‘ସମ୍ବାଦ ପ୍ରଭାବ’: ଯାତ୍ରୀଙ୍କୁ ଭଡ଼ା ଶୋଷଣ, ୬ ବସ୍‌କୁ ୭୦ ହଜାର ଜରିମାନା

ରାଜ୍ୟରାଣୀ ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ସୁନ୍ଦରଗଡ଼: ବସଯାତ୍ରୀଙ୍କ ଠାରୁ ସରକାରଙ୍କ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କମିଶନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁନ୍ଦରଗଡ଼ରେ ଏହି ଆଦେଶକୁ ବସ ମାଲିକମାନେ ମାନୁ ନଥିବା ଓ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଆଦାୟ କରି ଯାତ୍ରୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ବିଶେଷ କରି ଝାରସୁଗୁଡ଼ାରୁ ସୁନ୍ଦରଗଡ଼ ଆସୁଥିବା ବସ୍ ଗୁଡ଼ିକରେ ଏ ପ୍ରକାର ଅଧିକ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା।

ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗର ମଟରଯାନ ନିରୀକ୍ଷକ ରାମଦାସ ଟୁଡୁ ଆଜି ଅପରାହ୍ନରେ ବିଜୁ ଏକ୍ସପ୍ରେସ ୱେ ପତ୍ରାପାଲି ଛକରେ ଅଚାନକ ବସଗୁଡ଼ିକୁ ଅଟକାଇ ଯାଞ୍ଚ କରି ଖିଲାପି ୬ଟି ବସ୍‌କୁ ୭୦ ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ରାଜ୍ୟରାଣୀ ନାମକ ଏକ ବସର ସୁନ୍ଦରଗଡ଼ ପର୍ଯ୍ୟନ୍ତ ପରିମିଟ୍ ଥାଇ ମଧ୍ୟ ସେ ଯାତ୍ରୀମାନଙ୍କ ଠାରୁ ବେଆଇନ ଭାବେ ରାଉରକେଲା ଯାଏ ଅଧିକ ଭଡ଼ା ଆଦାୟ କରିଥିବା ଯାଞ୍ଚ ବେଳେ ଜଣାପଡ଼ିବାରୁ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିରୀକ୍ଷକ ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି।

ବସକୁ ୨୦ ହଜାର ଜରିମାନା କରାଯାଇଥିବା ବେଳେ ପରମିଟ ରଦ୍ଦ ପାଇଁ କମିଶନଙ୍କୁ ରିପୋର୍ଟ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସାଧାରଣ ବସ ଭଡ଼ା କିଲୋମିଟର ପ୍ରତି ୭୨ ପଇସା, ଏକ୍ସପ୍ରେସ କିଲୋମିଟର ପ୍ରତି ୭୫ ପଇସା, ଡିଲକ୍ସ କିଲୋମିଟର ପ୍ରତି ୧୦୫ ପଇସା ଓ ଏସି ଡିଲକ୍ସ ୧୨୭ ପଇସା ଥିବା ବେଳେ ବସ୍ଗୁଡ଼ିକ ଏହା ଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ରହିଥିଲା। ଝାରସୁଗୁଡ଼ାରୁ ସୁନ୍ଦରଗଡ଼ ୩୫ କିଲୋମିଟର ହୋଇଥିବା ବେଳେ ସାଧାରଣ ବସ ତାର ଭଡ଼ା ରହିଛି ୨୫ ଟଙ୍କା ୨୦ ପଇସା। କିନ୍ତୁ ଏ ବସଗୁଡ଼ିକୁ ନେଉଛନ୍ତି ୪୦ ଟଙ୍କା।

ଏହା ଛଡ଼ା ଝାରସୁଗୁଡ଼ାରୁ ସୁନ୍ଦରଗଡ଼ ଆସୁଥିବା ବସଗୁଡ଼ିକର ଚଳାଚଳ ଅନୁମତି (ପରମିଟ) ସୁନ୍ଦରଗଡ଼ ପର୍ଯ୍ୟନ୍ତ ରହିଛି। କିନ୍ତୁ ରାଉରକେଲା ଯିବାକୁ ଉଠିଥିବା ଯାତ୍ରୀମାନଙ୍କୁ ସିଧା ୧୪୦ରୁ ୧୫୦ ଟଙ୍କାର ଟିକଟ ଧରାଇ ଦେଉଛନ୍ତି। ସୁନ୍ଦରଗଡ଼ ପହଞ୍ଚିବା ପରେ ସେମାନଙ୍କୁ ଓହ୍ଲାଇ ଦେଇ ସୁନ୍ଦରଗଡ଼ରୁ ରାଉରକେଲା ଯାଉଥିବା ବସ୍ରେ ବସାଇ ଦେଉଛନ୍ତି। ଯାହା ପରିବହନ ଆଇନ ବିରୁଦ୍ଧ ବୋଲି ପ୍ରକାଶ ପାଇଥିଲା। ତାଛଡ଼ା ଝାରସୁଗୁଡ଼ାରୁ ରାଉରକେଲା ୧୪୨ କିଲୋମିଟର ହୋଇଥିବା ବେଳେ ପ୍ରକୃତ ଭଡ଼ା ରହିଛି ୧୦୩ ଟଙ୍କା। କିନ୍ତୁ ସେ ବସ୍ଗୁଡ଼ିକ ଯାତ୍ରୀଙ୍କ ଠାରୁ ୧୪୦ରୁ ୧୫୦ ଟଙ୍କା ଯାଏ ଭଡ଼ା ଆଦାୟ କରି ନେଉଥିବା ଅଭିଯୋଗ ହୋଇଥିଲା।

କେବଳ ସେତିକି ନୁହେଁ, କୌଣସି ବସ୍ ପରିବହନ ନିୟମ ଅନୁସାରେ ବସର ନାମ ଓ ନମ୍ବର ଉଲ୍ଲେଖ ଥିବା ଟିକଟ ବଦଳରେ ଯାତ୍ରୀମାନଙ୍କୁ ସାଦା କାଗଜର ଟିକଟ ଦେଉଛନ୍ତି। ଯାତ୍ରୀ କେଉଁ ବସରେ ଆସିଲେ, କେଉଁ ବସ୍ ଅଧିକ ଭଡ଼ା ନେଲେ ତାର ପ୍ରମାଣ ନରଖିବାକୁ ବସଗୁଡ଼ିକ ଏ ପ୍ରକାର ଟିକଟ ଦେଉଥିବା ପ୍ରକାଶ ପାଇବା ପରେ ପରିବହନ ବିଭାଗ ଚଢ଼ଉ କରିଥିଲେ। ଆଗକୁ ଚଢ଼ଉ ଜାରି ରହିବ ଓ ଏପରି ଖିଲାପି ବସ୍ଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିରୀକ୍ଷକ ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର