ବାଇକ୍‌ ଡିକି ଭାଙ୍ଗି ୨ଲକ୍ଷ ୬୦ ହଜାର ଟଙ୍କା ଲୁଟ୍‌

କବାଟବନ୍ଧ: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତର ବାଲିସାହି ଛକରୁ ଆଜି ବାଇକ୍‌ ଡିକି ଭାଙ୍ଗି ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଅଞ୍ଜିରା ପଞ୍ଚାୟତର ଭତ୍ତା ଓ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବାବଦ‌କୁ ଏହି ଟଙ୍କା ଉଠିଥିଲା। ଅଞ୍ଜିରା ସରପଞ୍ଚଙ୍କ ସ୍ବାମୀ ବିଦ୍ୟାଧର ସେଠୀ ଆଜି ପୂର୍ବାହ୍ନ ୧୦ ଟାରେ ଅଞ୍ଜିରା ଇଣ୍ଡିଆନ ବ୍ୟାଙ୍କ ଶାଖାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଉଠାଇଥିଲେ। ଏଥିରୁ ଭତ୍ତା ଟଙ୍କା ବାବାଦରେ ୨ ଲକ୍ଷ ୧୦ ହଜାର ଓ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଜଗୁଆଳି/ସଫେଇ କର୍ମଚାରୀଙ୍କ ବାବଦରେ ୬୦ ହଜାର ଟଙ୍କା ଥିଲା। ସେଥିରୁ ସେ ନିଜ ପାଖରେ ୧୦ ହଜାର ରଖି ୨ଲକ୍ଷ ୬୦ ହଜାର ଟଙ୍କା ତାଙ୍କ ବାଇକ (ଓଆର ୦୪ଇ ୩୫୧୨) ଡିକିରେ ରଖିଥିଲେ। ପରେ ବାଲିସାହି ମେଡିକାଲ ନିକଟରୁ ସେ କିଛି ମେଡିସିନ କିଣୁଥିଲେ। ଏହି ସମୟରେ ଏକ କଳାରଙ୍ଗର ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ବାଇକ୍‌ ଡିକି ଭାଙ୍ଗି ୨ଲକ୍ଷ ୬୦ ହଜାର ଟଙ୍କା ଧରି ଚଣ୍ତିଖୋଲ ଆଡ଼କୁ ଦ୍ରୁତଗତିରେ ପଳାଇଥିଲେ।

ଏ ସଂପର୍କରେ ଅଞ୍ଜିରା ପଞ୍ଚାୟତର ସରପଞ୍ଚ ଜ୍ୟୋତିର୍ମୟୀ ସେଠୀ ଓ ପିଇଓ ରାମଚନ୍ଦ୍ର ରଣା ଆଜି ଅପରାହ୍‌ଣରେ ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତିକରି ଜେନାପୁର ପୁଲିସ ୧୫୪/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ନେଇ ଆଇଆଇସି ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି। ଲୁଟେରାଙ୍କ ସଂପର୍କରେ କୌଣସି ସନ୍ଧାନ ମିଳି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର