ବାଲ୍ୟ ବିବାହ ଭଳି କରୋନା ମୁକ୍ତ ଲକ୍ଷ୍ୟ: କନ୍ଧମାଳର ଯୁବ ସିପାହୀ ରୁନୁ ବିନ୍ଧାଣି

ଫୁଲବାଣୀ: ବାଲ୍ୟ ବିବାହ ଭଳି କନ୍ଧମାଳକୁ କରୋନା ମୁକ୍ତ କରିବା ନିମନ୍ତେ ଯୁବ ସିପାହୀ ସାଜି ଅଭିଯାନ ଜାରି ରଖିଛନ୍ତି ରୁନୁ ବିନ୍ଧାଣି। କରୋନା ସଚେତନା ହେଉ କି ହିତାଧିକାରୀଙ୍କ ନିକଟରେ ସହାୟତ ପହଞ୍ଚିବା ହେଉ। ଆଉ ରନ୍ଧା ଖାଦ୍ୟ ସଠିକ ସମୟରେ ଲୋକଙ୍କ ପାଖରେ ପହଞ୍ଚିବା। ଏସବୁ କାମରେ ସବୁଠି ରୁନୁଙ୍କୁ ଦେଖିବାକୁ ମିଳୁଛି।

ଖଜୁରୀପଡା ବ୍ଳକ ଦୁତିମେଣ୍ଡି ପଞ୍ଚାୟତ ବଇକୁମ୍ପା ଗ୍ରାମର ସୁନା ଝିଅ ରୁନୁ ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଓ ଅନ୍ତରଙ୍ଗ ଯୁବ ସଂଗଠନର ସଦସ୍ୟା ଅଛନ୍ତି। ଆକ୍ସନଏଡ ଦ୍ବାରା ତାଲିମପ୍ରାପ୍ତ ରୁନୁ କନ୍ଧମାଳରେ ବାଲ୍ୟ ବିବାହ ବନ୍ଦ ପାଇଁ କାମ କରୁଛନ୍ତି। ଏଥି ସହ ଘରୋଇ ହିଂସା ବିରୋଧରେ ଲୋକଙ୍କୁ ସଚେତନ କରୁଛନ୍ତି। ତାଙ୍କର ନିଷ୍ଠାପର କାମକୁ ନେଇ  ରୁନୁଙ୍କ ସବୁ ମହଲରେ ପ୍ରଶଂସା ହେଉଛି। ସଂପ୍ରତି କରୋନା ମହାମାରୀ ବିରୋଧରେ ସେ ଅଭିଯାନ ଜାରି ରଖିଛନ୍ତି। ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ହିତାଧିକାରୀଙ୍କ ପାଖରେ ଅର୍ଥରାଶି ଓ ଚାଉଳ ପହଞ୍ଚିବା କାର୍ଯ୍ୟରେ ସରକାରୀ କର୍ମଚାରୀଙ୍କୁ ସାହାଯ୍ୟ କରୁଛନ୍ତି।

ଗରୀବ ଓ ଅସହାୟ ଲୋକଙ୍କ ପାଖରେ କିଭଳି ସଠିକ୍ ସମୟରେ ରନ୍ଧା ଖାଦ୍ୟ ପହଞ୍ଚିବ ଏବଂ କେହି ବଞ୍ଚିତ ନ ହେବେ ସେଥି ନିମନ୍ତେ ରୁନୁ କାର୍ଯ୍ୟ କରୁଛନ୍ତି। କରୋନା ସଂକ୍ରମିତ ହେବା ଭୟରେ ପରିବାର ଲୋକ ବାହାରକୁ ଯିବାକୁ ବାରଣ କରୁଛନ୍ତି। ପରିବାରର ଆକଟକୁ ଖାତିରି ନ କରି ‌ରୁନୁ କାମ କରି ଚାଲିଛନ୍ତି। ବାଲ୍ୟ ବିବାହ ଭଳି କନ୍ଧମାଳକୁ କରୋନା ମୁକ୍ତ କରିବା ନିମନ୍ତେ ଯୁବ ସିପାହୀ ଭାବେ ରୁନୁଙ୍କ ଉଦ୍ୟମକୁ ସବୁ ମହଲରୁ ଉଚ୍ଚପ୍ରଶଂସା କରାଯାଇଛି। ବାଲ୍ୟ ବିବାହ ଭଳି କନ୍ଧମାଳ କରୋନା ମୁକ୍ତ ହେବ। ଏଥି ନିମନ୍ତେ ସମସ୍ତେ ସଚେତନା ହେବା ଦରକାର ବୋଲି କହିବା ସହ ଅଭିଯାନ ଜାରି ରହିବ ବୋଲି ପ୍ରତିକ୍ରିୟାରେ ରୁନୁ କହିଛନ୍ତି।

ସମ୍ବନ୍ଧିତ ଖବର