ଫିଲ୍ମ ଷ୍ଟାଇଲ୍‌ରେ ଡକାୟତି: ଲୁଟିନେଲେ ତିନି ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହଥା ଗ୍ରାମରେ ଫିଲ୍ମ ଷ୍ଟାଇଲ୍‌ରେ ଡକାୟତି କରି ଲୁଟିନେଲେ ତିନି ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା । ଲୁଟର ଶିକାର ହୋଇଛନ୍ତି ଯୁବ ବ୍ୟବସାୟୀ ବରୁଣ ପ୍ରଧାନ (୩୦) ।

ମିଳିଥିବା ସୂଚନା ଅନୁସାରେ କୁସାଦାଦର ଗ୍ରାମର ବ୍ୟବସାୟୀ ବରୁଣ ପ୍ରଧାନ ଖଣ୍ଡହଥା ଘଣ୍ଟାପଡାଠାରେ ଏକ କିରାନା ହୋଲ୍ ସେଲିଙ୍ଗ୍ ଦୋକାନ କରି ରହୁଥିଲେ । ସୋମବାର ବରୁଣ ଦୋକାନ ବନ୍ଦ କରି ନିତ୍ୟକର୍ମ ସାରି ରାତି ପ୍ରାୟ ୯.୩୦ରେ ଖାଉଥିବା ସମୟରେ ପାଞ୍ଚ ଜଣ ଡକାୟତ ଫିଲ୍ମ୍ ଷ୍ଟାଇଲରେ ଘର ବାଡ଼ି ପଛପଟୁ ଭିତରକୁ ପ୍ରବେଶ କରିଥିଲେ ‌। ଦୁଇଜଣ ଡକାୟତ ବରୁଣଙ୍କ ବେକରେ ଗାମୁଛା ବାନ୍ଧି ମାଡ଼ମାରିବା ସହ ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିବା ବେଳେ ତାଙ୍କ ସ୍ତ୍ରୀକୁ ଜଣେ ଡକାୟତ କାବୁ କରି ଭୟଭୀତ କରି ତାଙ୍କ ଠାରୁ ଦୋକାନ ଡ୍ରର ଚାବି ନେଇଯାଇଥିଲା । ଡକାୟତମାନେ ପ୍ରାୟ ୩ଲକ୍ଷ ୫୦ ହଜାର ନଗଦ ଟଙ୍କା ଲୁଟି ନେବା ସହ ସୁନାର ଲକେଟ୍ କାନଫୁଲ ଓ ସୁନାର ଟପ୍ ନେଇ ପଳାଇ ଯାଇଥିଲେ । ପରେ ହିମାଂଶୁଙ୍କ ଚିତ୍କାର ଶୁଣି ଗ୍ରାମର ରାତି ପ୍ରାୟ ୨ଟା୩୦ ମିନିଟରେ ଲୋକମାନେ ଜମା ହୋଇଥିଲେ।

ବରୁଣଙ୍କ ଲିଖିତ ଅଭିଯୋଗ କ୍ରମେ ସୁବଳୟା ଥାନା କେସ୍ ନମ୍ବର ୫୮ରେ ଏକ ମାମଲା ରୁଜୁ କରି ସୁବଳୟା ଥାନା ଅଧିକାରୀ କୁଶ କୁମାର ପାଣିଗ୍ରାହୀ ଅଧିକ ତଦନ୍ତ ଚଳାଇଛନ୍ତି । ମଙ୍ଗଳବାର ଦିନ ବୀରମହାରାଜପୁର ଉପଖଣ୍ଡ ପୁଲିସ ଅଧିକାରୀ ଡୋଲାମଣି ଭୋଇ, ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ଦାସ ଘଟଣାସ୍ଥଳରେ ପହଂଚି ସର ଜମିନ୍ ତଦନ୍ତ କରିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ପୁଲିସ ଅଧିକାରୀ ଓ ଫୋର୍ସ ପହଞ୍ଚି ସମସ୍ତ ଅଞ୍ଚଳର ଘେରାବନ୍ଦିକରି ଡକାୟତିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଅଟକ୍ ରଖି ତାଠାରୁ ୪୦ ହଜାରରୁ ଅଧିକ ନଗଦ ଟଙ୍କା ଓ ସୁନାର କାନଫୁଲ ଜବତ୍ କରି ଏକ ଅଜ୍ଞାତ ସ୍ଥାନରେ ପଚରା ଉଚୁରା କରୁଥିବା ସୁଣିବାକୁ ମିଳୁଛି । ଅପରପକ୍ଷରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ସମ୍ବନ୍ଧିତ ଖବର