ମାରଣାସ୍ତ୍ର ଦେଖାଇ ମହିଳା କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ

ବାହାନଗା: ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ବୋଇତା-ଶ୍ରୀଜଙ୍ଗ ରାସ୍ତାରେ ଜଣେ ଘରୋଇ ଅର୍ଥ ଲଗାଣ ସଂସ୍ଥାର ମହିଳା କର୍ମଚାରୀଙ୍କ ଠାରୁ ୭୦ ହଜାର ଟଙ୍କା ଲୁଟ ହୋଇଥିବାର ସୂଚନା ମିଳିଛି। ଆଜି ଅପରାହ୍ନରେ ମହିଳା କର୍ମଚାରୀ ଗାୟତ୍ରୀ ବେହେରା ଗାଂଜିଆ, ଦହିଗଡ଼ିଆ, ମହାରାଜପୁର ଏବଂ ନାଚିନ୍ତା ଆଦି ଗ୍ରାମରୁ କଲେକ୍ସନ ସାରି ନିଜ ସ୍କୁଟି ଯୋଗେ ଗୋପାଳପୁର ଶାଖାରେ ଜମା କରିବାକୁ ଫେରୁଥିଲେ। ବୋଇତା- ଶ୍ରୀଜଙ୍ଗ ରାସ୍ତା ଦେଇ ଗୋପାଳପୁର ଅଭିମୁଖେ ଫେରୁଥିବା ବେଳେ ଏକ କଳା ପଲସରରେ ଦୁଇ ଜଣ ଦୁର୍ବୁତ୍ତ ଆସି ବନ୍ଧୁକ ଏବଂ ଛୁରୀ ଦେଖାଇ ତାଙ୍କ ନିକଟରେ ଥିବା ୭୦ ହଜାର ଟଙ୍କା ସହିତ ବ୍ୟାଗ ଲୁଟି ନେଇ ପଳାଇଥିଲେ। ଖବରପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ଥିଲେବି ଦୁର୍ବୁତ୍ତଙ୍କ କୌଣସି ପତ୍ତା ମିଳିନଥିଲା।

ଅଭିଯୋଗ ପାଇଁ ଖନ୍ତାପଡା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବାର ଜଣାପଡିଛି। ତେବେ ଗୋପାଳପୁର ଅଞ୍ଚଳରେ ଥିବା ଅର୍ଥ ଲଗଣକାରୀ ସଂସ୍ଥାରୁ ବାରମ୍ବାର ଲୁଟ ହେବା ପୁଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର