ଘରୋଇ ବସ୍ କର୍ମଚାରୀଙ୍କୁ ୫୦ଲକ୍ଷ ଟଙ୍କାର ବୀମାଭୁକ୍ତ କରାଯାଉ, ଦାବି କଲା ଓଡ଼ିଶା ମୋଟର କର୍ମଚାରୀ ସଂଘ

ବାରିପଦା: କରୋନା ସମୟରେ ରାଜ୍ୟ ସରକାର ବିଭିନ୍ନ ବର୍ଗଙ୍କ ପାଇଁ ବିଚାର କରିଛନ୍ତି। ମାତ୍ର ଘରୋଇ ବସ୍ କର୍ମଚାରୀଙ୍କ ପାଇଁ ଆଦୌ କିଛି କରିନାହାନ୍ତି। ଏବେ ବସ୍ ଚଳାଚଳ ଆରମ୍ଭ ହୋଇଥିବାବେଳେ ନିଜ ଜୀବନକୁ ବିପନ୍ନ କରି ବସ୍ କର୍ମଚାରୀମାନେ ସମାଜ କାମରେ ଲାଗିବେ। ଏମାନଙ୍କ ଜୀବନପ୍ରତି ମଧ୍ୟ କରୋନା ଭୟ ରହିଛି। ସେହିପରି ଲକଡାଉନ କାରଣରୁ କାମ ହରାଇଥିବାରୁ ସେମାନେ ବେଶ୍ ଆର୍ଥିକ ଦୁର୍ଗତି ଦେଇ ଗତିକରୁଛନ୍ତି। ତେଣୁ ଏହି କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଓଡ଼ିଶା ମୋଟର କର୍ମଚାରୀ ସଂଘ ଦାବି କରିଛି।

ବସ ମାଲିକମାନଙ୍କର ଦାବିକୁ ରାଜ୍ୟ ସରକାର ମାନିନେବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବାରିପଦା ମୋଟର କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି। ସେହିଅନୁସାରେ ମଧ୍ୟ ବସ୍ କର୍ମଚାରୀଙ୍କ ପାଇଁ ମଧ୍ୟ ଦୃଷ୍ଟି ଦିଆଯିବା ଆବଶ୍ୟକ। ବସ୍ କର୍ମଚାରୀମାନଙ୍କୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାଭୁକ୍ତ କରିବା, କର୍ମଚାରୀଙ୍କ ପରିବାରକୁ ୩ମାସର ଖାଦ୍ୟ ସାମଗ୍ରୀ ଯୋଗାଇଦେବା, ସମସ୍ତ କର୍ମଚାରୀଙ୍କୁ ତିନି ମାସର ଦରମା ପ୍ରଦାନ କରିବା, କରୋନା ସମୟରେ ବସ୍ରେ କାମ କରିବା ସମୟରେ କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ୧କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ, ସମସ୍ତ ବସ୍ଷ୍ଟାଣ୍ଡ୍, ଯାତ୍ରୀ ପ୍ରତୀକ୍ଷାଳୟକୁ ବିଶୋଧନ କରିବା ସହିତ ବସ୍ କର୍ମଚାରୀଙ୍କୁ ସୁରକ୍ଷା କିଟ୍ ପ୍ରଦାନ, ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଭଳି ୫ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସଂଘର ସଭାପତି ରଘୁନାଥ ପଣ୍ଡାଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ରବି ଗୋସ୍ବାମୀ, ସାଧାରଣ ସମ୍ପାଦକ ମନୋରଂଜନ ପରିଡ଼ା, ଅଶୋକ ବେହେରା, ଅକ୍ଷୟ ଖୁଣ୍ଟିଆ, ଅଶୋକ ଭଂଜଦେଓ, ଗଙ୍ଗାଧର ସାମଲ, ଜୟନାରାୟଣ ଷଡ଼ଙ୍ଗୀ, ଦାଶରଥି ରାଉତ, ଜୀବନ କୁମାର ମହାକୁଡ଼, ସୁବାଷ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର