ରୂପଶ୍ରୀ ହେଲେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଖୋର୍ଦ୍ଧା: ବିଜୁ ଜନତା ଦଳରେ ଦୀର୍ଘ ମନ୍ଥନ ପରେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟା ରୂପଶ୍ରୀ ଗୁମାନସିଂହ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଭାବେ ନିଦ୍ୱନ୍ଦ୍ୱରେ ମନୋନୀତ ହୋଇଛନ୍ତି। ତେବେ ଖୋର୍ଦ୍ଧା ବିଜେଡିରେ ରାଜେନ୍ଦ୍ର ସାହୁ ଓ ଜ୍ୟୋତିମିତ୍ରଙ୍କ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବାକୁ ଦୁଇ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଳା ପରିଷଦ ଅଧ୍ୟକ୍ଷ ମଧ୍ୟରେ ଭାଗବଂଟା ହୋଇଥିବା ନେଇ ଆଲୋଚନା ଜୋର ଧରିଛି। ଜିଲ୍ଲା ପରିଷଦ ନିର୍ବାଚନ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଏ ହେବ ସେନେଇ ଦଳ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଥିଲା।

ଏହି ପଦବି ପାଇଁ ୪ଜଣ ସଭ୍ୟା-ଖୋର୍ଦ୍ଧା ଜିଲ୍ଲା ପରିଷଦ ଜୋନ୍ ୨ର କୈସୁରା ବେଗମ, ବାଲିଅନ୍ତାର କୁନମୁନ ଲେଙ୍କା, ଖୋର୍ଦ୍ଧାରୁ ରୂପଶ୍ରୀରାଣୀ ଗୁମାନସିଂହ ଓ ବୋଲଗଡ଼ର ସୁନନ୍ଦିତା ସାହୁ ଦାବିଦାର ଥିଲେ। ତେବେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଓ ବେଗୁନିଆ ନିର୍ବାଚନମଣ୍ଡଳୀର ସମସ୍ତ ୪ ବ୍ଲକ ଅଧ୍ୟକ୍ଷ ପଦବୀ ବେଗୁନିଆ-ବୋଲଗଡ଼ ବିଧାୟକ ରାଜେନ୍ଦ୍ର ସାହୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ କରାଇବାକୁ ଚାହୁଁଥିଲେ। ଏହାକୁ ନେଇ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯାଇଥିଲା, କଥା ଯାଇ ରାଜ୍ୟ ସଂଗଠନରେ ପହଂଚିଥିଲା। ଖୋର୍ଦ୍ଧା ବ୍ଲକ, ବେଗୁନିଆ ଓ ବୋଲଗଡ଼ରେ ରାଜେନ୍ଦ୍ର ସାହୁଙ୍କ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ଜିତିବା ଏବଂ ଟାଙ୍ଗୀ ବ୍ଲକରେ ବିଧାୟକ ଜ୍ୟୋତି ମିତ୍ରଙ୍କ ପ୍ରାର୍ଥୀ ଗୀତାଂଜଳି ପାଟ୍ଟଷାଣୀଙ୍କୁ ଅଧ୍ୟକ୍ଷ କରିବାକୁ ଦଳୀୟ ନିଷ୍ପତ୍ତି ହୋଇଥିଲା। ବୋଲଗଡ଼ ଓ ଖୋର୍ଦ୍ଧା ବ୍ଲକରେ ରାଜେନ୍ଦ୍ର ସାହୁଙ୍କ ପ୍ରାର୍ଥୀ ନିର୍ଦ୍ବନ୍ଦ୍ୱରେ ଜିତିଥିବା ବେଳେ ବେଗୁନିଆରେ ପ୍ରଦୀପ ସାହୁଙ୍କ ସପକ୍ଷ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ମନା କରିଦେଇଥିଲେ।

Sambad

ସେହିଭଳି ଟାଙ୍ଗୀ ବ୍ଲକରେ ମଧ୍ୟ ରାଜନେ୍ଦ୍ର ସାହୁଙ୍କ ସମର୍ଥକ ପ୍ରାର୍ଥୀ ରିସ୍ନା ମାନ୍ଧାତା ଦଳୀୟ ନିଷ୍ପତ୍ତିକୁ ଅମାନ୍ୟ କରି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ କେବଳ ବେଗୁନିଆ ବ୍ୟତୀତ ଅନ୍ୟ ୩ଟି ବ୍ଲକରେ ରାଜେନ୍ଦ୍ର ସାହୁଙ୍କ ସମର୍ଥିତ ପ୍ରାର୍ଥୀ ବ୍ଲକ ଅଧ୍ୟକ୍ଷ ହୋଇଥିବା ବେଳେ ଖୋର୍ଦ୍ଧା ବିଧାୟକ କିନ୍ତୁ ଏଥିରେ ବିଫଳ ହୋଇଥିଲେ। ଏଣୁ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଅଡ଼ି ବସିଥିଲେ। ଗତକାଲି ରାଜ୍ୟ ସଂଗଠନର ନିଷ୍ପତ୍ତିକୁ ନେଇ ଆଜି ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ପ୍ରମିଳା ମଲ୍ଲିକ ସକାଳେ ଖୋର୍ଦ୍ଧା ପହଂଚିଥିଲେ। ଖୋର୍ଦ୍ଧା ସହରର ଏକ ହୋଟେଲ୍ରେ ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ଏନେଇ ଦୀର୍ଘ ୨ ଘଂଟା କାଳ ବିଚାର ବିମର୍ଷ ପରେ ୧୦.୩୫ରେ ବିଜେଡିର ନିର୍ବାଚିତ ସମସ୍ତ ୨୮ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଡିଆର୍ଡିଏ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପହଂଚିଥିଲେ। ସାଢ଼େ ୨ଟା ବେଳେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଭାବେ ଜ୍ୟୋତିମିତ୍ରଙ୍କ ସମର୍ଥକ ସଭ୍ୟା ରୂପଶ୍ରୀରାଣୀ ଗୁମାନସିଂହ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଘୋଷିତ ହୋଇଥିଲେ। ତେବେ ଜିଲ୍ଲାରେ ଥିବା ଦୁଇ ବିଧାୟକଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ୩ ବ୍ଲକ ଅଧ୍ୟକ୍ଷ ପଦବୀ ରାଜେନ୍ଦ୍ର ସାହୁଙ୍କୁ ଦିଆଯାଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଦିଆଯାଇଥିବା ନେଇ ଆଲୋଚନା ହେଉଛି। ତେବେ ଚଳିତ ପୌର ନିର୍ବାଚନରେ ଖୋର୍ଦ୍ଧା ପୌର ପରିଷଦରେ ଏହି ବିବାଦର ସମାଧାନ କେତେଦୂର ବିଜେଡିକୁ ସହାୟତା ହେଉଛି ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର