ଘୁ.ଉଦୟଗିରି ବସଷ୍ଟାଣ୍ଡ ପାଇଁ ୨୦ ବର୍ଷରେ ୬୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଖର୍ଚ୍ଚ, ରାସ୍ତା କଡ଼ରେ ରହୁଛି ଯାତ୍ରୀବାହୀ ବସ

ଖତ ଖାଉଛି ଦୋକାନ ଗୃହ, ସରକାରୀ ଯୋଜନା ଉପରେ ଉଠିଲା ପ୍ରଶ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବସଷ୍ଟାଣ୍ଡକୁ ଦେଖିଲା ବେଳେ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ କାମ ନିମନ୍ତେ ଖର୍ଚ୍ଚ ହୋଇଛି ୬୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା। ହେଲେ ଲୋକଙ୍କ କାମରେ ଲାଗିପରୁ ନାହିଁ। ବସଷ୍ଟାଣ୍ଡ ନିର୍ମାଣକୁ ୨୦ ବର୍ଷ ବିତିଗଲାଣି।

୨୦୦୦ ମସିହାରେ ପ୍ରଥମେ ଏନଏସି ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ବସଷ୍ଟାଣ୍ଡ ସ୍ଥାପନ ନିମନ୍ତେ ଜମି ଚିହ୍ନଟ ହୋଇଥିଲା। ସ୍ଥାନୀୟ ୪ନଂ ୱାର୍ଡସ୍ଥିତ ଶ୍ରୀରାମପଦା ଠାରେ ଏଭଳି ନିଷ୍ପତିକୁ ସେତେବେଳେ ସାଧାରଣରେ ବିରୋଧ କରାଯାଇଥିଲା। ବିରୋଧର କାରଣ ମଧ୍ୟ ସ୍ଥାନୀୟ ବସ ମାଲିକ ସଂଘ, କର୍ମଚାରୀ ସଂଘ ଉପସ୍ଥାପନ କରିଥିଲେ। କାରଣ ଯେଉଁ ସ୍ଥାନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଚିହ୍ନଟ ହୋଇଥିଲା ସେଇ ରାସ୍ତାଟି ସଙ୍କୁଚିତ ଥିବା ସହ ଏକ କୋଣରେ ରହିଥିଲା । ସାଧାରଣ ଲୋକଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିଲା। ସାଧାରଣ ଯାତ୍ରୀ ମଧ୍ୟ ସେଇ ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣକୁ ନାପସନ୍ଦ କରୁଥିଲେ। ତଥାପି ସାଧାରଣ ଜନତାଙ୍କ ମତାମତ ଏବଂ ବିରୋଧକୁ ଖାତିର ନକରି ଏନଏସି ଏବଂ ପ୍ରଶାସନ ମିଳିତ ଭାବେ ତରବରିଆ ଭାବେ ବସଷ୍ଟାଣ୍ଡ କାମ ଆରମ୍ଭ କରିଦେଲେ।

ପ୍ରଥମେ ଗୋଟିଏ ଯାତ୍ରୀ ବିଶ୍ରାମ ଗୃହ କିଛି ରାସ୍ତା, ବିଦ୍ୟୁତ, ଆଲୋକ, ପାନୀୟ ଜଳ ବ୍ୟବସ୍ଥା କରିଦେଇ ପୁଲିସ ଲଗେଇ ବସଷ୍ଟାଣ୍ଡକୁ ଗାଡି ନିଆଗଲା। ଏକ ମାସ କିଛି ଗାଡି ଯାତାୟତ କରିବା ପରେ ପୁଣି ସହରର ରାସ୍ତା କଡରେ ରହି ବସଷ୍ଟାଣ୍ଡ ଯିବା ବନ୍ଦ କରିଦେଲେ। ପର୍ଯ୍ୟାୟ କ୍ରମେ ବସଷ୍ଟାଣ୍ଡ ଟି ଗୋଚର ଜମି ପାଲଟି ଗଲା। ଆଲୋକ ଓ ପାଣି ବ୍ୟବସ୍ଥା ଉଭେଇଗଲା। ଯାତ୍ରୀ ବିଶ୍ରାମ ଗୃହ ମାଟିରେ ମିଶିଗଲା। ପୁଣି ୨୦୦୯ ମସିହାରେ ବସଷ୍ଟାଣ୍ଡ ପୁନରୁଦ୍ଧାର କରିବା ଚିନ୍ତା କରି ପାଚେରୀ, ରାସ୍ତା, ଯାତ୍ରୀ ବିଶ୍ରାମଗୃହ, ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇ ସରିଲା। ହେଲେ ବସ ଷ୍ଟାଣ୍ଡକୁ ବସ ଆଜି ପର୍ଯ୍ୟନ୍ତ ଆଉ ଯାଉ ନାହିଁ। ସହରର ମୁଖ୍ୟ ସଡକ କଡ଼ରେ ଅଟକି ରହୁଛି।

