ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରୁ ଓଡ଼ିଶା ଦୁଃଖଦ ବିଦାୟ ନେଇଛି। କଡ଼ା ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଓଡ଼ିଶା ସୁଟ୍ଆଉଟ୍ରେ ୧୧-୧୨ ଗୋଲ୍ରେ ମଧ୍ୟପ୍ରଦେଶଠାରୁ ପରାସ୍ତ ହୋଇଛି। ମ୍ୟାଚ୍ ୪-୪ ଗୋଲ୍ରେ ଅମୀମାଂସିତ ରହିଥିଲା। ପରେ ସୁଟ୍ଆଉଟ୍ର ସହାୟତା ନିଆଯାଇଥିବାବେଳେ ଏଥିରେ କିନ୍ତୁ ମଧ୍ୟପ୍ରଦେଶ ବାଜି ମାରିନେଇଥିଲା। ସେହିଭଳି ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଚଣ୍ଡିଗଡ଼ ୩-୧ ଗୋଲ୍ରେ ହରିୟାଣାକୁ ପରାସ୍ତକରି ଫାଇନାଲ ପ୍ରବେଶ କରିଛି। ଗୁରୁବାର ସନ୍ଧ୍ୟାରେ ଚଣ୍ଡିଗଡ଼ ଓ ମଧ୍ୟପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମ୍ୟାଚ୍ସାରା ଉଭୟ ଦଳ ଆକ୍ରାମଣାତ୍ମକ ଶୈଳୀ ଆପଣେଇଥିଲେ।
ମ୍ୟାଚ୍ର ୧୪ତମ ମିନିଟ୍ରେ ମଧ୍ୟପ୍ରଦେଶର ମହମ୍ମଦ ଜୈଦ ଖାନ ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟର ଆରମ୍ଭ ହେବାର ମାତ୍ର ଦୁଇ ମିନିଟ୍ପରେ, ଅର୍ଥାତ୍ ୧୭ତମ ମିନିଟ୍ରେ ଅଲୀ ଅହମଦ୍ ଆଉ ଏକ ଗୋଲ୍ ଦେଇ ଦଳକୁ ୨-୦ ଗୋଲ୍ରେ ଆଗୁଆ କରିଥିଲା। ପଛୁଆ ଥିବା ଓଡ଼ିଶା କିନ୍ତୁ ମ୍ୟାଚ୍ର ୨୪ତମ ମିନିଟ୍ରେ ପ୍ରଥମ ଗୋଲ୍ ଦେବାରେ ସକ୍ଷମ ହୋଇଥିଲା। ଏକ ପେନାଲ୍ଟି କର୍ଣ୍ଣରକୁ ଦୀପକ ମିଞ୍ଜ ଗୋଲ୍ରେ ପରିଣତକରି ସ୍କୋର୍କୁ ୧-୨କୁ ଆଣିଥିଲେ। ୨୯ତମ ମିନିଟ୍ରେ ମଧ୍ୟପ୍ରଦେଶର ମୋହିତ କର୍ମା ଏକ ଗୋଲ୍ ଦେଇ ବ୍ୟବଧାନକୁ ୩-୧କୁ ବଢ଼ାଇଥିଲେ। ପ୍ରଥମ ଦୁଇ କ୍ବାର୍ଟର୍ରେ ମଧ୍ୟପ୍ରଦେଶର ଦବ୍ଦବା ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା। ତେବେ ତୃତୀୟ କ୍ବାର୍ଟରରେ ଓଡ଼ିଶା ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନ କରିଥିଲା। ୩୧ତମ ମିନିଟ୍ରେ ଆକାଶ ସୋରେଙ୍ଗ ଏକ ଫିଲ୍ଡ ଗୋଲ୍ ଦେଇ ସ୍କୋର୍ ୨-୩କୁ ଆଣିଥିଲେ। ଅପରପକ୍ଷରେ ଆକ୍ରମଣକୁ ବ୍ୟାପକ କରିଥିବା ମଧ୍ୟପ୍ରଦେଶ ୩୯ ମିନିଟ୍ରେ ଗୋଟିଏ ଗୋଲ୍ ଦେଇ ସ୍କୋର୍କୁ ୪-୩ ଗୋଲ୍କୁ ବୃଦ୍ଧି କରିଥିଲେ। ସେହି ୩୯ ମିନିଟ୍ରେ ଓଡ଼ିଶା ଏକ ପେନାଲ୍ଟି ଷ୍ଟ୍ରୋକ୍ ସୁଯୋଗ ପାଇଥିଲା।
ଏହାକୁ ହାତଛଡ଼ା ନ କରି ଅନମୋଲ ଏକ୍କା ଗୋଲ୍ରେ ପରିଣତ କରିବାରୁ ସ୍କୋର୍ ୩-୪କୁ ପହଞ୍ଚିଥିଲା। ଶେଷ କ୍ବାର୍ଟରରେ କିନ୍ତୁ ଓଡ଼ିଶା ଖେଳାଳି ପଡ଼ିଆରେ ପୁରା ଦମ୍ ଲଗାଇଦେଇଥିଲେ। ଆକ୍ରମଣକୁ ଶାଣିତ କରିଥିଲେ। ୫୪ତମ ମିନିଟ୍ରେ ଓଡ଼ିଶା ଆଉ ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା। ଏହାକୁ ପ୍ରତାପ ଟପ୍ପୋ ଗୋଲ୍ରେ ପରିଣତକରି ସ୍ଥିତି ୪-୪ ଗୋଲ୍ରେ ସମାନ ରଖିଥିଲେ। ଶେଷ ୬ ମିନିଟ୍ରେ ଉଭୟ ଦଳ ଗୋଲ୍ କରିବାକୁ କଡ଼ା ପ୍ରୟାସ କରିଥିଲେ ମଧ୍ୟ କେହି ସଫଳ ହୋଇପାରିନଥିଲେ। ଫଲରେ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ମଧ୍ୟପ୍ରଦେଶ ୧୨-୧୧ ଗୋଲ୍ରେ ଓଡ଼ିଶାକୁ ପରାସ୍ତକରି ଫାଇନାଲକୁ ପ୍ରବେଶ କରିଛି।
ଅପରପକ୍ଷରେ ପ୍ରଥମ ସେମିଫାଇନାଲରେ ଚଣ୍ଡିଗଡ଼ ୩-୧ ଗୋଲ୍ରେ ହରିୟାଣାକୁ ପରାସ୍ତକରି ଫାଇନାଲ ପ୍ରବେଶ କରିଛି। ଚଣ୍ଡିଗଡ଼ ପକ୍ଷରୁ ସୁରୀନ୍ଦର ସିଂହ ୨ଟି(୬,୫୯) ଓ ଦୀପକ କୁମାର(୧୨) ଗୋଟିଏ ଗୋଲ୍ ଦେଇଥିଲେ। ମ୍ୟାଚ୍ର ଶେଷ ମିନିଟ୍ରେ ହରିୟାଣାର ରୋଶନ ଗୋଟିଏ ଗୋଲ୍ ଦେଇ ବ୍ୟବଧାନ ହ୍ରାସ କରିଥିଲେ।