ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି ବୈଠକ: ଏଥର ପୁଣି ଗଡ଼ିବ ୩ ରଥ, ସୁଭଦ୍ରାଙ୍କ ରଥ ଟାଣିବେ ମହିଳା

କୋରାପୁଟ: ଦୁଇ ବର୍ଷ ପରେ ରଥଦାଣ୍ତରେ ଗଡିବ ରଥ। ମାଉସୀମା ମନ୍ଦିରକୁ ଯାଇ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ। ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଆଜି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ୨୦୧୯ ପରି ଚଳିତବର୍ଷ ମଧ୍ୟ ଦ୍ବିତୀୟ ଥର ପାଇଁ ୩ଟି ରଥ କରାଯାଇଥିବାରୁ ଏହା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଏଥର ୯ଟା ୪୫ ମିନିଟ‌ରେ ଠାକୁରଙ୍କ ପହଣ୍ଡି ଆରମ୍ଭ କରାଯାଇ ଦିନ ଗୋଟାଏରୁ ରଥ ଟଣା କରାଯିବାକୁ ନିଷ୍ପତ୍ତି ହୋଇଛି। କୋରାପୁଟ ସଦଭାବନା ସଭାଗୃହରେ ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ ବସିଥିଲା। ଆସନ୍ତା ଜୁଲାଇ ୧ ତାରିଖରେ ରଥଯାତ୍ରା ପଡୁଥିବାବେଳେ ବୈଠକରେ ରଥଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା। ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା ସଂସ୍ଥାର ସଂପାଦକ ଡ.ଜଗବନ୍ଧୁ ସାମଲ ସୂଚନା ଦେଇ କହିଥିଲେ ଯେ, ୨୦୧୯ ପରି ଚଳିତବର୍ଷ ଦ୍ବିତୀୟ ଥର ପାଇଁ ୩ଟି ରଥ କରାଯାଇଛି। ଏହି ରଥ ନିର୍ମାଣ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲାବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି। ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବା ପାଇଁ ନିଷ୍ପତ୍ତି ହୋଇଛି।

ବଡଦାଣ୍ଡରେ ଗତ ଥର ପରି ଏଥର ମଧ୍ୟ ୩ଟି ରଥ ଗଡିବାକୁ ଥିବାରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆବଶ୍ୟକ। ଠିକ ସମୟରେ ପହଣ୍ଡି ଓ ନୀତିକାନ୍ତି ଶେଷ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପୂର୍ବାହ୍ନ ୯ଟା ୪୫ ମିନିଟରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ରଥରେ ବିଭିନ୍ନ ନୀତି ସରିବା ପରେ ମଧ୍ୟାହ୍ନ ଗୋଟାଏରୁ ରଥଟଣା ଆରମ୍ଭ କରିବାକୁ ଧାର୍ଯ୍ୟ ହୋଇଛି। ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁସାରେ, ଗାଁ ମୁଖିଆ ହିଁ ନନ୍ଦିଘୋଷ ରଥରେ ଛେରା ପହଁରା କରିବେ। ଅନ୍ୟପକ୍ଷରେ ତିନି ରଥ ଦାୟିତ୍ବରେ ଦୁଇ ଜଣ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ରହିବେ। ଛେରାପହଁରା କରିବାକୁ କୋଟିଆ ଓ ତେନ୍ତୁଳିଗୁମ୍ମାରୁ ଆଦିବାସୀ ଗାଁର ମୁଖିଆଙ୍କୁ ଡକରା ଦିଆଯିବ। ସେମାନେ ରାଜାଙ୍କ ପରି ଛେରାପହଁରା କରିବେ ବୋଲି ମତ ପ୍ରକାଶ ପାଇଛି। ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ତିନି ଠାକୁର ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଜୁଲାଇ ୯ ତାରିଖରେ ଠାକୁରଙ୍କ ବାହୁଡା ଯାତ୍ରା ସମ୍ପନ୍ନ ହେବ। ୧୦ ତାରିଖରେ ସୁନାବେଶ ଓ ଅଧରପଣା ବିଧି ଶେଷ ହେବା ପରେ ୧୧ ତାରିଖରେ ନୀଳାଦ୍ରି ବିଜେ କରାଯିବାକୁ ଧାର୍ଯ୍ୟ କରାଯାଇଛି।

ଠାକୁରଙ୍କ ପହଣ୍ତି, ରଥଟଣା ସମୟରେ କର୍ଡନ ଭିତରେ ଯେମିତି ବାହାର ଲୋକ ରହି ନ ପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ରଥଟଣା ସମୟରେ ରଥରେ ଅଧିକ ଲୋକ ରହିବେ ନାହିଁ। ସ୍ନାନ ପୂର୍ଣ୍ଣିମାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ଦିଗରେ ପୁଲିସ ବିଭିନ୍ନ ପଦକ୍ଷେପ ନିଆଯିବ। ରଥଯାତ୍ରା ଓ ବାହୁଡା ଓ ସୁନାବେଶ ଦିନ ସହରରେ ଟ୍ରାଫିକ କଟକଣା ଜାରି କରାଯିବା ସହ କିଛି ରାସ୍ତାକୁ ସିଲ କରି ଦିଆଯିବ। ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସଜାଡିବା ପରେ ସଶସ୍ତ୍ର ପୁଲିସ ମୁତୟନ ରହିବେ। ଯାତ୍ରା ପୂର୍ବରୁ ସହରର ପରିମଳ ବ୍ୟବସ୍ଥା ଓ ରାସ୍ତାଘାଟ ସଜାଡିବାକୁ ପୌରପାଳିକାକୁ ନିର୍ଦେଶ ଦିଆଯାଇଥିଲା। ଯାତ୍ରା ପୂର୍ବରୁ ବିଭିନ୍ନ ରାସ୍ତାର ଉନ୍ନତିକରଣ କରାଯିବ। ସେହିପରି ଆଲୋକ ବ୍ୟବସ୍ଥା ଓ ରାସ୍ତାରୁ ଡାଳ ସଫା କରିବା କାମ ଠିକ୍‌ ସମୟ ପୂର୍ବରୁ ଶେଷ କରାଯିବ। ଠାକୁର ଗୁଣ୍ତିଚା ମନ୍ଦିରରେ ରହିବା ସମୟରେ ନିତି ସା˚ସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ସ˚ସ୍କୃତି ବିଭାଗକୁ ଦାୟିତ୍ବ ଦିଆଯାଇଛି। ଆଜିର ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର