ଖୋର୍ଦ୍ଧା: ୧୦-୨୦ ବର୍ଷ ପୂର୍ବେ ଆମେ ଆମ ଚାରିପଟରେ ଯେଉଁଭଳି ପରିବେଶ, ବୃକ୍ଷଲତାର ପ୍ରାଚୁର୍ଯ୍ୟ ଦେଖୁଥିଲୁ। ଏବେ ଆଉ ତାହା ନାହିଁ। ରାସ୍ତାକଡ଼ରୁ, ଜନବସତି ମଧ୍ୟରୁ ସବୁ ବଡ଼ ଗଛ କଟା ହୋଇ ସାରିଲାଣି। ବର୍ଷା ଆଉ ଆଗଭଳି ହେଉନାହିଁ। ଘରଚଟିଆ, ବାଇଚଢ଼େଇ, ସାଧବବୋହୂ ଭଳି ଅନେକ ପଶୁପକ୍ଷୀ-କୀଟପତଙ୍ଗ ଆଉ ଦେଖିବାକୁ ମିଳୁ ନାହାନ୍ତି। ଏବେ ଆମର ପରିବେଶ ପାଇଁ ଚେତିବା ସମୟ ଆସିଛି। ନିଜ ଶରୀରକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ଯେଉଁଭଳି ପ୍ରଚେଷ୍ଟା କରୁଛୁ ସେଭଳି ନିଜର ପରିବେଶର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ବେଳ ଆସିଛି ବୋଲି ଆଜି ଶୁକକ୍ରବାର ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟ ଘର ପକ୍ଷରୁ ଅନୁଷ୍ଠିତ ଆଲୋଚନାଚକ୍ରରେ ବକ୍ତାମାନେ ମତ ଦେଇଛନ୍ତି। ଆଜି ଶୁକକ୍ରବାର ଅପରାହ୍ନରେ ‘ସମ୍ବାଦ’ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟର ଘରର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ଜଣାଶୁଣା ଲେଖକ ଓ ପରିବେଶବିଦ୍ ରାଜକିଶୋର ପାଣିଗ୍ରାହୀ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ। ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ସମ୍ପର୍କିତ ଆଲୋଚନାରେ ଶ୍ରୀ ପାଣିଗ୍ରାହୀ, ଶ୍ରୀବଳିଆରସିଂହ, ଡଃ. ବୃନ୍ଦାବନ ପଣ୍ଡା, ସମରଜିତ ପଟ୍ଟନାୟକ, ବିଜୟ ଚନ୍ଦ୍ର ମହାପାତ୍ର, ଭୀମସେନ ପ୍ରଧାନ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହରଣା ପ୍ରମୁଖ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ପାଇଁ ସାହିତ୍ୟ ଠାରୁ ସରକାରୀ ନୀତିନିୟମ ଓ ଦୈନିନ୍ଦିନ ଜୀବନରେ ପଦକ୍ଷେପ ନେବାକୁ ପଡ଼ିବ ବୋଲି ମତ ଦେଇଥିଲେ।

Advertisment

ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘର ସମ୍ପାଦକ ଶ୍ରୀ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠରେ ଦିବ୍ୟଲୋଚନ ଭାରିମଲ୍ଲ, କୈଳାସଚନ୍ଦ୍ର ପୃଷ୍ଟି, ଡଃ. ବୃନ୍ଦାବନ ପଣ୍ଡା, ନାରାୟଣ ଦାସ, ଡଃ. ଚପଳା ପଣ୍ଡା, ବିଳାସିନୀ ଦାଶ, ଜ୍ୟୋତିପ୍ରଭା ପଟ୍ଟନାୟକ, ଡଃ. ନୀଳାଦ୍ରିନାଥ ଜଗଦେ୍ଦବ, ପ୍ରଫୁଲ୍ଲ କୁମାର ଦାଶ, ଇତିଶ୍ରୀ ସାହୁ, ସୁବାସିନୀ ପଟ୍ଟନାୟକ, ଜ୍ୟୋତ୍ସ୍ନାରାଣୀ ମହାରଣା, ବିକ୍ରମ କେଶରୀ ଚମ୍ପତ୍ତି, ଦୟାନିଧି ସାହୁ, ବଂଶିଧର ଦାସ, ସଦାଶିବ ବେହେରା, ବିନତୀ ମିଶ୍ର, ଡଃ. ଶରତ କୁମାର ଚଉଁରୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଧର ଲେଙ୍କା, ଜ୍ୟୋତିରଂଜନ ସାହୁ ସହଯୋଗ କରିଥିବା ବେଳେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ।