ଆଣୁଥିବା ଦେଖାଯାଇଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର କୁପନ୍ ଓ ଗିଫ୍ଟ ଯୋଜନା ସହ ଇଏମ୍ଆଇ ସ୍କିମ୍ ମଧ୍ୟ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯାଇଥିଲା। ସହରବାସୀ ନିଜର ପସନ୍ଦ ଓ ଚାହିଦା ଅନୁସାରେ ବିଭିନ୍ନ ନୂତନ ସାମଗ୍ରୀ କ୍ରୟ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର