ନୋହିଲା ସାଧାରଣ କାର୍ଯ୍ୟକର୍ତ୍ତା ବୈଠକ, ବିବାଦରୁ ତିନିଘଣ୍ଟା ବନ୍ଦ ରହିଲା ଶାବର ଶ୍ରୀକ୍ଷେତ୍ର

କୋରାପୁଟ: ଦୀର୍ଘ ୪ ବର୍ଷ ପରେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ବସିଛି, ହେଲେ ସମସ୍ୟାର ସମାଧାନ ହୋଇପାରିନି। ପୂର୍ବରୁ ପରିଷଦର ସମସ୍ତ ସଭ୍ୟଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣକୁ ନେଇ ବିବାଦ ଉଠିଥିଲା। ଏହା ଯୋଗୁଁ ତିନି ଘଣ୍ଟା କାଳ ମନ୍ଦିର ବନ୍ଦ ରହିବା ସହ ସାଧାରଣ ପାରିଷଦ ବୈଠକ ହୋଇ ପାରିନି । ସ୍ଥିରିକୃତ ଦିନ ଓ ଠିକ ସମୟରେ ପରିଷଦର ବୈଠକ ଆରମ୍ଭ ହୋଇଥିଲା । ସାଧାରଣ ପରିଷଦର ସମସ୍ତ ସଭ୍ୟ ଓ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କଅଁର. ତହସିଲଦାର ରଂଜନ କୁମାର ମାନସେଠ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ୟୁକେ ଦାଶ ଉପସ୍ଥିତ ଥିଲେ ।

ତେବେ ଆଜୀବନ ସଭ୍ୟ ଓ ସାଧାରଣ ପରିଷଦର ସଭ୍ୟ ବାର୍ଷିକ ସଭ୍ୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ନିର୍ବାଚନ ବାତିଲ ହୋଇଯାଇଛି । ଆସନ୍ତାକାଲି କିଛି ସଦସ୍ୟ ଜିଲ୍ଲାପାଳଙ୍କୁ ଦେଖାକରି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବେ ବୋଲି ସୂଚନା ମିଳିଛି । ଦୀର୍ଘଦିନ ଧରି ସଂସ୍ଥାର ସାଧାରଣ ପରିଷଦରେ ନିର୍ବାଚନ ହୋଇ ପାରିନାହିଁ । ସଂସ୍ଥାର ପୂର୍ବତନ ସଭାପତି ଭାବେ ଦିବଂଗତ ପ୍ୟାରୀ ମୋହନ ମହାପାତ୍ର ଓ ସଂପାଦକ ଭାବେ ଦିବଂଗତ କୃଷ୍ଣଚନ୍ଦ୍ର ପାଣିଗାହୀଙ୍କ ଦେହାନ୍ତ ପରେ ପରିଚାଳନା କମିଟିର ନୂତନ ସଭାପତି ଓ ସଂପାଦକ ନିର୍ବାଚନକୁ ନେଇ ନାନା କଳ୍ପନା ଓ ଜଳ୍ପନା ଦେଖାଦେଇଛି । ଦୀର୍ଘ ୨ବର୍ଷ କରୋନା ଜନିତ କଟକଣା ପାଇଁ ନିର୍ବାଚନ ହୋଇପାରିନଥିଲା ।

ଆଜି ହେବାକୁ ଥିବା ନିର୍ବାଚନରେ କିଛି ଆଜୀବନ ସଦସ୍ୟ ଓ କିଛି ସଭ୍ୟଙ୍କ ଅସନ୍ତୋଷ ଯୋଗୁଁ ସାଧାରଣପରିଷଦ ବୈଠକ ଓ ନିର୍ବାଚନ ସ୍ଥଗିତ ରହିଛି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପୁଣିଥରେ ନିର୍ବାଚନ ହେବ ବୋଲି ସୂଚନା ରହିଛି । ତେବେ ନିର୍ବାଚନକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ତରଫରୁ ଏକ ବ୍ୟାନର ଯୋଗେ ଦୁଇ ଘଣ୍ଟା ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଦର୍ଶାଯାଇଥିଲା । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଜି ସକାଳ ୧୦ଟା ରୁ ୧ଟା ମଧ୍ୟରେ ମନ୍ଦିର ବନ୍ଦ ଥିବାରୁ କିଛି ଭକ୍ତ ନିରାଶ ହୋଇ ଫେରିଛନ୍ତି । ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ମନ୍ଦିର ପରିସରରେ ପୋଲିସ ମୂତୟନ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର