ଖୋର୍ଦ୍ଧା: ଖୋର୍ଦ୍ଧା ରିଜର୍ଭ ପୁଲିସ ପଡ଼ିଆ ଠାରେ ଆଜି ଖୋର୍ଦ୍ଧା ଗ୍ରାମାଞ୍ଚଳ ପୁଲିସ ଜିଲ୍ଳା ପକ୍ଷରୁ ୬୩ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଆଜି ସକାଳ ୮ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଗ୍ରାମାଞ୍ଚଳ ଏସପି ସିଦ୍ଧାର୍ଥ କଟ୍ଟାରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୁଲିସ ସହିଦ ମୂର୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ପରେଡ ଅଭିଭାଦନ ଗ୍ରହଣ କରିଥିଲେ। ଏସପି ଶ୍ରୀ କଟ୍ଟାରିଆ ନିଜ ବକ୍ତବ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ବାର୍ତ୍ତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ, ଏସଡ଼ିପିଓ ଖୋର୍ଦ୍ଧା ଦିଲ୍ଲୀପ କୁମାର ଦାସ, ଏସଡ଼ିପିଓ ବାଲୁଗାଁ ମାନସ ରଞ୍ଜନ ବାରିକ, ଡିଏସପି ଡିଆଇବି ଅତନୁ କୁମାର ରାଉତ, ଡିଏସପି ମୁଖ୍ୟାଳୟ ସୁଜିତ ପଣ୍ଡା, ଡିଏସପି ନିରୂପମା ମଲ୍ଲିକ, ଖୋର୍ଦ୍ଧା ଥାନା ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ, ସଦର ଥାନା ଭାରପ୍ରାପ୍ତ ଅଧିକାରୀ ବିଦିତା ନାୟକଙ୍କ ସମେତ ଜଙ୍କିଆ, ଟାଙ୍ଗୀ ଥାନାର ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ୧୯୫୮ ଅକ୍ଟୋବର ୨୧ ତାରିଖରେ ଚିନ ସେନାର ଅତର୍କିତ ଆକ୍ରମଣରେ ଭାରତକୁ ସୁରକ୍ଷା ଦେବାକୁ ଯାଇ ଭାରତର ଅନେକ ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ। ୧୯୫୯ରେ ସର୍ବଭାରତୀୟ ପୁଲିସ ସମ୍ମିଳନୀରେ ଏହି ଦିବସକୁ ପୁଲିସ ସହିଦ ସ୍ମୃତି ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଏହି ଦିବସରେ ଦେଶର ସୀମା ଓ ଦେଶ ଆଭ୍ୟନ୍ତରରେ ଶାନ୍ତିଶୃଙ୍ଖଳା ଓ ଉପଦ୍ରବକାରୀଙ୍କୁ ଜନତାଙ୍କୁ ସୁରକ୍ଷା ଦେଇ ବୀରଗତି ପ୍ରାପ୍ତ ହୋଇଥିବା ଯବାନଙ୍କ ଉଦେ୍ଦଶ୍ୟରେ ସହିଦ ସ୍ମୃତି ଦିବସ ପାଳନ କରାଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/63-Police-Saheed-Divas-Khordha.jpg)