ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୮୭ ହଜାର ଟଙ୍କା

ବାଲିଅନ୍ତା: ସ୍ଥାନୀୟ ଚିଙ୍ଗୁଡ଼ିଆ-ଭିଙ୍ଗାରପୁର ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଚିଙ୍ଗୁଡ଼ିଆ-ଭିଙ୍ଗାରପୁର ଶାସନ ଗ୍ରାମ ମଧ୍ୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କଠାରୁ ୮୭ ହଜାର ଭର୍ତ୍ତି ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି। ଏସଂପର୍କରେ ଲୁଟର ଶିକାର ହୋଇଥିବା ସଂପୃକ୍ତ ଫାଇନାନ୍ସ କର୍ମଚାରୀ ଜଣଙ୍କ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ଏଏସଆଇ ଅରୁଣ କୁମାର ମଲ୍ଲିକ ଗୋତଳ ବିନ୍ଧା ଛକରେ ଲାଗି ଥିବା ଜଣେ ଠିକାଦାରଙ୍କ ଅଫିସ କାର୍ଯ୍ୟାଳୟର ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଛନ୍ତି। ସିସି କ୍ୟାମେରା ଫୁଟେଜ ଆଧା‌ରରେ ପୁଲିସ ବାଇକ ଆରୋହୀ ଲୁଟେରା ଦ୍ବୟଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚଳାଇଛି।

ହେଲେ ରିପୋର୍ଟ ଲେଖାହେବା ବେଳକୁ ପୁଲିସ ଲୁଟେରାଙ୍କ ସୁରାକ ପାଇପାରି ନାହିଁ । ପ୍ରାପ୍ତ ସୂଚନା ମୁତାବକ ବାଳକାଟି ସ୍ଥିତ ଭାରତ ନାମକ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ବେଣୁପୁର ପଞ୍ଚାୟତ ଅଞ୍ଚଳରୁ ମହିଳାମଣ୍ଡଳଙ୍କ ଠାରୁ ଋଣଟଙ୍କା ସଂଗ୍ରହ କରି ଆସୁଥିବା ବେଳେ ଅନ୍ୟ ଜଣକ ଭିଙ୍ଗାରପୁର ପଞ୍ଚାୟତ ରାମଚନ୍ଦ୍ରପୁର ଅଞ୍ଚଳରୁ କିସ୍ତିଟଙ୍କା ସଂଗ୍ରହ କରି ଫେରୁଥିଲେ। ଅଲଗା ବାଇକରେ ଆଗପଛ ହୋଇ ଦୁଇଜଣ ଯାକ ଏଜେଣ୍ଟ ଆସୁଥିଲେ। ହେଲେ ଚିଙ୍ଗୁଡ଼ିଆ- ଭିଙ୍ଗାରପୁର ମଝି ରାସ୍ତାରେ ଏକ ଟ୍ରକ ସେମାନଙ୍କୁ ଅତିକ୍ରମ କରିବା ସୁଯୋଗରେ ସେମାନଙ୍କୁ ଆନ୍ୟ ଏକ ବାଇକରେ ପିଛା କରୁଥିବା ଦୁଇଜଣ ଦୁର୍ବୃତ୍ତ ଜଣେ ଏଜେଣ୍ଟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇଯାଇଥିଲେ।

ଏହାପରେ ସେମାନେ ଘଟଣାସ୍ଥଳରୁ ଦ୍ରୁତବେଗରେ ଫେରାର ହୋଇଯାଇଥିଲେ। ତେବେ ଜଣେ ପୁଲିସ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଅଧିକାଂଶ  ଫାଇନାନ୍ସ କର୍ମଚାରୀ ଲୁଟ ଘଟଣା ତଦନ୍ତବେଳେ ଅଭିଯୋଗକାରୀ କର୍ମଚାରୀଙ୍କ ଅଭିଯୋଗରେ ସତ୍ୟତା ରହୁନଥିବାରୁ ଏହାର ଛାଡ଼ଭିନ ଚାଲିଥିବାରୁ ମାମଲା ରୁଜୁ ହୋଇନଥିବା କହିଛନ୍ତି। ଘଟଣାର ସତ୍ୟତା ଜଣାପଡ଼ିଲେ ମାମଲା ରୁଜୁ ହେବ ବୋଲି କହିଛନ୍ତି।ପୁଲିସ ଏହି ଘଟଣାରେ ଅଭିଯୋଗାରୀ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର