ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ର ସ୍ପଷ୍ଟ ନିୟମ ରହିଛି, କ୍ବାର୍ଟର୍ସ ପାଇଥିବା କର୍ମଚାରୀ କିମ୍ବା ସରକାରୀ/ବେସରକାରୀ ସଂସ୍ଥା ପୁନର୍ବାର ଉକ୍ତ କ୍ବାର୍ଟରକୁ ଅନ୍ୟମାନଙ୍କୁ ଭଡ଼ାରେ ଲଗାଇପାରିବେ ନାହିଁ। ନିୟମ ଉଲ୍ଲଂଘନକାରୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ବନ୍ଦୋବସ୍ତ ରହିଛି। ତଥାପି ଏହି ନିୟମ ଏବେ ପ୍ରହସନ ପାଲଟିଛି। କିଛି ଆର୍ଏସ୍ପି କର୍ମଚାରୀ ମନମର୍ଜି ନିଜେ ପାଇଥିବା କ୍ବାର୍ଟରକୁ ଭଡ଼ାରେ ଲଗାଉଛନ୍ତି। ବିଡ଼ମ୍ବନା, ସହରସେବା ବିଭାଗ ସବୁ ଜାଣିଶୁଣି ଚୁପ୍ ରହିଛି।
ଆର୍ଏସ୍ପିର ସମସ୍ତ ସେକ୍ଟରରେ ପ୍ରାୟ ସମାନ ଅବସ୍ଥା। କେବଳ ଆର୍ଏସ୍ପିର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନୁହନ୍ତି; ବରଂ ଖୋଦ୍ ସହରସେବା ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ଏଭଳି ଅନୈତିକ ଉପାୟରେ ଘର ଭଡ଼ାରେ ଲଗାଇଛନ୍ତି। ସହରସେବା ବିଭାଗ ମୁଖ୍ୟଙ୍କ ଏକାନ୍ତ ଅନୁଗତ ଜଣେ କର୍ମଚାରୀ ଦୁଇଟି ଘରକୁ ଭଡ଼ା ଲଗାଇଛନ୍ତି। ସଂପୃକ୍ତ ସହରସେବା ବିଭାଗର କର୍ମଚାରୀ ସପରିବାର କୋଏଲନଗରରେ ରୁହନ୍ତି। ତାଙ୍କୁ ମିଳିଥିବା ସେକ୍ଟର-୨, ସି’ ବ୍ଲକରେ ଥିବା ଘରକୁ ଭଡ଼ାରେ ଲଗାଇଦେଇଛନ୍ତି। ଉକ୍ତ କର୍ମଚାରୀଙ୍କ ପତ୍ନୀ ସଂପ୍ରତି ଆପୋଲୋ ହସପିଟାଲରେ କାର୍ଯ୍ୟରତଥିବାରୁ ତାଙ୍କୁ ସେକ୍ଟର-୧୯, ଏ’ ବ୍ଲକରେ ଗୋଟିଏ କ୍ବାର୍ଟର ମିଳିଥିଲା। କିନ୍ତୁ କରିତ୍କର୍ମା ସ୍ବାମୀଙ୍କ ସହଯୋଗରେ ଉକ୍ତ କ୍ବାର୍ଟରକୁ ଭଡ଼ାରେ ଲଗାଇଦେଇଛନ୍ତି। ପୂର୍ବରୁ ସହରସେବା ବିଭାଗରେ ଥିବା ଜଣେ କର୍ମଚାରୀ ନିଜର ସେକ୍ଟର-୭, ବି’ ବ୍ଲକରେ ଥିବା କ୍ବାର୍ଟରକୁ ଭଡ଼ାରେ ଲଗାଇଛନ୍ତି। ସେହିଭଳି ପୂର୍ବରୁ ସହରସେବା ଅର୍ଥ ବିଭାଗରେ ଥିବା ଜଣେ କର୍ମଚାରୀ ସେକ୍ଟର-୧୪, ଡି’ବ୍ଲକରେ ଥିବା ଆର୍ଏସ୍ପି କ୍ବାର୍ଟରକୁ ଭଡ଼ାରେ ଲଗାଇଛନ୍ତି। କେବଳ ଏତିକି ନୁହେଁ, ଅନ୍ୟ ସଂସ୍ଥାକୁ ଦିଆଯାଇଥିବା କ୍ବାର୍ଟର ମଧ୍ୟ ଏବେ ଭଡ଼ାରେ ଲାଗୁଛି। ଆର୍ଏସ୍ପି ପକ୍ଷରୁ ବିଭିନ୍ନ ସେକ୍ଟରରେ ଆପୋଲୋ ସୁପରସ୍ପେଶାଲିଟି ହସପିଟାଲକୁ ଏକାଧିକ କ୍ବାର୍ଟର ଦିଆଯାଇଛି। ସେଥିମଧ୍ୟରୁ ସେକ୍ଟର-୨୦ ସି’ ବ୍ଲକରେ ଦିଆଯାଇଥିବା ୩ଟି କ୍ବାର୍ଟରକୁ ଆପୋଲୋ କର୍ମଚାରୀ ଅନ୍ୟମାନଙ୍କୁ ଭଡ଼ାରେ ଲଗାଇଛନ୍ତି। ଆର୍ଏସ୍ପି କ୍ବାର୍ଟରଗୁଡ଼ିକର ମାସିକ ଭଡ଼ା ୫ ହଜାରୁ ୮/୯ ହଜାର ପର୍ଯ୍ୟନ୍ତ ରହିଛି। ଘର ଭଡ଼ା ଦେଇଥିବା କର୍ମଚାରୀମାନେ ପ୍ରତ୍ୟେକ ମାସରେ ଭଡ଼ା ଆଦାୟ ନ କରି ଏକାସାଙ୍ଗରେ ଆଗୁଆ ବର୍ଷକର ଭଡ଼ା ଆଦାୟ କରିନେଉଛନ୍ତି।
ନିୟମର ଖୋଲା ଉଲ୍ଲଂଘନକରି କ୍ବାର୍ଟର ଭଡ଼ାରେ ଲଗାଯାଉଥିବାବେଳେ କ୍ବାର୍ଟର ଆବଣ୍ଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନି। ନିୟମିତ ବ୍ୟବଧାନରେ ଯାଞ୍ଚ ବି ହେଉନି। କ୍ବାର୍ଟର ଆବଣ୍ଟନ ବିଭାଗର ମହାପ୍ରବନ୍ଧକ ଏନେଇ ହାତବାନ୍ଧି ବସିବା ପଛରେ ଭିନ୍ନ ଭିନ୍ନ ଚର୍ଚ୍ଚା ହୁଏ। ଏନେଇ ପଚାରିବାରୁ ଆର୍ଏସ୍ପି ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି, କ୍ବାର୍ଟର ଭଡ଼ାରେ ଲଗାଇବା ସଂପୂର୍ଣ୍ଣ ବେନିୟମ। ଯେଉଁମାନେ ଏଭଳି ନିୟମ ଉଲ୍ଲଂଘନକରି କରିଛନ୍ତି ଜଣାପଡ଼ିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।