ରାଉରକେଲା: ସ୍ମାର୍ଟସିଟି ରାଉରକେଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଅନ୍ତଃସତ୍ତ୍ବା ଥିବା ବେଳେ ତାଙ୍କ ସ୍ବାମୀ ଛାଡ଼ି ଚାଲିଗଲେ। ନିକଟରେ ତାଙ୍କ ପ୍ରସବ ସମୟ ପାଖେଇ ଆସୁଥିବା ବେଳେ ସେ ଏକ ମୃତ ସନ୍ତାନ ଜନ୍ମ ଦେଇଥିଲେ। ମୃତ ସନ୍ତାନ ଜନ୍ମ ଦେବାପରେ ମହିଳା ଭୋଭୋ ହୋଇ ହସ୍ପିଟାଲରେ କାନ୍ଦି ଭଗବାନଙ୍କୁ କହିଥିଲେ, ‘ହେ ଭଗବାନ ମୋ ଭଳି ଦୁଃଖ ଆଉ କାହାକୁ ଦେବ ନାହିଁ।’ ଏସବୁ ଦୁଃଖକୁ ସହି ନପାରି ମୃତ ସନ୍ତାନ ଜନ୍ମ ଦେବାର ୨୪ଘଣ୍ଟା ମଧରେ ପ୍ରସୂତିଙ୍କ ମୃତ୍ୟୁ ହୋଇଯାଇଥିଲା।

Advertisment

ଘଟଣାଟି ହେଉଛି ଏପରି, ସ୍ଥାନୀୟ ମାଲଗୋଦାମ ଅଞ୍ଚଳରେ ସୋନପୁର ଜିଲ୍ଲାର ମୂଳନିବାସୀ ମହିଳା(୨୬) ଜଣକ ସପରିବାର ସହିତ ରହୁଥିଲେ। ବାପା-ମା’ଙ୍କ ମାତ୍ରାଧିକ ବୟସ ହୋଇଥିବାରୁ ରୋଜଗାର ପ୍ରାୟ ନଥିଲା। ଫଳରେ ଯାବତୀୟ ଦୁଃଖ ଭିତରେ ସେମାନଙ୍କ ଦିନ କଟୁଥିଲେ।

publive-image

ପୀଡ଼ିତାଙ୍କୁ ଯେତେବେଳେ ୧୭ ବର୍ଷ ହୋଇଥିଲା, ସେତେବେଳେ ରାଜସ୍ଥାନର ଜଣେ ଯୁବକଙ୍କ ସହ ପରିବାରଲୋକ ବାହାଘର କରି ଦେଇଥିଲେ। ବିବାହପରେ ନାବାଳିକା ସ୍ବାମୀଙ୍କ ସହ ରାଜସ୍ଥାନ ଚାଲିଯାଇଥିଲେ। ସେଠାରେ ସ୍ବାମୀ ନାବାଳିକା ସ୍ତ୍ରୀଙ୍କୁ ପ୍ରଥମ ଦିନରୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ବିବାହର ପ୍ରାୟ ଦୁଇ ବର୍ଷପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ପୀଡ଼ିତା। ଏହାପରେ ବି ସ୍ବାମୀ ତାଙ୍କୁ ନିର୍ଯାତନା ଦେବା ବନ୍ଦ କରି ନଥିଲେ। ଏହାରି ଭିତରେ ରାଉରକେଲାର ମାଲଗୋଦାମ ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ବୃଦ୍ଧ ବାପା-ମା’ଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏସବୁ ଦୁଃଖକଷ୍ଟ ଭିତରେ ରାଜସ୍ଥାନରେ ପୀଡ଼ିତା ଦିନ କାଟୁଥିଲେ। ସେ ପ୍ରାୟ ୮ ମାସ ପୂର୍ବେ ଦ୍ବିତୀୟଥର ପାଇଁ ଗର୍ଭବତୀ ହୋଇଥିଲେ।  ଏହାପରେ ସ୍ବାମୀ ତାଙ୍କୁ  ନିର୍ଯାତନା ଦେଇ ଘରୁ ବ‌ାହାର କରି ଦେଇଥିଲେ।  ଫଳରେ ୮ମାସର ଗର୍ଭବତୀ ଥିବା ଅବସ୍ଥାରେ ସେ ତାଙ୍କର ବଡ଼ ପୁଅକୁ ଧରି ରାଉରକେଲା ଚାଲି ଆସିଥିଲେ।

କିଛିଦିନ ରାଉରକେଲାରେ ରହିବାପରେ ୪/୫ ଦିନ ପୂର୍ବରୁ ତାଙ୍କର ପ୍ରସବଜନିତ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଠିକ ସମୟରେ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ପାଖରେ ପରିବାର ଲୋକ କେହି ନଥିଲେ।

କୌଣସି ସୂତ୍ରରୁ ସୂଚନା ପାଇ ଯୁବନେତା ପ୍ରକାଶ ପାଶ୍ବାନ, ମହିଳା ନେତ୍ରୀ ଅହଲ୍ୟା ବିଶୋୟୀ, ଜହ୍ନ ନାୟକ, ରଞ୍ଜନ ନାୟକ ପ୍ରମୁଖ ପୀଡ଼ିତାଙ୍କୁ ଗତ ୨୪ ତାରିଖରେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରେ ଭର୍ତ୍ତି କରିଥିଲେ। ସେତେବେ‌ଳକୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇସାରିଥିଲା। ଏଣୁ ତାଙ୍କୁ ସ୍ଥାନୀୟ ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଶୁକ୍ରବାର ଦିନ ପୀଡ଼ିତାଙ୍କ ଅସ୍ତ୍ରୋପଚାର ପରେ ସେ ଏକ ମୃତ ସନ୍ତାନକୁ ଜନ୍ମ ଦେଇଥିଲେ।

ଏଦୁଃଖକୁ ପୀଡିତା ସହ୍ୟ କରି ପାରି ନଥିଲେ।  ମୃତ ସନ୍ତାନକୁ ଜନ୍ମ ଦେବାର ୨୪ ଘଣ୍ଟା ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ଚାରି ଜଣ ସମାଜସେବୀ ମିଳିତଭାବେ ବେଦବ୍ୟାସ ଘାଟରେ ତାଙ୍କୁ ମୁଖାଗ୍ନୀ ଦେଇଥିଲେ।

ଉଲ୍ଳେଖଯୋଗ୍ୟ, ମହିଳା ତାଙ୍କର ଏକମାତ୍ର ପୁତ୍ର ସନ୍ତାନକୁ କାହା ପାଖରେ ଛାଡ଼ିଛନ୍ତି ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା।