ବାଲେଶ୍ୱର: ବ୍ୟାଙ୍କ କର୍ମଚାରୀଙ୍କୁ ହାଣି ଝାମ୍ପିନେଲେ ୫୦ ହଜାର ଟଙ୍କା!

ବାଲେଶ୍ୱର: ଚାନ୍ଦିପୁର ଥାନା ଅଧିନ ସାହାଦା ହାଇସ୍କୁଲ ନିକଟରୁ ବନ୍ଧନ ବ୍ୟାଙ୍କର ଦୁଇ କର୍ମଚାରୀଙ୍କୁ ଭୁଜଲିରେ ହାଣି ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଆଜି ଦିନ ୧୧ଟା ସମୟରେ ବନ୍ଧନ ବ୍ୟାଙ୍କର ବାଲେଶ୍ୱର ଶାଖାର କର୍ମଚାରୀ କ୍ଷୀରୋଦ କାମିଳା(୨୮) ଏବଂ ତାଙ୍କ ସହଯୋଗୀଙ୍କ ସହ ଏକ ଗ୍ଲାମର ବାଇକ (ଓଡି-୨୨ବି-୫୪୪୦)ରେ ସଇପୁର ଗାଁର ଏସଏଚଜି ଗ୍ରୁପ ମହିଳାଙ୍କ ଠାରୁ ୫୦ ହଜାର ଟଙ୍କା ଋଣ ଟଙ୍କା ଆଦାୟ କରି ବାଲେଶ୍ୱର ଫେରୁଥିବା ବେଳେ ଦୁଇଟି ବୁଲେଟ ବାଇକରେ ୬ଜଣ ଦୁର୍ବୃତ୍ତ ଆସି ସାହାଦା ହାଇସ୍କୁଲ ନିକଟରେ ସେମାନଙ୍କୁ ଆଡ଼ା ପକାଇ ଅତର୍କିତ ଭାବେ ଭୁଜାଲିରେ ଆକ୍ରମଣ କରିଥିଲେ। କ୍ଷୀରୋଦଙ୍କୁ ଆକ୍ରମଣ ଦେଖି ତାଙ୍କ ସହଯୋଗୀ ଜଣକ ସେଠାରୁ ଦୌଡ଼ି ପଳାଇଥିଲେ। ଏହାପରେ ଦୁର୍ବୁତ୍ତମାନେ ତାଙ୍କ ବାଇକ ଡିକି ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ କ୍ଷୀରୋଦଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିବା ବେଳେ ସେପଟେ ଖବର ପାଇ ଚାନ୍ଦିପୁର ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର