ଆସିଲା ବର୍ଷା ଦିନ: ସାଳନ୍ଦୀ ନଦୀରେ ନିର୍ମାଣ ହୋଇପାରିଲା ନାହିଁ ବିଜୁ ସେତୁ

ଭଦ୍ରକ: ବର୍ଷା ଦିନ ଆସିସାରିଛି। ନଦୀକୂଳିଆ ଗାଁ ଓ ସହରବାସୀଙ୍କ ପାଇଁ ପୁଣି ଭୟମାଡ଼ି ଆସିଛି। ବର୍ଷା ଦିନ ପୂର୍ବରୁ ଜିଲ୍ଲାରେ ଯେଉଁସବୁ ସେତୁ ନିର୍ମାଣ କାମ ଶେଷ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇ କାମ ଆରମ୍ଭ ହୋଇଥିଲା, ସେସବୁ କାର୍ଯ୍ୟ ଅଧାପନ୍ତିରିଆ ହୋଇ ରହିଗଲା। ଭଦ୍ରକ ଜିଲ୍ଲା ମନ୍ତେଈ ନଦୀର ବାଂଶଡା ଘାଟର ସେତୁ ନିର୍ମାଣ ଅଧା ହୋଇ ରହିଯାଇଥିବା ବେଳେ ବୈତରଣୀ ଓ ସାଳନ୍ଦୀ ନଦୀର ସଂଗମସ୍ଥଳ ଆରଡିର ତିନିତର ଘାଟରେ ସେତୁ ନିର୍ମାଣ ଆରମ୍ଭ ହୋଇପାରିଲା ନାହିଁ।

ସେହିପରି ବନ୍ତ ବ୍ଲକର ସାଳନ୍ଦୀ ନଦୀର ଆଗରପଡା ନିକଟବର୍ତ୍ତୀ ଟିକିରା- ଶ୍ରୀରାମପୁର ବିଜୁ ସେତୁ ନିର୍ମାଣ ହୋଇପାରିଲା ନାହିଁ। ଏହି ନଦୀ ଦେଇ ଅତି ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ। ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ବିଜୁ ସେତୁ କାର୍ଯ୍ୟ ଶେଷ ନହେବା ପରିତାପର ବିଷୟ ହୋଇଛି। ଏଇ ସେତୁ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୨୧ ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁର କରାଯାଇଥିଲା। ଏହାର ଲମ୍ବ ୬୦.୧୫ ମିଟର ଓ ଓସାର ୮.୩୮ ମିଟର ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଡିଜାଇନ୍‌ ଦିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହାର ଟେଣ୍ଡର ପ୍ରକ୍ରିୟାା ଶେଷ ହେବା ପରେ ଗତ ୨୦୧୬ ମସିହା ଫେବ୍ରୁଆରି ମାସରେ ନିର୍ମାଣ କାମ ଆରମ୍ଭ କରାଯାଇଥିଲା।

ଏଇ ସେତୁ ନିର୍ମାଣ କାମ ୨୦୧୭ ମସିହା ଅକ୍ଟୋବର ମାସରେ ଶେଷ ହେବ ବୋଲି ସମୟ ନିର୍ଘଣ୍ଟ କରାଯାଇଥିଲା। ସେତୁ ନିର୍ମାଣ ହେବାକୁ ଏହା ଭିତରେ ୪ ବର୍ଷ ପୂରି ୫ ବର୍ଷ ଚାଲିଲାଣି। ମାତ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁ ନାହିଁଯ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଶ୍ରୀରାମପୁର, ସାହୁପଡା, ଗୋପିନାଥପୁର, ମାର୍କଣ୍ଡପୁର ଗ୍ରାମର ଲୋକମାନେ ସେତୁ ନିର୍ମାଣ ହୋଇ ନଥିବାରୁ ଯିବା ଆସିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଇ ବିଜୁ ସେତୁ ନିର୍ମାଣ ଶେଷ ହୋଇ ନପାରିବାରୁ କାଣ୍ଡବା ସେତୁ ଦେଇ ଲୋକେ ଯାତାୟତ କରୁଛନ୍ତି। ଏଥିପାଇଁ ଲୋକଙ୍କୁ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡୁଛି।

ଅନେକ ଲୋକ ମଧ୍ୟ ବିପଦସଂକୁଳ ପରିସ୍ଥିତିରେ ନଦୀ ଉପରେ ଅସ୍ଥାୟୀ ଭାବେ ବାଉଁଶ ଚାରରେ ଯାତାୟତ କରୁଛନ୍ତି। ଲୋକମାନେ ଅସୁବିଧାରେ ଯିବା ଆସିବା କରୁଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ଦିଗରେ ନିଜର ଆନ୍ତରିକତା ପ୍ରକାଶ କରୁନାହାନ୍ତି। ସେତୁ ନିର୍ମାଣର ଅହେତୁକ ବିଳମ୍ବ କରିବା ପଛରେ ଠିକାଦାର ଓ ଯନ୍ତ୍ରୀଙ୍କର ମନ ମାନିରେ ଚାଲିଛି ସେତୁ କାମ। ଭଦ୍ରକ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କରାଯାଉଥିବା ଅନେକ ସେତୁ କାର୍ଯ୍ୟ ଏଭଳି ଅଧାପନ୍ତିରିଆ ହୋଇ ପଡି ରହିଥିବାରୁ ଏହାକୁ ନେଇ ସାରା ଜିଲ୍ଲାରେ ପ୍ରତିବାଦର ସ୍ୱର ଉଠିଛି। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର