କଳାହାଣ୍ଡି: ସୌଭାଗ୍ୟ ଯୋଜନା ଦୁର୍ଗମ ଅଂଚଳରେ ସାଜିଛି ଦୁର୍ଭାଗ୍ୟ

ଭବାନୀପାଟଣା: ସୌଭାଗ୍ୟ ଯୋଜନାରେ ଗାଁ ଗାଁକୁ ବିଦ୍ୟୁତିକରରଣ ସହିତ ପ୍ରତି ପରିବାରରେ ବିଦ୍ୟୁତ ଶକ୍ତି ପହଂଚିବା ନିମନ୍ତେ ଏହି ଯୋଜନା ହୋଇଛି। କିନ୍ତୁ ଆଜି ବି ଏମିତି ଅନେକ ଗାଁ ରହିଛି ଯେଉଠି ସୌଭାଗ୍ୟ ଯୋଜନା କହିଲେ ଇଲେକ୍ଟ୍ରି ପୋଲ ଆଉ ଇଲେକ୍ଟ୍ରି ତାର ହିଁ କେବଳ ଝୁଲୁଛି। ଆଶା ଥିଲା ଗାଁରେ ଓ ଘରେ ବିଜୁଳୀବତୀ ଜଳିବ। ସଭ୍ୟତାର ବିକାଶର ଏକ ଅନ୍ୟତମ ଆବଶ୍ୟକତା ପୂରଣ ହେଇପାରିବ। କିନ୍ତୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉର୍ଲଦାନୀ ପଂଚାୟତର ଦୁର୍ଗମ ଅଂଚଳରେ ଏହି ସପନ ଏବେ ଆକାଶ କୟାଁକୁ ଚିଲିକା ମାଛ ଭଳି।

ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ ଅଟକଳରେ ବିଦ୍ୟୁତ ପୋଲ, ଇନସୁଲେଟେଡ଼ ତାର, ଟ୍ରାନ୍‌ସଫର୍ମର ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ଲଗାଯାଇଥିବା ଦେଖିବାକୁ ମିଳିଛି। ଉର୍ଲାଦାନୀରୁ ଆରମ୍ଭ କରି ମାର୍ଦ୍ଦିଂ ମୌଜାର ସାତଖଣ୍ଡ ଗାଁ ଖଡ଼କାବାହାଲି, ଲାଦାମାସ୍କା, ଜାଜିମାସ୍କା, ଗର୍ଦମ, ଲେଙ୍ଗୁରପଦର, ବେଙ୍ଗେଷ୍ଟପଦର, ବୁଡ଼ାଦରିଂ ଗାଁର ଶହେରୁ ଉର୍ଦ୍ଧ୍ୱ ପରିବାର ଦୀର୍ଘ ଦିନରୁ ବିଦ୍ୟୁତ ଆଲୋକ ଦେଖିବାର ସ୍ୱପ୍ନରେ ବିଭୋର ହେଉଥିବାବେଳେ ଏହି ସ୍ୱପ୍ନ ପୂରା ହେବା ଅଧାବାଟରେ ଲଟକି ରହିଛି। ଏବେ ସ୍ୱପ୍ନ ପୂରଣ ହେବାନେଇ ଆଶା ଓ ଆଶଙ୍କାରେ ଅଂଚଳବାସୀ।

ଦୀର୍ଘ ତିନିବର୍ଷ ତଳେ ସମସ୍ତ ବୈଦ୍ୟୁତିକ ଭିତ୍ତିଭୂମି ସ୍ଥାପନ କରିବା ପରେ ମଧ୍ୟ ଶହେରୁ ଉର୍ଦ୍ଧ୍ୱ ପରିବାର ରାତିରେ ଡ଼ିବିରି ଆଲୁଅରେ ରହୁଥିବା ଦେଖିବାକୁ ମିଳିଛି । ତିନିବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଶିକାର ହେଇ କେଉଁଠି ବିଦ୍ୟୁତ ଖମ୍ବ ତ ଆଉ କୋଉଠି ବିଦ୍ୟୁତ ତାର ଛିଣ୍ଡି ପଡ଼ିଛି। ସ୍ଥାନୀୟ ବିଦ୍ୟୁତ ବିଭାଗ ଉକ୍ତ ଅଂଚଳ ପରିଦର୍ଶନରେ କେତେ ଥର ଯାଇଥିବେ।

ଏନେଇ ବିଦ୍ୟୁତ ବିଭାଗ ଏସଡ଼ିଓଙ୍କୁ ପଚାରିବାରୁ ସେ ଏହି ଅଂଚଳରେ ଆରଡ଼ି ବିଭାଗ ରାସ୍ତା ତିଆରି କରିବାବେଳେ ଗଛଗୁଡ଼ିକ ଭାଙ୍ଗିବା ଯୋଗୁଁ ବିଦ୍ୟୁତ ପୋଲ ଓ ତାର ସବୁ ଭାଙ୍ଗି ଯାଇଛି। ସେହି ଅଂଚଳକୁ ଯଥାଶିଘ୍ର ବିଦ୍ୟୁତ ସଂଯୋଗ କରିବାକୁ, ସୋଲାର ପ୍ରକଳ୍ପ ଜରିଆରେ ବିଦ୍ୟୁତ ସଂଯୋଗୀ କରଣ କରାଯିବ ବୋଲି କହିଛନ୍ତି। ଏ ନେଇ ଆଦମ ନାଏକ, ଯୋଖରିଆ ନାଏକ, ରତ୍ନା ମାଝୀ, ରାମୋଜିନୀ ନାଏକ, ବିକି ନାଏକ, ପ୍ରକାଶ ନାଏକ, ରାଜେଶ ମାଝୀ, ମଗିଶ ମାଝୀ, ପ୍ରମୋଦ ମାଝୀ, ଲସର ମାଝୀ ପ୍ରମୁଖ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବୀ କରିଛନ୍ତି।

ସମ୍ବନ୍ଧିତ ଖବର