ପୁଣି ଚର୍ଚ୍ଚାକୁ ଆସିଲେ ଇସାକ୍ ମୁଣ୍ଡା

ସୁନ୍ଦରଗଡ଼: ୟୁଟ୍ୟୁବରେ ଭିଡିଓ କରି ଚର୍ଚ୍ଚାରେ ଥିବା ଇସାକ୍ ମୁଣ୍ଡା ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଥମେ ସେ ୟୁଟ୍ୟୁବରେ ନିଜେ ଖାଉଥିବା ଖାଦ୍ୟକୁ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ ଆଉ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥିଲେ । ହେଲେ ଏବେ ନିଜ ଗାଁ ରାସ୍ତାକୁ ମରାମତି କରିବାକୁ ପ୍ରସ୍ତୁତ ହେଉଛନ୍ତି ଇସାକ୍ । ୟୁଟ୍ୟୁବରୁ ମିଳୁଥିବା ଟଙ୍କାରେ ନିଜ ଗାଁ ରାସ୍ତା ମରାମତି କରିବେ ବୋଲି ନିକଟରେ କହିଛନ୍ତି ୟୁଟ୍ୟୁବର ଇସାକ୍ ମୁଣ୍ଡା ।

ଜଙ୍ଗଲ ପାହାଡ ଘେରା ମଧ୍ୟରେ ଥିବା ବାବୁପାଲି ଗାଁର କଚ୍ଚା ରାସ୍ତାର ମରାମତି ହେବ । ୟୁଟ୍ୟୁବ ପଇସାରେ ହେବ ମରାମତି । ଆଦିବାସୀ ଶୈଳୀର ଭିଡିଓ ବନାଇ ପ୍ରଧାନମନ୍ତ୍ରୀଙ୍କ ମନକି ବାତରେ ସ୍ଥାନ ପାଇଥିବା ୟୁ ଟ୍ୟୁବର ଇସାକ ମୁଣ୍ଡା ନିଜ ଗାଁ ରାସ୍ତା ମରାମତି କରିବେ । ରାସ୍ତା ଅଧାବାଟ କଂକ୍ରିଟ ହୋଇଥିବା ବେଳେ ଅଧାବାଟ ମାଟି ରହିଛି । ବର୍ଷା ଦିନେ ଯିବା ଆସିବା କରିବା କଷ୍ଟକର ହେଉଛି । ଏବେ ସେହି ମାଟିରାସ୍ତାକୁ ମରାମତି କରିବାକୁ ଅଣ୍ଟା ଭିଡିଛନ୍ତି ଇସାକ ମୁଣ୍ଡା ।

ନିଜ ଖର୍ଚ୍ଚରେ ରାସ୍ତାରେ ଥିବା ବଡ ବଡ ଗାତକୁ ପୋତିବେ ଇସାକ ମୁଣ୍ଡା । ମାଟି ରାସ୍ତାରେ ପଥର ଗୁଣ୍ଡ ପକାଇ ଖାଲ ଖମା ଭର୍ତ୍ତି କରାଯିବ । ହେଲେ ଏହାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପକ୍କା ରାସ୍ତା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଆଦିବାସୀ ୟୁ-ଟ୍ୟୁବର ଇସାକ ମୁଣ୍ଡା । ତେବେ ଆଦିବାସୀ ସଂସ୍କୃତି, ପରମ୍ପରା, ରହଣୀ ସହଣି ପ୍ରତି ଦୁର୍ବଳତା ରଖୁଥିବା ଇସାକଙ୍କ ଏହି କାର୍ଯ୍ୟଶୈଳୀକୁ ଦେଖି ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ସମ୍ବନ୍ଧିତ ଖବର