ମୁଖ୍ୟ ସଡ଼କ କଡ଼ରେ ଯାତ୍ରୀ ଉଠିବା ଏବଂ ଚଢ଼ିବା କାର୍ଯ୍ୟ ଚାଲୁଛି। ଯାହା ଦ୍ୱାରା ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପଟେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ବସଷ୍ଟାଣ୍ଡଟି ଯଦି କାହାର କାର୍ଯ୍ୟରେ ଲାଗିପାରୁନି ତାହାହେଲେ ପ୍ରଶାସନ ଏବଂ ଏନଏସି କତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ।

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅନୁଦାନରେ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇଛି । ଲୋକଙ୍କ ମଙ୍ଗଳ ପାଇଁ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ପର୍ଯ୍ୟାପ୍ତ ଅନୁଦାନ ଦେଲେ। ଖର୍ଚ୍ଚ ବି ହେଲା ହେଲେ ବସଷ୍ଟାଣ୍ଡ କାର୍ଯ୍ୟକାରୀ ହୋଇପାରୁନାହିଁ। ଦୀର୍ଘ ବର୍ଷ ହେଲା ଦୋକାନ ଗୃହଗୁଡଡ଼ିକ ଭଡ଼ାରେ ନ ଲାଗି ଖତ ଖାଉଛି। ଲକ୍ଷାଧିକ ଟଙ୍କା ଭଡା ବାବଦରେ କ୍ଷତି ହେଲାଣି। ନିର୍ମାଣ ହୋଇଥିବା ଯାତ୍ରୀ ବିଶ୍ରାମ ଗୃହ, ଶୌଚାଳୟ ଗାଈ ଗୁହାଳ ପାଲଟିଛି।

ସାଧାରଣରେ ଏହି ବସଷ୍ଟାଣ୍ଡକୁ ନେଇ ଆଲୋଚନା ହେଉଛି। କିଏ କହୁଛି ବେଳା ଲଗ୍ନ ଫିଟିନି, କିଏ କହୁଛି ପ୍ରଶାସନର ଅପାରଗତା, କିଏ କହୁଛି ସରକାର କା ମାଲ ଦରିଆ ମେ ଡାଲ ଭଳି ଚାଲିଛି ଶାସନ। ଆଉ କେତେ ବର୍ଷ ବିତିଲେ ବସଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ହେବ ସାଧାରଣରେ ପ୍ରଶ୍ନ ଉଠୁଛି। ସରକାରୀ ଯୋଜନା ଏବଂ ତାର କାର୍ଯ୍ୟକାରିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯୋଜନା ବିହୀନ ଏବଂ ସାଧାରଣ ଜନତାଙ୍କ ମତକୁ ଅବଦେଖା କରି ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିବା ଯୋଗୁଁ ଆଜି ପ୍ରଶାସନ ଏବଂ ଏନଏସି କର୍ତ୍ତୃପକ୍ଷ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାରେ ବିଫଳତାର ସ୍ୱାଦ ଚାଖି ଚାଖି କୋଡିଏ ବର୍ଷ ବିତିଗଲାଣି।

ସମ୍ବନ୍ଧିତ ଖବର