ବାରିପଦା: ଜିଲ୍ଲାର ଅଗ୍ରଣୀ ଭାଷା ଓ ସାହିତ୍ୟ ଅନୁଷ୍ଠାନ ମୟୂରଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଶାରଦୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଝାଡ଼ଖଣ୍ଡ ରାଜ୍ୟରେ ସଙ୍କଟରେ ପଡିଥିବା ଓଡ଼ିଆ ଭାଷା ସଂପର୍କରେ ଆଲୋଚନା ହୋଇ ଏହାର ସୁରକ୍ଷା ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବରିଷ୍ଠ ଚିକିତ୍ସକ ତଥା ସମାଜସେବୀ କୈଳାଶ ଚନ୍ଦ୍ର ମହାନ୍ତି ଏହି ଘଟଣା ସଂପର୍କରେ ଚିନ୍ତା ପ୍ରକଟ କରିବା ସଙ୍ଗେସଙ୍ଗେ ରାଜନୈତିକ ଇଚ୍ଛାଶକ୍ତି ନଥିଲେ ସମସ୍ୟା ସମାଧାନ ସମ୍ଭବ ନୁହେଁ ବୋଲି ମତପ୍ରକାଶ କରିଥିଲେ।
ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଓଡ଼ିଆ ଜାଗରଣ ମଞ୍ଚର ସଂପାଦକ ଶରତ ଚନ୍ଦ୍ର ନାୟକ ଏବଂ ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକା ବିଜୟଲକ୍ଷ୍ମୀ ମହାନ୍ତି ଯୋଗଦେଇ ମୟୂରଭଞ୍ଜ ମାଟିରୁ ପ୍ରତିବାଦର ସ୍ଵର ଦିଲ୍ଲୀ ପର୍ଯ୍ୟନ୍ତ ଶୁଭାଯିବା ଜରୁରୀ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ସଂପାଦକ ମନୋଜ ଦଳବେହେରାଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନା ସଂପାନରେ କମଳାକାନ୍ତ ପ୍ରହରାଜ, ଅମିତାଭ ମିଶ୍ର, ନିରଜ ଲୋଚନ ପଣ୍ଡା, ଭାଗବତ ପଣ୍ଡା, ବିଚିତ୍ର ନାଥ ସାହୁ, ଅଜୟ ପାଳ ପ୍ରମୁଖ ଆଲୋଚନା କରିଥିଲେ।
ପ୍ରାରମ୍ଭରେ ପରିଷଦର କୋଷାଧ୍ୟକ୍ଷ ସମରେନ୍ଦ୍ର ବଶା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ପରେ ନିକଟରେ ଇହଲୀଳା ସମ୍ଵରଣ କରିଥିବା ମୟୂରଭଞ୍ଜର ବିଶିଷ୍ଟ ଭାଷା ସାହିତ୍ୟ ଗବେଷକ ମୋହଲଲାଲ ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କବୟିତ୍ରୀ ପାର୍ବତୀ ବାରିକ ଏବଂ କବି ଶିଉଲାଲ୍ ମହାନ୍ତଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ପୁଷ୍ପା ପାତ୍ର, ସ୍ନେହାଶିଷ ମହାନ୍ତି, ନିରୁପମା ମହାନ୍ତି, ଜୟନ୍ତ କୁମାର ଦ୍ଵାରୀ, ନରସିଂହ ବାରିକ, ସଞ୍ଜୀବ ପାଣିଗ୍ରାହୀ, ଭଗବତୀ ଦାଶ, ବାସନ୍ତୀ ଲତା ମହାପାତ୍ର, ମିନତୀ ଦାଶ, ଗୋପାଳ ଚନ୍ଦ୍ର ସାଓ, ଅଜିତ କୁମାର କବାଟ, କବିତା ନନ୍ଦ, ସ୍ନେହଲତା ବେହେରା ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ। ପରିଷଦର ଉପସଭାପତି କାବେରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/IMG-20211003-WA0012.jpg)