ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ର ବିକାଶମୂଳକ କାମ ପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୬୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଆହୁରି ୩୦୦ କୋଟି ଆସିବ ବୋଲି ଜଣାପଡ଼ିଛି। ଓଡ଼ିଶା ବ୍ରିଜ୍‌ ଆଣ୍ଡ କନ୍‌ଷ୍ଟ୍ରକ୍ସନ କର୍ପୋରେସନ୍‌ ଲିମିଟେଡ (ଓବି ଆଣ୍ଡ ସିସି) ବିକାଶମୂଳକ କାମ କରିବ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଜାରି ଚିଠିରେ ଉଲ୍ଳେଖ କରାଯାଇଛି। ଗ୍ରାଉଣ୍ଡ ଫ୍ଲେର୍‌ ସହ ୬ ମହଳା କୋଠା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ନୂତନ ବିଲ୍‌ଡିଂରେ କାଜୁଆଲିଟି, ପାଥୋଲୋଜି, ବର୍ହିବିଭାଗ, ଅସ୍ତ୍ରୋପଚାର ଗୃହ ସହ ସମସ୍ତ ଗୁରୁତ୍ବପୂର୍ଣ୍ଣ ସୁବିଧା ରହିବ। ଏଥିସହ ଆର୍‌ଜିଏଚ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ, ପାର୍କିଂ ଓ ଅନ୍ୟାନ୍ୟ ବିକାଶମୂଳକ କାମ ହେବ। ସେମିତି ଆର୍‌ଜିଏଚ୍‌ରକୁ ୪୦୦ ଶଯ୍ୟାରୁ ୮୦୦ ଶଯ୍ୟାକୁ ବୃଦ୍ଧି କରିବାର ଯୋଜନା ରହିଛି। ଅର୍ଥ ମଞ୍ଜୁରିକୁ ୫ ମାସ ବିତିଲାଣି। ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ମଧ୍ୟ ପଡ଼ିନି। ସରକାର ବଦଳିବା ପରେ ଏସବୁ ବିକାଶମୂଳକ କାମ ଆର୍‌ଜିଏଚ୍‌ ପରିସରରେ କେଉଁଠି କରାଯିବ ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜାଗା ଚିହ୍ନଟ ହୋଇନି।

Advertisment

ରାଉରକେଲାବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଆର୍‌ଜିଏଚ୍‌ ଜାଗାକୁ ଶାଗମାଚ୍ଛ ଦରରେ ହାଇଟେକ୍‌ ମେଡ଼ିକାଲ କଲେଜକୁ ଟେକି ଦିଆଯାଇଛି। ଏତେ ସବୁ କାମ ପାଇଁ ଯେତିକି ଜାଗାର ଆବଶ୍ୟକତା ରହିଛି, ସେତିକି ଜାଗା ଆର୍‌ଜିଏଚ୍‌ ପରିସରରେ ନାହିଁ। ମାତୃଶିଶୁ ହସ୍ପିଟାଲ ଆଗରେ ରହିଥିବା ଖାଲି ଜାଗାରେ ଯଦି ୬ ମହଲା କ‌ୋଠା ନିର୍ମାଣ କରାଯାଏ, ଆର୍‌ଜିଏଚ୍‌ର ସମ୍ପୂର୍ଣ୍ଣ ଜାଗା ଶୂନ ହୋଇଯିବ। ଆଗାମୀ ଦିନରେ ଅନ୍ୟ କୌଣସି ପ୍ରକଳ୍ପ ହୋଇପାରିବ ନାହିଁ। ନୂଆ ସରକାର ହାଇଟେକ୍‌ ହାତେଇଥିବା ଖାଲି ଜାଗାକୁ ଆର୍‌ଜିଏଚ୍‌ରେ ମିଶ୍ରଣ କଲେ , ଅନେକ ବିକାଶମୂଳକ କାମ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ନ ହେଲେ ସବୁଦିନ ପାଇଁ ଆର୍‌ଜିଏଚ୍‌ ସେମିତି ଅବହେଳିତ ଭାବେ ରହିଯିବ। ପ୍ରଥମ ପର୍ଯ୍ୟାୟରେ ଆସିଥିବା ୬୬୦ କୋଟି ଟଙ୍କାର ବିକାଶମୂଳକ ହେବ, ନାଁ ସେମିତି ପ୍ରସ୍ତାବ ରହିଯିବ, ତାକୁ ନେଇ ଲୋକଙ୍କ ମଧ୍ୟରେ ଶଙ୍କା ସୃଷ୍ଟି ହୋଇଛି। ସୂଚନା‌ଯୋଗ୍ୟ, ଆର୍‌ଜିଏଚ୍‌ ଉପରେ କେବଳ ରାଉରକେଲା ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ଅଧିକାଂଶ ବ୍ଲକ, ପଡୋଶୀ ଝାଡ଼ଖଣ୍ଡର ରୋଗୀ ନିର୍ଭର କରୁଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି, ଏନ୍‌ଏଚ୍‌ଏମ୍‌ ଓ ଅନ୍ୟାନ୍ୟ ପାଣ୍ଠିରୁ ସିଟି ସ୍କାନ୍‌, ଡାୟଲେସିସ୍‌ ସୁବିଦା, କେନ୍ଦ୍ରୀୟ ପାଥୋଲୋଜି, ରକ୍ତ ପୃଥକ ୟୁନିଟ୍‌ କରାଯାଇଛି। ଡିଏମ୍‌ଏଫ୍‌ ପାଣ୍ଠିରୁ ଡାକ୍ତର, ନର୍ସ ଓ ଆଟେ‌ଣ୍ଡାଣ୍ଟ ନିଯୁକ୍ତି ହୋଇଛନ୍ତି। ହସ୍ପିଟାଲ ମ୍ୟାନେଜର୍‌, ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତି ପାଇଥିବା କିଛି କର୍ମଚାରୀ ଓ ଆର୍‌ଜିଏଚ୍‌ର ଅଧିକାରୀ ମିଳିମିଶି ସ୍ବାସ୍ଥ୍ୟ ବିଭାଗର ପାଣ୍ଠିକୁ ହରିଲୁଟ୍‌ କରି ଚାଲିଛନ୍ତି। ଯାହାର ତଦନ୍ତ ସରିଛି, କେବଳ କାର୍ଯ୍ୟାନୁଷ୍ଠାନକୁ ବାକି ରହିଛି।