ବ୍ରହ୍ମପୁର/ଖଲ୍ଲିକୋଟ: ସରକାରୀ ଫାଇଲ୍ରେ ସେ ହେଉଛନ୍ତି ନାମକୁ ମାତ୍ର ମହିଳା ସରପଞ୍ଚ। ହେଲେ ସାଢ଼େ ୪ ବର୍ଷ ହେଲା ପଞ୍ଚାୟତରେ କଣ ଉନ୍ନୟନ କାମ ଚାଲିଛି, କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି, କେଉଁ ଅଧିକାରୀ ବଦଳି ହେଉଛନ୍ତି ଓ ଆସୁଛନ୍ତି, ଏବିଷୟରେ ସେ ସଂପୂର୍ଣ୍ଣ ଭାବେ ଅଜ୍ଞ। ଆଜବେଷ୍ଟସ୍ ଛାତ ତଳେ ଝାଟିମାଟି ଘରେ ଦିନ କଟୁଥିବା ବେଳେ ବିନା ଦସ୍ତଖତରେ ଉନ୍ନୟନ କାମର ବହୁ ବିଲ୍ ବି ପାସ୍ ହୋଇଯାଉଛି। କାରଣ ନିର୍ବାଚନ ପରଠୁ ମାତ୍ର ୪ରୁ ୫ ଥର ସେ ପଞ୍ଚାୟତ ଅଫିସ୍ ପିଣ୍ଡା ମାଡ଼ିଛନ୍ତି। ସ୍ବାମୀ ପଞ୍ଚାୟତ ଅଫିସ୍ରେ ପିଅନ ଭାବେ କାମ କରୁଥିବାରୁ ଦରମା ବି ଆଣି ହାତରେ ଧରାଇଦେଉଛନ୍ତି। ଏମିତି ଜଣେ ରବର୍ଷ୍ଟାମ୍ପ୍ ସରପଞ୍ଚ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଆଦିବାସୀଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତର ହେମ ନାୟକ।
ଜଙ୍ଗଲପାହାଡ଼ ଘେରା ଏହି ପଞ୍ଚାୟତରେ ବହୁ ଆଦିବାସୀ ବସବାସ କରୁଥିବା ବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବି ହରିଜନ ବର୍ଗ ପାଇଁ ସଂରକ୍ଷିତ ଥିଲା। ତେବେ ପଞ୍ଚାୟତରେ ହେମଙ୍କ ପରିବାର ଏକମାତ୍ର ହରିଜନ ବର୍ଗର ଥିଲେ। ଫଳରେ ପଞ୍ଚାୟତ ଅଫିସ୍ରେ ପିଅନ ଭାବେ କାମ କରୁଥିବା ଘନଙ୍କ ପତ୍ନୀ ହେମଙ୍କୁ ନିର୍ଦ୍ବନ୍ଦ୍ବ ଭାବେ ନିର୍ବାଚିତ କରିଦିଆଗଲା। କିନ୍ତୁ ଏହା ମଧ୍ୟରେ ନିର୍ବାଚନ ସରି ସାଢ଼େ ୪ ବର୍ଷ ବିତିଗଲାଣି। ଆଉ ୬ ମାସ ଗଲେ ପୁଣି ନିର୍ବାଚନ। ହେଲେ କମ୍ ଶିକ୍ଷିତ ହେମ ଏହା ଭିତରେ କେବଳ ୪ରୁ ୫ ରଥ ପଞ୍ଚାୟତ ଅଫିସ୍କୁ ଯାଇଥିବା ବ୍ଲକ୍ କାର୍ଯ୍ୟାଳୟ କେବେ ଯାଇଥିଲେ, ତାହା ତାଙ୍କୁ ମନେ ବି ନାହିଁ। ବର୍ତ୍ତମାନ ବିଡିଓ କିଏ ଅଛନ୍ତି ସେ ଜାଣିନାହାନ୍ତି କି ପଞ୍ଚାୟତସମିତି ବୈଠକରେ ବି କେବଳ ଯୋଗ ଦେଇନାହାନ୍ତି। ଦରମା କେତେ ମିଳୁଛି, ତାହା ବି ଜାଣିନାହାନ୍ତି। ପରିବାର କହିଲେ, ଦୁଇ ପୁଅ। ବଡ଼ପୁଅ ରାଜ୍ୟ ବାହାରେ ଦାଦନ ଖଟୁଥିବା ବେଳେ ଝାଟିମାଟି ଘରେ ସାନପୁଅ, ଦୁଇ ବୋହୂ, ହେମ ଓ ତାଙ୍କ ସ୍ବାମୀ ରହୁଛନ୍ତି।
ପଞ୍ଚାୟତରେ ଯାହାସବୁ ଉନ୍ନୟନ କାମ ହୁଏ, ତାହା କର୍ମଚାରୀ ମାନେ କରନ୍ତି। କିନ୍ତୁ ହେମ କିଛି ଜାଣନ୍ତି ନାହିଁ। ଆବଶ୍ୟକସ୍ଥଳେ କେତେବେଳ ଦସ୍ତଖତ ନିଆଯାଏ, ନହେଲେ ନାହିଁ। ମାଆଙ୍କୁ କେବଳ ନାମକୁ ମାତ୍ର ସରପଞ୍ଚ କରାଯାଇ ସବୁ କାମ ଅଫିସର୍ ମାନେ କରୁଛନ୍ତି ବୋଲି ପୁଅ ସୁଶାନ୍ତ କହିଛନ୍ତି। ତେବେ ସରପଞ୍ଚି କିଛି ଜାଣୁ ନଥିବାରୁ ପଞ୍ଚାୟତରେ ଅଫିସର୍ରାଜ ଚାଲିଛି ବୋଲି କିଛି ସ୍ଥାନୀୟବାସିନ୍ଦା କହିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉନ୍ନୟନମୂଳକ କାମ ଉପରେ ଅନୁଧ୍ୟାନ କରିବାକୁ ସାଧାରଣରେ ଦାବି ହୋଇଛି।