ଶନିବାର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା, ସମନ୍ବୟ ବୈଠକକୁ ଆସିଲେନି ସେବାୟତ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୯ ଶନିବାର ଅଶୋକାଷ୍ଠମୀ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମନ୍ବୟ ବୈଠକରେ ଏହି ରଥଯାତ୍ରାର ନୀତିନିଘଣ୍ଟ ସ୍ଥିର ହୋଇଛି । ଦିନ ସାଢେ ୧୨ଟାରୁ ସାଢେ ୧ଟା ମଧ୍ୟରେ ପହଣ୍ଡି ନୀତି ସଂପନ୍ନ ହେବା ସହ ମହାପ୍ରଭୁ ରଥାରୁଢ ହେବେ । ସାଢେ ୩ଟାରୁ ରଥଟଣା ଆରମ୍ଭ ହେବ । ସେହିପରି ୧୩ ତାରିଖରେ ବାହୁଡ଼ା ଅନୁଷ୍ଠିତ ହେବ । ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ ମୁତୟନ ରହିବେ ।  ବୈଠକରେ ଉପଜିଲ୍ଲାପାଳ, ବିଏମସି ଅତିରିକ୍ତ କମିଶନର ଓ ଲିଙ୍ଗରାଜ ଥାନାଧିକାରୀ, ଟ୍ରାଫିକ କର୍ତ୍ତୃପକ୍ଷଙ୍କ ସହ ଜନସ୍ବାସ୍ଥ୍ୟ ଓ ପୂର୍ତ୍ତବିଭାଗ ଓ ଓ୍ବାଟକୋର ଅଧିକାରୀ ଉପସ୍ଥିତ ରହିଥିଲେ ।

କିନ୍ତୁ ରଥ ଗଡିବା ପୂର୍ବରୁ ଅସନ୍ତୋଷ ଜାହିର କରିଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ ।  ସେବାୟତଙ୍କର ଦାବିକୁ ପ୍ରଶାସନ ମାନୁନଥିବାରୁ ସମନ୍ବୟ ବୈଠକକୁ ଆସିଲେନି ତିନି ନିଯୋଗର ସେବାୟତ ।  ଜିଲ୍ଲା ପ୍ରଶାସନ ଆଜି ପୋଲିସ ବିଭାଗ ସମେତ ଅନ୍ୟ ବିଭାଗ ସହ ଆଲୋଚନା କରିଥିବାବେଳେ ବ୍ରାହ୍ମଣ ନିଯୋଗ, ସମର୍ଥା ନିଯୋଗ ଓ ପୂଜାପଣ୍ଡା ନିଯୋଗର ସେବାୟତ ବୈଠକକୁ ଆସିନଥିଲେ ।  ଲିଙ୍ଗରାଜଙ୍କ ସେବାପୂଜା କରିବା ପାଇଁ ଯେଉଁ ବନ୍ଦୋବସ୍ତ ଜମି ମିଳିଥିଲା,ପରେ ଏହାକୁ ଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡ ନାଁ କୁ ଚାଲିଯାଇଛି। ଏଥିରେ ସେବାୟତଙ୍କ ନାଁ ରଖିବାକୁ ଦାବି ହୋଇଛି । ସେହିପରି ଗର୍ଭ ଗୃହକୁ ପ୍ରବେଶ ପ୍ରସଙ୍ଗରେ ସେବାୟତଙ୍କ ମଧ୍ୟରେ କିଛି ଅସନ୍ତୋଷ ରହିଛି । ତେବେ ସବୁ ଦାବି ପୂରଣ କରିବା ସମ୍ଭବପର ନୁହଁ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସ୍ପଷ୍ଟ କହିଛନ୍ତି ।

ତେବେ ପ୍ରଶାସନ ଉପରେ ଅସନ୍ତୋଷ ଥିଲେ ସୁଦ୍ଧା  ରଥଯାତ୍ରାରେ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଆସନ୍ତାକାଲି  ଏହି ପ୍ରସଙ୍ଗରେ ସେବାୟତଙ୍କ ସହ  ପୃଥକ ଆଲୋଚନା କରିବ ମନ୍ଦିର ପ୍ରଶାସନ ।

ସମ୍ବନ୍ଧିତ ଖବର