ବ୍ୟାଙ୍କରୁ ୯୦ ହଜାର ଟଙ୍କା ଉଠାଇ ନେଉଥିଲେ ବ୍ୟବସାୟୀ, ବାଇକ୍‌ରେ ଆସି ଲୁଟିଲେ ଦୁର୍ବୃତ୍ତ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଲୁଟ ପାଟ ସଂଖ୍ୟା ବୃଦ୍ଧି ପାଉଛି। ଆଜି ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ଜଣେ ବ୍ୟବସାୟୀଙ୍କ ଠାରୁ ୯୦ ହଜାର ଟଙ୍କା ଝାମ୍ପି ନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଲେ ଭଅଁରା ଗ୍ରାମର ବିରଞ୍ଚି ନାରାୟଣ ପାତ୍ର। ଲୁଟ୍‌ ସମ୍ପର୍କରେ ବନମାଳିପୁର ଫାଣ୍ଡିରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଭଅଁରା ଗ୍ରାମର ବିରଞ୍ଚି ନାରାୟଣ ପାତ୍ର ଧାନ ବ୍ୟବସାୟ କରନ୍ତି। ସେ ଆଜି ଅପରାହ୍ନ ପ୍ରାୟ ୧୨ ଟାରେ ବନମାଳିପୁର ୟୁକୋ ବ୍ୟାଙ୍କ ଶାଖାରୁ ୯୦ ହଜାର ଟଙ୍କା ଉଠାଇଥିଲେ। ଏହି ବଜାରସ୍ଥିତ ମହାଲକ୍ଷ୍ମୀ ମିଷ୍ଠାନ ଭଣ୍ଡାର ସମ୍ମୁଖରେ ନିଜ ଗ୍ଲାମର ଗାଡିରେ ଟଙ୍କା ବ୍ୟାଗ ଟାଙ୍ଗି ଦୋକାନ ଭିତରକୁ ଯାଇଥିଲେ। ସେହି ସମୟରେ ପଛରୁ ପିଛା କରି ଆସୁଥିବା ୨ ଜଣ ଦୁର୍ବୃତ୍ତ ଆଖିପିଛୁଳାକେ ତାଙ୍କ ଗାଡିରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଦ୍ରୁତ ବେଗରେ ହାଇସ୍କୁଲ ରାସ୍ତାରେ ଚମ୍ପଟ ମାରିଥିଲେ।

ଏହି ବ୍ୟାଗରେ ୫ଟି ଆଧାର କାର୍ଡ଼ ଏବଂ ବହୁ ଗୁରତ୍ୱପୂର୍ଣ୍ଣ କାଗଜ ଥିବା ବିରଞ୍ଚି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର