ରାଜଘାଟ ସମ୍ବାଦ-ସାହିତ୍ୟଘରର ବାର୍ଷିକ ସମ୍ମିଳନୀ

ବାଲେଶ୍ବର: ‘ସମ୍ବାଦ’ ସାହିତ୍ୟଘର ସୃଷ୍ଟି ପଛରେ ଏକ ସୁନ୍ଦର ପରିକଳ୍ପନା ତଥା ମହତ୍‌ ଉଦ୍ଦେଶ୍ୟ ରହିଛି। ସାହିତ୍ୟ ପ୍ରତି ଶ୍ରଦ୍ଧା ଓ ଆସ୍ଥା ନ ରହିଲେ କାଳଜୟୀ ସାହିତ୍ୟ ରଚନା ଅସମ୍ଭବ। ତେଣୁ ‘ସମ୍ବାଦ’ ସାହିତ୍ୟଘର ସମଗ୍ର ଓଡ଼ିଆ ଜାତି ପାଇଁ ଚିନ୍ତା ଓ ଚେତନାର ଉତ୍ସ ପାଲଟିଛି। ଆମ ଉପରେ କାନ୍ଥ, ଛାତ କି ଛପର ନଥାଇ ମଧ୍ୟ ଲେଖକ, ସାହିତ୍ୟିକ ଓ କବିମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାକୁ ନେଇ ଏହି ଅନୁଷ୍ଠାନ ଗଢ଼ି ଉଠିଛି। ଓଡ଼ିଆ ସାହିତ୍ୟ ତଥା ଭାଷାର ସୁରକ୍ଷା ପାଇଁ ଏହି ଅନୁଷ୍ଠାନ ଯେଉଁ ପ୍ରୟାସ ଜାରି ରଖିଛି, ତାହା ଆହୁରି ବ୍ୟାପକ ହେବା ଦରକାର। ତେଣୁ ମାତୃଭାଷା ପାଇଁ ସମସ୍ତଙ୍କୁ ଉତ୍ତରଦାୟୀ ହେବାକୁ ଆଜି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁରା ପଞ୍ଚାୟତର ବେଣାପୁରାସ୍ଥିତ କଲ୍ୟାଣ ମଣ୍ଡପରେ ‘ସମ୍ବାଦ’ ସାହିତ୍ୟଘର, ରାଜଘାଟ ଶାଖାର ଷଷ୍ଠ ବାର୍ଷିକ ସମ୍ମିଳନୀରେ ଯୋଗଦେଇଥିବା ଅତିଥିମାନେ ଏହି ଆହ୍ବାନ ଦେଇଥିଲେ। ସାହିତ୍ୟଘରର ରାଜଘାଟ ଶାଖା ସଭାପତି ସୁଶାନ୍ତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ରାଜ୍ୟ ସଂଯୋଜିକା ତଥା ସୁଲେଖିକା ଡଃ. ଶୁଭଶ୍ରୀ ଲେଙ୍କା, ମୁଖ୍ୟବକ୍ତା ଭାବେ ସର୍ବଭାରତୀୟ ଶିକ୍ଷକ ସଙ୍ଗଠନ ତଥା ଓଷ୍ଟାର ପ୍ରାକ୍ତନ ସଭାପତି ଇନ୍ଦୁମାଧବ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରତିଭାଶ୍ରୀ ସାହିତ୍ୟ ସଂସଦର ମୁଖ୍ୟ କବି ପ୍ରଶାନ୍ତ ଦାସ, ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର ସଂପାଦନା ବିଭାଗ ମୁଖ୍ୟ ସୁଦାମବନ୍ଧୁ ଭଟ୍ଟମିଶ୍ର ଉପସ୍ଥିତ ରହି ‘ସମ୍ବାଦ’ ସାହିତ୍ୟଘର ଓଡ଼ିଆ ସାହିତ୍ୟ ତଥା ସମାଜର ବିକାଶ ଦିଗରେ କାର୍ଯ୍ୟ କରିବା ସହ ଏକ ଦାୟିତ୍ବଶୀଳ ଅନୁଷ୍ଠାନ ଭାବରେ ପରିବେଶ ସୁରକ୍ଷାକୁ କିପରି ଗୁରୁତ୍ବ ଦେଇଆସୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ମୟୂରଭଞ୍ଜ କଲ୍‌ଚରାଲ ସୋସାଇଟି ବନ୍ଧମୁଣ୍ଡି ଏବଂ ସନ୍ତୋଷପୁର ସ୍ୱରସ୍ବତୀ ଶିଶୁ ବିଦ୍ୟାମନ୍ଦିରର କୁନିକୁନି କଳାକାରମାନେ ସ୍ବାଗତ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ପୂର୍ବତନ ଶିକ୍ଷକ ତଥା ସମାଜସେବୀ ରମେଶ ଚନ୍ଦ୍ର ନାୟକ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସାହିତ୍ୟଘର ସଦସ୍ୟ ସର୍ବେଶ୍ବର ଆଚାର୍ଯ୍ୟ ବେଦପାଠ କରିଥିଲେ। ସହ ସମ୍ପାଦକ ବରେନ୍ଦ୍ର କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।

Sambad

ସାହିତ୍ୟଘର ରାଜଘାଟ ଶାଖାର ଆବାହକ ବଂଶୀଧର ସାହୁ ଏବଂ ସଂପାଦକ ପ୍ରଶାନ୍ତ କୁମାର କୁଣ୍ଡୁ କାର୍ଯ୍ୟକ୍ରମ ପରିଚାଳନାରେ ନେତୃତ୍ବ ନେଇଥିଲେ। ଶେଷରେ ଅକ୍ଷୟ ମିଶ୍ର ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ‘ସମ୍ବାଦ’ ସାହିତ୍ୟଘର ରାଜଘାଟ ଶାଖା ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଦୁଇ ପୂର୍ବତନ ଶିକ୍ଷକ ଖଗେନ୍ଦ୍ରନାଥ ସାହୁଙ୍କୁ ‘ଶିକ୍ଷକ ଗୌରବ’ ଏବଂ କବି ବିକର୍ତ୍ତନ କବିଙ୍କୁ ‘ପଲ୍ଲୀ ପ୍ରତିଭା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସାହିତ୍ୟଘର ସଦସ୍ୟ ପ୍ରଶାନ୍ତ କୁମାର ପ୍ରଧାନ, ଅମରନାଥ ମହାପାତ୍ର, ରତ୍ନାକର ଗିରି, ଜଗନ୍ନାଥ ସାହୁ, ମନ୍ମଥ ସାହୁ, ରାଧାକୃଷ୍ଣ ମାଝୀ, ବଂଶୀଧର ବେହେରା, ମାନସ ଉପାଧ୍ୟାୟ, ସର୍ବେଶ୍ବର ପତି, ଉଦୟ ନାରାୟଣ ପ୍ରଧାନ, ସନ୍ୟାସୀ ପ୍ରଧାନ, ପ୍ରତାପ ଚନ୍ଦ୍ର ଗିରି, ଦେବେନ୍ଦ୍ର ପାଳ, ପ୍ରଶାନ୍ତ ପରିଡ଼ା, ରବୀନ୍ଦ୍ର ବେହେରା, ବେଣାପୁରା ସ୍ବୟଂସହାୟକ ଗୋଷ୍ଠୀର ସଭାନେତ୍ରୀ କୁନ୍ତଳା ବେହେରା, ସୌଦାମିନୀ ମାଝୀ, ରାଜଶ୍ରୀ ଜେନା, ଉର୍ମିଳା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାହିତ୍ୟଘରର ସହଯୋଗୀ ଶତ୍ରୁଘ୍ନ ସାହୁ, ‘ସମ୍ବାଦ’ର ବାଲେଶ୍ବର ଜିଲ୍ଲା ପ୍ରତିନିଧି ମ‌େନାଜ କୁମାର ରାଉଳ, ‘ସମ୍ବାଦ’ ପ୍ରତିନିଧି ସତ୍ୟବ୍ରତ ପ୍ରଧାନ, ଜଳେଶ୍ବର ସାହିତ୍ୟଘର ପ୍ରତିନିଧି ଅଜିତ ମହାନ୍ତି ଓ ‘ସମ୍ବାଦ’ ବସ୍ତା ପ୍ରତିନିଧି ରବିନାରାୟଣ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର