ପୁରୀ: ସ୍ବାଧୀନତାକୁ ୭୫ ବର୍ଷ ପୂରିବାକୁ ବସିଲାଣି, କିନ୍ତୁ ଆଜି ବି ପାନୀୟ ଜଳକୁ ନେଇ ଗାଁ ଗହଳିର ଚିତ୍ର ବଦଳିନି। ଏବେ ବି ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ନଈର ଦୂଷିତ ପାଣିରେ ମେଣ୍ଟାଇବାକୁ ପଡ଼ୁଛି। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ପୁରୀ ସଦର ମହକୁମାରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଗତ ୨୫ ବର୍ଷ ହେବ ଲୋକେ ପାନୀୟ ଜଳ ପ୍ରକଳ୍ପ ଜରିଆରେ ଆସୁଥିବା ଗୋଳିଆ ପାଣି ପିଉଥିବା ବେଳେ ନା ଏହାର ବିଶୋଧନ କରାଯାଉଛି, ନା ଛାଣିବାର କୌଣସି ବ୍ୟବସ୍ଥା କରାଯାଇଛି। ଯେଉଁ ପାଣି ଯୋଗାଣ ଚାଲିଛି, ତାହା ଅଣ୍ଟୁନି। ଅନେକ ଜାଗାରେ ପାଇପ୍ରେ ଫାଟ ଦେଖିବାକୁ ମିଳିଛି। ବର୍ଷାରେ ଏଭଳି ସ୍ଥିତି ଲୋକଙ୍କୁ ଝାଡ଼ାବାନ୍ତି ଭଳି ରୋଗରେ ସଂକ୍ରମିତ କରିବାର ଆଶଙ୍କା ସୃଷ୍ଟି କରିଛି।
ପୁରୀ ସଦର ବ୍ଲକ୍ର ଦୁଇ ବଡ଼ ପଞ୍ଚାୟତ ହେଉଛି ଭାଇଲିପୁର ଓ ଗଉଡ଼କେରା। ଭାଇଲିପୁରରେ ୬ଟି ଗାଁ ଥିବାବେଳେ ଗଉଡ଼କେରାରେ ୮ ଗାଁ ରହିଛି। ଉଭୟ ପଞ୍ଚାୟତକୁ ମିଶାଇଲେ ଜନସଂଖ୍ୟା ପ୍ରାୟ ୫ହଜାର। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଆସୁଥିବା ଏହି ଦୁଇ ପଞ୍ଚାୟତକୁ ପାନୀୟ ଜଳଯୋଗାଣ ପାଇଁ ଆରଡବ୍ଲୁଏସ୍ଏସ୍ ପକ୍ଷରୁ ୨୫ ବର୍ଷ ତଳେ ଗଉଡ଼କେରା ପଞ୍ଚାୟତର ସତେଇଶବାଟିଆଠାରେ ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲା। ଗାଁ ଲୋକଙ୍କ କହିବା ମୁତାବକ, ସେ ସମୟରେ ଏହି ପଞ୍ଚାୟତ ସଦର ନିର୍ବାଚନମଣ୍ଡଳୀରେ ଥିଲା। ରତ୍ନଚିରା ନଈ କୂଳରେ ବୋରୱେଲ୍ କରି ପାନୀୟ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ସେ ସମୟରେ ନିର୍ବାଚନ ପାଖେଇବାରୁ ତତ୍କାଳୀନ ମନ୍ତ୍ରୀ, ନେତାମାନେ ବିନା ବୋରୱେଲ୍ରେ ଏହାର ଶୁଭାରମ୍ଭ କରିଦେଲେ।
ନା ବିଶୋଧନର କୌଣସି ବ୍ୟବସ୍ଥା କଲେ, ନା ଲୋକଙ୍କ ସ୍ବାସ୍ଥ୍ୟ କଥା ବିଚାରକୁ ନେଲେ। କୌଣସି ଫିଲଟର ବି ମୋଟର ମୁହଁରେ ଲଗାଗଲାନି। ସେବେଠୁ ବୋରୱେଲ୍ ବଦଳରେ ସିଧାସଳଖ ନଈରୁ ଜଳଯୋଗାଣ ଚାଲିଛି। ଫଳରେ ଯେଉଁ ବୋରୱେଲ୍ ଏହି ପ୍ରକଳ୍ପ ପାଇଁ ଖୋଳା ଚାଲିଥିଲା ତାହା ଅଧାଖୋଳା ଅବସ୍ଥାରେ ପଡ଼ି ରହି କ୍ରମେ ପୋତି ହୋଇଗଲାଣି। ଅନ୍ୟପଟେ ଏବେ ବି ରତ୍ନଚିରାର ଗୋଳିଆ ପାଣିକୁ ସିଧାସଳଖ ଲୋକଙ୍କୁ ପାଇପ ଯୋଗେ ଯୋଗାଣ ଚାଲିଛି। ଦଳଭର୍ତ୍ତି ନଈରୁ ପାଣି ଯୋଗାଣ ଚାଲିଥିବାରୁ ଏହା ପ୍ରବଳ ଦୁର୍ଗନ୍ଧ ହେଉଛି। ବହୁଦିନରୁ ସତେଇଶବାଟିଆ ଗାଁ ମହାଦେବ ମନ୍ଦିର ପରେ ପରେ ଏକ ଜାଗାରେ ପାଇପ ଫାଟି ଅନର୍ଗଳ ପାଣି ବାହାରୁଛି। ଗାଁ ଲୋକେ ବି ବାରମ୍ବାର ଏ ସମ୍ପର୍କରେ ଆରଡବ୍ଲୁଏସ୍ଏସ୍ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କଲେଣି। ଆଜି ପର୍ଯ୍ୟନ୍ତ କେହି ମରାମତି ପାଇଁ ଆସୁନାହାନ୍ତି। ସ୍ଥାନୀୟ ସରପଞ୍ଚଙ୍କୁ ବି ଅଭିଯୋଗ କରି ଲୋକେ ନିରାଶ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ବୋରୱେଲ୍, ନଚେତ୍ ଓଭରହେଡ୍ ଟ୍ୟାଙ୍କ କରିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ଏହାକୁ ହେୟଜ୍ଞାନ କରାଯାଉଛି। ଫଳରେ ଲୋକେ ଜଣ୍ଡିସ୍, ଝାଡ଼ାବାନ୍ତି ସହ ଅନ୍ୟ ପେଟ ରୋଗରେ ପଡ଼ୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।