ଭିତରକନିକାରେ ଜମୁଛି ଭିଡ; କଟକଣା କରି ଭାଙ୍ଗୁଛି ପ୍ରଶାସନ

ରାଜନଗର: ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦିନରେ ଭିତରକନିକାକୁ ୧୮୫୨ ପର୍ଯ୍ୟଟକ ଆସିଥିବା ବେଳେ ଆଜି ୧୭୩୨ ପର୍ଯ୍ୟଟକ ବୁଲିଛନ୍ତି। ଏହି ୧୭୩୨ ପର୍ଯ୍ୟଟକଙ୍କ ମଧୢରୁ ୭୯୬ ପର୍ଯ୍ୟଟକ ସ୍ଥଳ ପଥରେ ଆସିଥିବା ବେଳେ ୯୩୬ ପର୍ଯ୍ୟଟକ ଜଳ ପଥରେ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। କରୋନା ପାଇଁ ୫୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ନ ଛାଡ଼ିବାକୁ ନିୟମ ହୋଇଥିବା ବେଳେ ଗତ ୨୫ ତାରିଖରେ ୧୮୫୨ ଓ ୨୬ ତାରିଖରେ ୧୭୩୨ ଜଣ ଏଠାକୁ ଆସିଛନ୍ତି। ପ୍ରଶାସନ ନିଜେ କରିଥିବା ନିୟମକୁ ଭାଙ୍ଗି ଚାଲିଥିବା ବେଳେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ସ୍ଥାନରେ କରୋନା କୋପ ପୁଣି ଦେଖାଦେଇଥିବା ବେଳେ ପ୍ରଶାସନର ଏଭଳି କୋହଳ ମନୋଭାବକୁ ନେଇ ଅ‌ସନ୍ତୋଷ ପ୍ରକାଶ ପାଇଛି।

ଗୁପ୍ତି ପ୍ରବେଶ ପଥ ଦେଇ ଜଳପଥରେ ୩୩ଟି ବୋଟରେ ୩୧୦ ପର୍ଯ୍ୟଟକ, ଚାନ୍ଦବାଲି ଦେଇ ୧୩ଟି ବୋଟରେ ୯୯, ଖୋଳା ଦେଇ ୬୭ ବୋଟରେ ୫୨୭ ପର୍ଯ୍ୟଟକ ଭିତରକନିକାରେ ବୁଲିଛନ୍ତି। ଜଳପଥରେ ଭିତରକନିକା ଭ୍ରମଣ ବେଳେ ନଈପଠାରେ ଖରା ପୋଉଁ ଥିବା ଛୋଟ, ବଡ ବଉଳା କୁମ୍ଭୀର ଦେଖିଛନ୍ତି। ଏହାଛଡ଼ା ଜଳପଥରେ ଭ୍ରମଣ ବେଳେ ର˚ଗ ବେର˚ଗର ଦେଶୀ ଓ ବିଦେଶୀ ପକ୍ଷୀ, ବାର‌୍‌ହା, ହରିଣ ଓ ବିଭିନ୍ନ ସରୀସୃପଙ୍କୁ ଦେଖିଛନ୍ତି। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକ ସ୍ଥଳପଥ ଅପେକ୍ଷା ଜଳପଥରେ ଭ୍ରମଣ କରିବାକୁ ଅଧିକ ପସନ୍ଦ କରିଥାନ୍ତି। କରୋନା କଟକଣା ପାଇଁ ବୋଟରେ ଯାତ୍ରୀ କ୍ଷମତାର ୫୦ ପ୍ରତିଶତ ପର୍ଯ୍ୟଟକଙ୍କୁ ନିଆଯାଉଛି। ସେଥିପାଇଁ ବୋଟ ସ˚ଖ୍ୟା କମ ଥିବାରୁ ବୋଟ ନପାଇ ଶହ ଶହ ପର୍ଯ୍ୟଟକ ନିରାଶରେ ଫେରୁଛନ୍ତି।

କରୋନା ପାଇଁ ବୋଟରେ ୫୦ ପ୍ରତିଶତ ଯାତ୍ରୀ କଟକଣାକୁ କଡାକଡି ପାଳନ କରାଯାଉଥିବା ବେଳେ ଦୈନିକ ୫ଶହ ଭିତରକନିକା ମଧ୍ୟକୁ ପ୍ରବେଶ ନିୟମକୁ କିପରି ଉଲ୍ଲଂଘନ କରାଯାଉଛି, ସେ ନେଇ ପର୍ଯ୍ୟଟକଙ୍କ ମନରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ଗାଡିରେ ସାଙ୍ଗ ହୋଇ ଆସିଥିବା ୧୨ଜଣ ପର୍ଯ୍ୟଟକ ୨୦ଜଣ ପର୍ଯ୍ୟଟକଙ୍କୁ ନେବାର କ୍ଷମତା ଥିବା ବୋଟରେ ଯିବାରେ ଅସୁବିଧା କେଉଁଠି? ୧୨ଜଣ ଲୋକ ଦୁଇଟି ବୋଟ କରି ଯାଉଥିବାରୁ ଆର୍ଥିକ ଦଣ୍ତ ଭୋଗୁଛନ୍ତି। ଯଦି ବୋଟ ପାଇଁ କଟକଣା କଡାକଡି, ଅନ୍ୟ ନିୟମଗୁଡିକୁ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ପର୍ଯ୍ୟଟକମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର