ମାଲକାନଗିରି: ଚଳିତ ମାସ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ମାଲକାନଗିରିର ସୀମାନ୍ତ ଗ୍ରାମଗୁଡିକରେ ଏବେ ନକ୍ସଲଙ୍କ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳିଛି। ଏଥିସହ ଛତିଶଗଡର ବିଭିନ୍ନ ନକ୍ସଲ ପ୍ରବଣ ଜିଲ୍ଲାରେ ମଧ୍ୟ ଏହା ଦେଖିବାକୁ ମିଳିଛି। ସହିଦ ସପ୍ତାହ ବେଳକୁ ନକ୍ସଲ ନିଶ୍ଚିତ ଭାବେ ଛୋଟ ବଡ ଅଘଟଣ ଘଟାଇଥାନ୍ତି। ଏହାକୁ ଆଖିଆଗରେ ରଖି ମାଲକାନଗିରି ପୁଲିସ ଏବଂ ଛତିଶଗଡ ପୁଲିସ ତରଫରୁ ବ୍ୟାପକ ସୁରକ୍ଷାର ବ୍ୟବସ୍ଥା କରାଯାଉଛି। ସୀମାନ୍ତକୁ ସିଲ କରାଯିବା ସହ ନକ୍ସଲଙ୍କ ଗତିବିଧି ଉପରେ ଶକ୍ତ ନଜର ରଖାଯାଉଛି। ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ସୀମାନ୍ତ ଗ୍ରାମଗୁଡିକରେ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ଭୟଭୀତ କରିବା ସହ ବିପୁଳ ସଂଖ୍ୟାରେ ସହିଦ ଦିବସରେ ଭାଗ ନେବାକୁ ଆହ୍ବାନ କରୁଥିବା ଦେଖିବାକୁ ମିଳିଛି।
ପ୍ରକାଶ ଥାଉକି ପୁଲିସ ସହ ନକ୍ସଲର ଗୁଳିବିନିମୟ ସମୟରେ ଯେଉଁ ନକ୍ସଲମାନେ ସହିଦ ହୋଇଥାନ୍ତି ତାଂକ ଉଦେଶ୍ୟରେ ଏହି ସହିଦ ସପ୍ତାହ ପାଳନ କରାଯାଇଥାଏ। ଏହି ସମୟରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି। ନକ୍ସଲ ପ୍ରବଣ ଅଂଚଳରେ ପୁଲିସ ହାଇଆଲର୍ଟ ଜାରି କରିଛି। ଛତିଶଗଡ ପୁଲିସ ତରଫରୁ ମଧ୍ୟ ସୀମାନ୍ତ ଗ୍ରାମ ସହ ନକ୍ସଲ ପ୍ରବଣ ଗ୍ରାମଗୁଡିକରେ କୁମ୍ବିଂକୁ ଜୋରଦାର କରିଛି। କୌଣସି ଅପ୍ରତିକର ଘଟଣାକୁ ଏଡାଇବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି ପୁଲିସ। ସଂଦେହୀ ଲୋକଙ୍କୁ ଧରି ପଚରାଉଚରା କରିବା ସହ ଯାନବାହାନକୁ ମଧ୍ୟ ଯାଞ୍ଚ କରାଯାଉଛି। ମାଲକାନଗିରିରେ ନକ୍ସଲଙ୍କର ଗତିବିଧି କମିଯାଇଥିଲେ ମଧ୍ୟ ନକ୍ସଲ ପ୍ରବଣ ଅଂଚଳରେ ଏବେ ବି ନକ୍ସଲ ସକ୍ରିୟ ରହିଛନ୍ତି। ଚଳିତ ମାସରେ ହେବାକୁ ଥିବା ସହିଦ ସପ୍ତାହକୁ ନିଶ୍ଚିତ ଭାବେ ପାଳନ କରିବେ ବୋଲି କୁହାଯାଇଛି।
ତେବେ ବିଏସଏଫ ତରଫରୁ ମଧ୍ୟ ଜୋରଦାର କମ୍ବିଂ ଆରମ୍ଭ ହୋଇଛି। ସହିଦ ସପ୍ତାହକୁ ଆଖି ଆଗରେ ରଖି ସତର୍କତା ଅବଲମ୍ବନ କରାଯାଉଥିବା ଜଣାପଡିଛି। ପ୍ରତିବର୍ଷ ପୁଲିସକୁ ଚ୍ୟାଲେଞ୍ଜ କରି ନକ୍ସଲ ଏହି ସହିଦ ସପ୍ତାହକୁ ପାଳନ କରିଥାନ୍ତି। ଦୁର୍ଗମ ଅଂଚଳରେ ସହିଦସ୍ତମ୍ଭଗୁଡିକ ନିର୍ମାଣ କରାଯାଇ ଗ୍ରାମବାସୀଙ୍କୁ ସାଧିରେ ନେଇ ଏହି ଦିବସ ପାଳନ କରିଥାନ୍ତି। ନାଚଗୀତ ସହ ସହିଦ ନକ୍ସଲଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରାଯାଇଥାଏ। ଏଥିସହ ନକ୍ସଲ କିପରି ଲୋକଙ୍କୁ ସହଯୋଗ କରୁଛି, ଜଳ, ଜଂଗଲ ଓ ଜମି ପାଇଁ ପୁଲିସ ଓ ସରକାର ସହ ଲଢେଇ କରୁଛି ଗୀତିନାଟ୍ୟ ମାଧ୍ୟମରେ ଲୋକଙ୍କୁ ବୁଝାଇଥାନ୍ତି। ମାଲକାନଗିରି ଜିଲ୍ଲାରେ ପୁଲିସ ଏବଂ ବିଏସଏଫ ଚଳିତ ସହିଦ ସପ୍ତାହରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ପ୍ରସ୍ତୁତ ହୋଇ ରହିଥିବା କୁହାଯାଇଛି। ବିଶେଷକରି ସ୍ବାଭିମାନ ଅଂଚଳରେ ନକ୍ସଲ ଆନ୍ଧ୍ର ସୀମାନ୍ତରେ ଏହି ଦିବସ ପାଳନ କରିପାରନ୍ତି ବୋଲି କୁହାଯାଇଛି। ତେବେ ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ବିଏସଏଫ ଘେରି ରହିଥିବାରୁ ଏହି ଦିବସ କିପରି ନକ୍ସଲ ପାଳନ କରିବେ ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/aeca6bc6-2370-443d-bfb8-2d8e605deb39.jpg)