ସ୍ବାଭିମାନ ଅଂଚଳରେ ପୁଲିସକୁ ଚ୍ୟାଲେଞ୍ଜ କରି ନକ୍ସଲ ପାଳିଲେ ସହିଦ ସପ୍ତାହ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ଅପହଞ୍ଚ ଅଂଚଳ ଭାବେ ପରିଚିତ ସ୍ବାଭିମାନ ଅଂଚଳରେ ନକ୍ସଲ ପୁଲିସକୁ ଚ୍ୟାଲେଞ୍ଜ କରି ସହିଦ ସପ୍ତାହ ପାଳନ କରିଛନ୍ତି। ଏଥିରେ ଶତାଧିକ ମହିଳା-ପୁରୁଷ ସାମିଲ ହୋଇଛନ୍ତି । ମାଓନେତାମାନେ ଲୋକମାନଙ୍କୁ ନେଇ ଏକ ବିରାଟ ରାଲିର ଆୟୋଜନ କରିଥିଲେ। ଏହି ରାଲିରେ ଲୋକେ ଲାଲ ପତାକା ସହ ପୋଷ୍ଟର ଏବଂ ବ୍ୟାନର ଧରିଥିଲେ। ଏହି ପୋଷ୍ଟରଗୁଡ଼ିକରେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ଆହ୍ବାନ କରିଛନ୍ତି। ଜଳ, ଜଂଗଲ ଓ ଜମି ଆଦିବାସୀଙ୍କର ଅଟେ। ଏଥିପାଇଁ ଲଢେଇ ଜୋରଦାର କର ବୋଲି ନକ୍ସଲମାନେ ଶ୍ଲୋଗାନ ଦେଇଛନ୍ତି ।।

ପୁଲିସ ଗୁଳିରେ ପ୍ରାଣତ୍ୟାଗ କରିଥିବା କମ୍ରେଡମାନଙ୍କ ନାମ ପୋଷ୍ଟର ଏବଂ ବ୍ୟାନରରେ ଲେଖା ହୋଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ କୁହାଯାଇଛି। ଏଠାରେ ଏକ ସହିଦସ୍ତମ୍ଭ ମଧ୍ୟ ନିର୍ମାଣ କରାଯାଇଥିଲା। ସେଠାରେ ସହିଦଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରାଯାଇଥିଲା। ମୃତ୍ୟୁବରଣ କରିଥିବା ସମସ୍ତ ସହିଦଙ୍କୁ ମନେ ପକାଯାଇଥିଲା। ତାଂକ ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଲୋକେ ନକ୍ସଲଙ୍କୁ ଭୟ କରି ସରକାର ଏବଂ ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ନକ୍ସଲ ନାଚଗୀତରେ ସେମାନଙ୍କର କାର୍ଯ୍ୟ ଶୈଳୀକୁ ଉପସ୍ଥାପନା କରିଥିଲେ। ସହିଦମାନଙ୍କ ପଥକୁ ଆମେ ଅନୁକରଣ କରିବା ବୋଲି କୁହାଯାଇଥିଲା। ଆଦିବାସୀ ଭାଷାରେ ନକ୍ସଲମାନେ ଲୋକଙ୍କୁ ଭାଷଣ ମାଧ୍ୟମରେ ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ପୁଲିସର ଅତ୍ୟାଚାର ସଂପର୍କରେ ବଖାଣିଥିଲେ। ସରକାର ସ୍ବାଭିମାନ ଅଂଚଳର ପାଇଁ କିଛି କରୁନଥିବା କୁହାଯାଇଥିଲା।

ସୂଚନାଯୋଗ୍ୟ ଯେ ପୁଲିସ ଓ ବିଏସ୍‌ଏଫ୍‌ ତରଫରୁ ଏହି ଅଂଚଳରେ ଜୋରଦାର କମ୍ବିଂ ଅପରେସନ୍‌ କରାଯାଉଥିବା ବେଳେ ନକ୍ସଲଙ୍କୁ ପଛକୁ ଠେଲିବାକୁ ପ୍ରୟାସ ଜାରି ରହିଛି। କିନ୍ତୁ ନକ୍ସଲ ପୁଲିସକୁ ଚ୍ୟାଲେଞ୍ଜକରି ସ୍ବାଭିମାନ ଅଂଚଳର ଦୁର୍ଗମ ଗ୍ରାମଗୁଡିକରେ ପୋଷ୍ଟର ଏବଂ ବ୍ୟାନର ମାରି ଏହି ସପ୍ତାହକୁ ପାଳନ କରୁଛନ୍ତି। ପୁଲିସ କିମ୍ବା ବିଏସ୍‌ଏଫ୍‌ ଏହାର ଟେର ମଧ୍ୟ ପାଇପାରୁନାହାନ୍ତି।

ବଣ୍ଡାଘାଟିର ଆଭ୍ୟନ୍ତରୀଣ ଅଂଚଳ ଏବଂ ସ୍ବାଭିମାନ ଅଂଚଳର ଯନ୍ତ୍ରୀ, ଅଣ୍ଡ୍ରାପାଲୀ ଭଳି ପଞ୍ଚାୟତରେ ପୋଷ୍ଟର ଓ ବ୍ୟାନର ମରାଯାଇଥିବା ଲକ୍ଷ୍ୟ କରାଯାଇଛି। ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପ୍ରତ୍ୟେକ ଗାଁରେ ପାଳନ କରିବାକୁ ଯାଉଛନ୍ତି। ଦୁର୍ଗମ ଗ୍ରାମଗୁଡିକରେ ସହିଦ ସ୍ତମ୍ଭ ମଧ୍ୟ ନିର୍ମାଣ କରିଛନ୍ତି। ଗୁଇନ୍ଦା ବିଭାଗ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି। ନକ୍ସଲଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମ ସଂପର୍କରେ ପୂର୍ବରୁ ସୂଚନା ପ୍ରଦାନ କରାଯାଉଥିବା ମଧ୍ୟ ଜଣାପଡିଛି।

ତେବେ ପୁଲିସ ସେହି ଅଂଚଳରେ ପଶିବା ପୂର୍ବରୁ ନକ୍ସଲ ସେମାନଙ୍କର କାମ ସାରି ଚାଲିଯାଉଛନ୍ତି। ସେହିପରି ପଡୋଶୀ ଛତିଶଗଡରେ ମଧ୍ୟ ନକ୍ସଲ ହିଂସାକାଣ୍ଡ ଘଟାଇ ସହିଦ ସପ୍ତାହକୁ ପାଳନ କରୁଥିବା ଦେଖିବାକୁ ମିଳିଛି। ସୁକମା ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳ ତଥା ମାଲକାନଗିରିକୁ ଲାଗିଥିବା ଦୁର୍ଗମ ଅଂଚଳରେ ନକ୍ସଲ ଏକତ୍ରୀତ ହେଉଥିବା ଖବର ମିଳିଛି। ଏଠାରେ ନକ୍ସଲ ସହିଦ ସପ୍ତାହ ପାଳନ କରିବା ପରେ ଆଗକୁ ବଢିବେ।

 

ସମ୍ବନ୍ଧିତ ଖବର