ଆର୍‌ଏସ୍‌ପି ସ୍ବୀକୃତି ନିର୍ବାଚନ: ଆର୍‌ଏସ୍‌ଏସ୍‌ ଜିତିଛି ୫ ଥର, ବିଏମ୍‌ଏସ୍‌ ୨ଥର

ରାଉରକେଲା: ନଭେମ୍ବର ୧୫ ତାରିଖରେ ଅଷ୍ଟମ ଥର ପାଇଁ ଆର୍‌ଏସ୍‌ପି ସ୍ବୀକୃତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ସର୍ବାଧିକ ସଦସ୍ୟ ସଂଖ୍ୟା ଆଧାରରେ ଶ୍ରମିକ ସଂଗଠନକୁ ମାନ୍ୟତା ଦିଆଯାଉଥିବାବେଳେ ୧୯୯୫ ମସିହାରୁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି। ୧୯୯୫ ମସିହା ଅଗଷ୍ଟ ୯ ତାରିଖରେ ପ୍ରଥମଥର ପାଇଁ ଆର୍‌ଏସ୍‌ପି କର୍ମଚାରୀ ପ୍ରତ୍ୟକ୍ଷ ନିର୍ବାଚନରେ ନିଜ ନିଜ ମନପସନ୍ଦର ଶ୍ରମିକ ସଂଗଠନକୁ ଭୋଟ୍‌ ଦେବାର ସୁଯୋଗ ପାଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ, ମୋଟ୍‌ ୭ ଥର ସ୍ବୀକୃତି ନିର୍ବାଚନ ଅନୁଷ୍ଠିତ ହୋଇଛି। ତେବେ ଏହି ସ୍ବୀକୃତି ନିର୍ବାଚନରେ ଆଇଏନ୍‌ଟିୟୁସି ସହବନ୍ଧିତ ରାଉରକେଲା ଶ୍ରମିକ ସଂଘ(ଆର୍‌ଏସ୍‌ଏସ୍‌) ଦବ୍‌ଦବା ରହିଛି। ଆର୍‌ଏସ୍‌ଏସ୍‌ ସର୍ବାଧିକ ୫ ଥର(୧୯୯୫, ୧୯୯୭, ୨୦୦୦, ୨୦୦୩ ଓ ୨୦୧୦) ବିଜୟୀ ହୋଇଥିବାବେଳେ ବିଏମ୍‌ଏସ୍‌ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ(ଆର୍‌ଆଇକେକେଏସ୍‌) ୨ ଥର(୨୦୧୪ ଓ ୨୦୧୮) ଜିତିଛି।

ପ୍ରକାଶଥାଉକି, ୨୦୧୮ ମସିହା ଜାନୁଆରୀ ୩୦ ତାରିଖରେ ଶେଷଥର ପାଇଁ ଆର୍‌ଏସ୍‌ପି ସ୍ବୀକୃତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଏମ୍‌ଏସ୍‌ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ(ଆର୍‌ଆଇକେକେଏସ୍‌) ବିଜୟୀ ହୋଇଥିଲା। ଏହି ସଂଗଠନର ସମୟ ଅବଧି ୨୦୨୦ ଏପ୍ରିଲ ୨୫ ତାରିଖରେ ଶେଷ ହୋଇଥିଲେ ମଧ୍ୟ ପୁନଃ ନିର୍ବାଚନ ନେଇ ଆବେଦନ କରାଯାଇନଥିଲା। ଏଣୁ ରାଉରକେଲା ଶ୍ରମିକ ସଂଘ(ଆର୍‌ଏସ୍‌ଏସ୍‌) ସ୍ବୀକୃତି ନିର୍ବାଚନ ନେଇ ୨୦୨୦ ମସିହା ଏପ୍ରିଲ ୨୬ ତାରିଖରେ କର୍ତୃପକ୍ଷଙ୍କୁ ନିବେଦନ କରିଥିଲେ। କିନ୍ତୁ ପ୍ରାୟ ସାଢ଼େ ୪ ମାସ ଧରି କର୍ତୃପକ୍ଷ ନିର୍ବାଚନ ନେଇ ପଦକ୍ଷେପ ନ ନେବାରୁ ସଂଗଠନ ପକ୍ଷରୁ ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲା। ଉଚ୍ଚ ନ୍ୟାୟାଳୟ ନିର୍ବାଚନ ସପକ୍ଷରେ ରାୟ ଦେବା ସତ୍ତ୍ବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନ ହେବାରୁ ଅଗଷ୍ଟ ମାସରେ ପୁନର୍ବାର କୋର୍ଟଙ୍କ ଅବମାନନା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର