ଟଙ୍କା ଫେରସ୍ତ ଦାବିରେ ସାହାରା ଅଫିସ୍ ଆଗରେ ଜମାକାରୀଙ୍କ ବିକ୍ଷୋଭ

ଭଞ୍ଜନଗର : ସାହାରାରେ ଜମା ରଖିଥିବା ଟଙ୍କା ଫେରି ପାଇବା ଦାବିରେ ଶତାଧିକ ଜମାକାରୀ ଓ ଏଜେଣ୍ଟ୍ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ସାହାରା ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ପ୍ରବଳ ପାଟିତୁଣ୍ଡ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଆସିକା, ପୋଲସରା ଓ କୋଦଳା ଆଦି ଇଲାକାର ଶତାଧିକ ଜମାକାରୀ ଏବଂ ଏଜେଣ୍ଟ୍ ଆଜି ମଧ୍ୟାହ୍ନରେ କାର୍ଯ୍ୟାଳୟକୁ ଆସି ସେମାନଙ୍କ ଟଙ୍କା ଫେରାଇବାକୁ ଦାବି କରିଥିଲେ। କାହାର ୫ ବର୍ଷ ତ ଆଉ କାହାର ୮ ବର୍ଷ ‌ତଳୁ ଜମା ଟଙ୍କା ମାଚ୍ୟୁରିଟି ହୋଇଥିଲେ ବି କମ୍ପାନି ଟଙ୍କା ଫେରାଉନି।

ଏଭଳି ପରିସ୍ଥିତିରେ କିଛିଦିନ ଧରି ଆସିକାରେ ଥିବା କାର୍ଯ୍ୟାଳୟକୁ କମ୍ପାନି ପକ୍ଷରୁ ବନ୍ଦ ରଖାଯାଇଛି। ବାରମ୍ବାର ଅବଗତ କରିବା ସତ୍ତ୍ବେ କମ୍ପାନି କର୍ତ୍ତୃପକ୍ଷ ସେମାନଙ୍କ ଟଙ୍କା ଫେରାଉ ନଥିବାରୁ ଜମାକାରୀ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ଜମାକାରୀଙ୍କ ଟଙ୍କା ମିଳୁ ନଥିବାରୁ ଆମକୁ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି ବୋଲି ଏଜେଣ୍ଟ୍ ମାନେ ଅଭିଯୋଗ କରିଛନ୍ତି। ସେମାନେ ଅସୁରକ୍ଷିତ ମଣୁଥିବା କହିଛନ୍ତି।

ଟଙ୍କା ‌ତୁରନ୍ତ ଫେରାଇବା ଦାବି ନେଇ ପରିଚାଳକଙ୍କ ସହ ଜମାକାରୀ ଏବଂ ଏଜେଣ୍ଟଙ୍କ ବାକ୍‌ବିତଣ୍ଡା ହୋଇଥିଲା। ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ବହୁ ପରିଶ୍ରମ କରି ସଞ୍ଚିତ ଅର୍ଥକୁ ଏଠାରେ ଜମା କରିଥିଲେ। କିନ୍ତୁ ବର୍ତ୍ତମାନ କାହାର ଝିଅ ବାହାଘର ଥିବା ବେଳେ ଆଉ କିଏ ଘର ତିଆରି କରୁଛି। କିନ୍ତୁ ଏହି ସମୟରେ କମ୍ପାନି ଟଙ୍କା ଦେଉ ନଥିବାରୁ ସେମାନ‌େ ଅସୁବିଧା ଭୋଗୁଛନ୍ତି। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳୁ ନଥିବାରୁ ଜମାକାରୀ ଏବଂ ଏଜେଣ୍ଟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର