ଆରଟିପିସିଆର ଟେଷ୍ଟିଂ: ରାୟଗଡ଼ାରେ ହେବ ସରିଛି ଆନୁସାଙ୍ଗିକ ଲ୍ୟାବ କାମ, ୧୫ ଦିନରେ ହେବ କାର୍ଯ୍ୟକ୍ଷମ

ରାୟଗଡ଼ା: ରାୟଗଡ଼ାରେ ହେବ ଆରଟିପିସିଆର୍ ଟେଷ୍ଟିଂ। କରୋନା ସଂକ୍ରମଣ ହାର କମାଇବା ସହ ତୁରନ୍ତ ଟେଷ୍ଟିଂ ରିପୋର୍ଟ ସଂକ୍ରମିତଙ୍କୁ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଆରଟିପିସିଆର୍ ମେସିନ୍ କାର୍ଯ୍ୟକ୍ଷମ ପରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି କଳାହାଣ୍ଡି ସମେତ ପାଖାପାଖି ୧୦ଟି ଜିଲ୍ଲାର ସ୍ବାବ ରିପୋର୍ଟ ରାୟଗଡ଼ାରେ ପରୀକ୍ଷା ହେବ। ଏଥି ପାଇଁ ଆନୁସାଙ୍ଗିକ ଲ୍ୟାବ କାମ ସରିଛି। ଆସନ୍ତା ୧୫ ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି।

ଦ୍ବିତୀୟ ଲହରୀରେ କରୋନା ସଂକ୍ରମଣ ଅବିଭକ୍ତ କୋରାପୁଟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିବା ପରେ ରାୟଗଡ଼ାରେ ଆରଟିପିସିଆର ଟେଷ୍ଟିଂ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ସ୍ବାସ୍ଥ୍ୟ ବିଭାଗର ଏକ ବିଶେଷଜ୍ଞ ଦଳ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ପରିଦର୍ଶନରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ଲ୍ୟାବ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମେଡ଼ିକାଲର ୫ମ ମହଲାରେ ଥିବା ସ୍ବତନ୍ତ୍ର କକ୍ଷରେ ଆରଟିପିସିଆର୍ ମେସିନ୍ ଇନଷ୍ଟାଲେସନ କରାଯିବ। ଆଜି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହି ଆଶା ଅଧିକ ଉଜ୍ବଳ ହୋଇଛି। ପୂର୍ବରୁ ରାୟଗଡ଼ାରେ ଟ୍ରୁ ନଟ୍ ଟ୍ରୁ ମେସିନରେ କରୋନା ସ୍ବାବ ପରୀକ୍ଷା କରାଯାଉଥିଲା। ଦୈନିକ ୨୦ରୁ ୨୨ଟି ସ୍ବାବ ପରୀକ୍ଷା ହେଉଥିବା ବେଳେ ରିପୋର୍ଟ ଆସିବା ପାଇଁ ୨୨ରୁ ୨୪ ଘଣ୍ଟା ଲାଗୁଥିଲା।

ବର୍ତ୍ତମାନ ଆରଟିପିସିଆର୍ ମେସିନ୍ ଆସିବା ସ୍ପଷ୍ଟ ହେବା ପରେ ଟ୍ରୁ ନଟ୍ ଟ୍ରୁ ମେସିନକୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। କରୋନାର ପ୍ରଥମ ଲହରୀରେ ୨୦୨୦ ମେ’ ମାସରେ ଟ୍ରୁ ନଟ୍ ଟ୍ରୁ ମେସିନ୍ ରାୟଗଡ଼ାକୁ ଆସିଥିଲା। ଦିନକୁ ଶହେ ସ୍ବାବ ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଫଳ ହେବା ଯୋଗୁ ଆରଟିପିସିଆର ଟେଷ୍ଟିଂ ପାଇଁ ସ୍ବାବ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କଲେଜ ଓ ଭୁବନେଶ୍ବର ଆରଏମଆରସିକୁ ପଠାଯାଉଥିଲା। ଏବେ ରାୟଗଡ଼ାରେ ଆରଟିପିସିଆର ଟେଷ୍ଟିଂ ଆରମ୍ଭ ହେଲେ ସଂକ୍ରମଣ ହାରରେ ସାମାନ୍ୟ ପରିବର୍ତ୍ତନ ଆସିବ।

ବ୍ରହ୍ମପୁର, ଭୁବନେଶ୍ବରରୁ ରିପୋର୍ଟ ଆସିବାକୁ ୭ରୁ ୧୦ ଦିନ ଲାଗୁ ଥିବାରୁ ବିଳମ୍ବିତ ରିପୋର୍ଟ ପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଯାଉଛି। ଏବେ ଦୈନିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୦ ସ୍ବାବ ସଂଗ୍ରହ କରାଯାଉଛି। ସଂକ୍ରମଣ ହାର ବଢ଼ିବା ପରେ ରାତି ୪ଟାରୁ ଲୋକ ଲାଇନରେ ରହି ସ୍ବାବ ଦେବା ପାଇଁ ଅପେକ୍ଷା କରିବା ସହ ଧାର୍ଯ୍ୟ ଲକ୍ଷ୍ୟ ପରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୂର ଦୂରାନ୍ତରୁ ଆସୁଥିବା ଲୋକ ସ୍ବାବ ଦେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବାରୁ ମେଡ଼ିକାଲରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍, ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗକୁ ନାକେଦମ୍ ହେବାକୁ ପଡୁଛି। ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ଏବେ ୧୫୦ରୁ ଉର୍ଧ୍ବ ରହିଛି।

ସମ୍ବନ୍ଧିତ ଖବର