ଅଭିଯୁକ୍ତ ସରପଞ୍ଚଙ୍କ ସରକାରୀ ଜମି ଜବରଦଖଲ ଘଟଣା: ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ତଦନ୍ତ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା।ମଦନପୁର ରାମପୁର ବ୍ଲକର ସାଲେପାଲି ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନା ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣାରେ ଜେଲ ଯାଇଛନ୍ତି । ତାଙ୍କ ପରିବାର ପକ୍ଷରୁ ସରକାରୀ ଜମିକୁ ଜବରଦଖଲ କରି ଚାଷ କରୁଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା । ଏହି ଖବରକୁ ଆଧାର କରି ମଦନପୁର ରାମପୁର ରାଜସ୍ୱ ନିରୀକ୍ଷକ ଜବରଦଖଲ ଘଟଣାର ଆଜି ତଦନ୍ତ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନାରେ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣାରେ ଜେଲ ଯାଇଛନ୍ତି । ତାଙ୍କ ପରିବାର ବିରୋଧରେ ସରକାରୀ ଜମି ଜବରଦଖଲ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ମଦନପୁର ରାମପୁର ତହସିଲଦାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ମଦନପୁର ରାମପୁର ରାଜସ୍ୱ ନିରୀକ୍ଷକ ତପୋବନ ବାରିକଙ୍କ ନେତୃତ୍ୱରେ ଏକ ଟିମ କଛାରପାଲି ଗ୍ରାମ ଯାଇ ଜବରଦଖଲ ତଦନ୍ତ ଆରମ୍ଭ କରିଛନ୍ତି । ଜବରଦଖଲ କରିଥିବା କିଛିଲୋକ ତଦନ୍ତ ବେଳେ ହୋହାଲ୍ଲା କରିଥିବା ଜଣାପଡ଼ିଛି । ପ୍ରାଥମିକ ତଦନ୍ତ ସାରି ଟିମ ଫେରି ଆସିଥିଲେ ।

ଏ ନେଇ ମଦନପୁର ରାମପୁର ତହସିଲଦାରଙ୍କୁ ପଚାରିବାରୁ ଆମର ଏକ ଟିମ ଗାଁକୁ ଯାଇ ଜବରଦଖଲର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ରିପୋର୍ଟ ପ୍ରଦାନ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଅଭିଯୁକ୍ତ ସରପଞ୍ଚଙ୍କ ସାନ ଭାଇ ଋଷିନାଥ ସାହୁ ପୀଡିତାଙ୍କୁ ଆକ୍ରମଣ ଘଟଣାରେ ଜେଲ ଯାଇଛନ୍ତି । ସେ ଯୋଗାଣ ସହାୟକ ଥିବା ଯୋଗୁଁ ତାଙ୍କୁ ସାମୟିକ ଅବ୍ୟାହତି ଦିଆଯାଇ ପଣ୍ଡକାମାଲ ଯୋଗାଣ ସହାୟକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ପୀଡିତାଙ୍କୁ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ଅଭିଯୁକ୍ତ ଜେଲ ଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ବହୁ ଆସାମୀ ଫେରାର ଥିବା ପୁଲିସ କହିଛି ।

ସମ୍ବନ୍ଧିତ ଖବର