ରୁଦ୍ରରଂଜନଙ୍କୁ ‘ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର’

ବାଲେଶ୍ବର:  ଯୁବ ଲେଖକ, ସାମ୍ବାଦିକ ତଥା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରୁଦ୍ରରଂଜନ ଶେଜପଡ଼ାଙ୍କୁ ତାଙ୍କ ଓଡ଼ିଆ ଗଳ୍ପ ପାଣ୍ଡୁଲିପି ‘କରୋନା କାହାଣୀ ପାଇଁ ‘ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର-୨୦୨୦ ପ୍ରଦାନ କରାଯାଇଛି। ସୋମବାର ଭୁବନେଶ୍ବରସ୍ଥିତ ଏକ ହୋ‌ଟେଲ୍‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଶେଜପଡ଼ାଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରର ମୋଟ ୧୦ ଜଣ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

‘ଓଡ଼ିଆ ମିଡିଆ ତଥା ‘ପେନ୍‌ ଇନ୍‌ ବୁକ୍ସର ମୁଖ୍ୟ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ କବି, ବିଶିଷ୍ଟ ଗାନ୍ଧିବାଦୀ ତଥା ସର୍ବୋଦୟ କର୍ମୀ ଶୈଳଜ ରବି ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏ‌କାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳିଙ୍ଗ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ କୁଳପତି ଡ. ବଦ୍ରିନାଥ ପଟ୍ଟନାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବ୍ୟଙ୍ଗକବି ଡ. କୁଳାଙ୍ଗାର। ରୁଦ୍ରରଂଜନଙ୍କ ଏହି ସଫଳତାରେ ସହକର୍ମୀ ଓ ବହୁ ସାହିତ୍ୟିକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଥାଉକି ରାଜ୍ୟ ଓ ରାଜ୍ୟ ବାହାରୁ ୯୦ରୁ ଅଧିକ ଲେଖକ ‘ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର’ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଆରେ ୬ ଜଣ, ଇଂରାଜୀରେ ୨ ଜଣ ଓ ହିନ୍ଦୀରେ ୨ ଜଣ ଲେଖକଙ୍କ ପାଣ୍ଡୁଲିପି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଯୁବଲେଖକ ଶେଜପଡ଼ା ବର୍ତ୍ତମାନ ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣରେ କାର୍ଯ୍ୟରତ। ତାଙ୍କ ଘର ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ୍‌ ଝାଡ଼ପୋଖରିଆ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ। ବାପା ରବୀନ୍ଦ୍ର ନାଥ ଶେଜପଡ଼ା ଓ ମାଆ ଚମ୍ପାବତୀ ବାରିକ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ।

 

ସମ୍ବନ୍ଧିତ ଖବର