ବାଲେଶ୍ୱର: କୋଲକାତାର ଏକ ଗୋରୁ ବଜାରରୁ ଗୋରୁ ବିକ୍ରିକରି ଘରକୁ ଫେରୁଥିବା ବେଳେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଗୁରୁବାର ଅପରାହ୍ଣରେ ୮ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ କରିଛନ୍ତି। ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ଥାନା ଅଧୀନ ଚାଲନ୍ତି ଛକ ନିକଟରେ ଏହି ଘଟଣା ଘଟିଛି। ଲୁଟ୍ ପୂର୍ବରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ଥିଲେ। ପଶ୍ଚିମବଙ୍ଗରୁ ଭଦ୍ରକ ଅଭିମୁଖେ ଏକ ସ୍କୋର୍ପିଓ ଗାଡ଼ିରେ ଫେରୁଥିବା ଭଦ୍ରକ ଓ ଯାଜପୁର ଅଞ୍ଚଳର କିଛି ଗୋରୁ ବେପାରୀ ଏହି ଲୁଟ୍ର ଶିକାର ହୋଇଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଗୁଜିଦରଡ଼ା ଅଞ୍ଚଳର ସେକ୍ ଅଲ୍ଲିମୁଦିନ୍, ଯାଜପୁରର ଚଣ୍ଡିଖୋଲ ଓ କଟକର ଚେଦ୍ଵାର ଥାନା ଅଞ୍ଚଳରୁ ୪ ଜଣ ଗୋରୁ ବେପାରୀଙ୍କ ସହ କୋଲକାତାର ଉଲବେରିଆ ମାର୍କେଟରେ ଗୋରୁଗାଈ ବିକ୍ରି କରି ଓଡି-୦୪କେ-୧୩୧୯ ନମ୍ବରର ଏକ ସ୍କୋର୍ପିଓରେ ଘରକୁ ଫେରୁଥିଲେ। ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ଚାଲନ୍ତି ନିକଟରେ ଅନ୍ୟ ଏକ ସ୍କୋର୍ପିଓରେ ଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ସେଠାରେ ଅଟକାଇଲେ। ଏହାପରେ ଦୁର୍ବୃତ୍ତମାନେ ଗାଡ଼ିରୁ ଓହ୍ଲାଇ ବିଭିନ୍ନ ମାରଣାସ୍ତ୍ର ସହ ବନ୍ଧୁକ ଦେଖାଇ ଅଲ୍ଲିମୁଦିନଙ୍କ ଠାରେ ୮ ଲକ୍ଷ ୫୦ ହଜାର ଟଙ୍କା ଭର୍ତ୍ତି ହୋଇଥିବା ଏକ ବ୍ୟାଗ୍ ଓ ବାକି ଖୁଚୁରା ଟଙ୍କା ଛଡ଼ାଇ ନେଇଥିଲେ। ଯିବାବେଳେ ଗୋରୁବେପାରୀ ବସିଥିବା ସ୍କୋର୍ପିଓ ଉପରକୁ ଏକ ରାଉଣ୍ଡ ଗୁଳି ଚାଳନା କରିଥିଲେ।
ଏହା ପରେ ଦୁର୍ବୃତ୍ତମାନେ ପଶ୍ଚିମବଙ୍ଗ ଅଭିମୁଖେ ଛୁ ହୋଇଯାଇଥିଲେ। ଖବର ପାଇବା ମାତ୍ରକେ ଡିଏସ୍ପି (କ୍ରାଇମ୍) ମନୋଜ କୁମାର ରାଉତ ଓ ଜଳେଶ୍ୱର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁଳି ଫୁଟିଥିବା ସ୍ଥାନରୁ ଏକ ଖୋକା ଜବତ କରିଛନ୍ତି। ତେବେ ଖବର ପ୍ରସ୍ତୁତ ବେଳକୁ ଏନେଇ ଥାନାରେ ସମ୍ପୃକ୍ତ ଗୋରୁବେପାରୀ ଅଭିଯୋଗ କରି ନଥିବା ଜଣାପଡ଼ିଛି।