୫୦ ହଜାର ତଣ୍ଡ ଗଣିଲେ ମଦ ଦୋକାନୀ, ମଦ ବେପାରୀକୁ ବାନ୍ଧିଲେ ମହିଳା

କେନ୍ଦୁଝର: କେନ୍ଦୁଝର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରାଯାଇଛି। କିଛି ବ୍ୟାବସାୟିକ ପ୍ରତିଷ୍ଠାନ କଟକଣା ମାନୁ ନଥିବାରୁ ‌ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଗତକାଲି କେନ୍ଦୁଝର ସହରସ୍ଥିତ ମାଇନିଂରୋଡ୍‌ରେ ଥିବା ସାଇଦେବ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ବେଳେ ଆଜି ଗାନ୍ଧିଛକରେ ଥିବା ଏକ ମଦ ଦେକାନ ଉପରେ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ସନ୍ଧ୍ୟାରେ କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଗାନ୍ଧୀଛକଠାରେ ଥିବା ବେରୀ ଆଣ୍ଡ ସେରୀ ଅଫ୍‌ ସପ୍‌ ମଦ ଦୋକାନ ଉପରେ ୫୦ହଜାର ଟଙ୍କା ଜରିମାନା କରିଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ଲୋକେ ସାମାଜିକ ଦୂରତା ନ ରଖି ମଦ କିଣୁଥିଲେ। ପୌରପାଳିକା ପକ୍ଷରୁ ଚଢ଼ଉ କରାଯାଇ ଦୋକାନ ଉପରେ ଜରିମାନା କରାଯାଇଛି। ଚଢ଼ଉରେ କେନ୍ଦୁଝର ଟାଉନ ଥାନା ପୁଲିସ, ଟିକସ ନିରୀକ୍ଷକ ଦୀପକ କୁମାର ବେହେରା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ‌ଥିଲେ।

ହାଟଡିହି: ହାଟଡିହି ବ୍ଲକ୍‌ ଓରାଳି ଗ୍ରାମରେ ଚୋରା ମଦ ବେପାରକୁ ନେଇ ଅଶାନ୍ତି ସୃଷ୍ଟି ହୋଇଛି। କିଛିବର୍ଷ ତଳେ ଗ୍ରାମବାସୀ ଏକାଠି ହୋଇ ଗାଁରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିଥିଲେ। ଫଳରେ ଗାଁରେ ଅସାମାଜିକ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। କିଛିମାସ ହେବ ପୁଣି ମଦ ବିକ୍ରି ହେଉଥିବାରୁ ଗାଁରେ ଅଶାନ୍ତି ସୃଷ୍ଟି ହେଉଛି। ବେପାରୀମାନେ ଗାଁରେ ମହୁଲିମଦ ବିକ୍ରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଜି ସକାଳୁ ସକାଳୁ ମହିଳାମାନେ ଦୁଇଜଣ ମଦ ବେପାରୀକୁ ଧରି ବାନ୍ଧି ଦେଇଥିଲେ। ପରେ ଗାଁରେ ବୈଠକ ବସିଥିଲା। ଆଉ ମଦ ବିକ୍ରି ନ କରିବାକୁ ଉଭୟ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ସେମାନଙ୍କୁ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର