ଖୋର୍ଦ୍ଧା: ଖୋର୍ଦ୍ଧା-ଗଂଜାମ ସୀମାନ୍ତରେ ଥିବା ଶାଳିଆ ଡ୍ୟାମକୁ ୬୦ ବର୍ଷ ହେଲାଣି । ଯଦିଓ ଗତ ୯ ବର୍ଷ ମଧ୍ୟରେ ଶାଳିଆ ଡ୍ୟାମରେ ଜଳପତ୍ତନ ବୃଦ୍ଧି ପାଇ ବଡ଼ ଧରଣର ବନ୍ୟା ଆସିନାହିଁ । କିନ୍ତୁ ବର୍ତମାନ ଶାଳିଆ ଡ୍ୟାମରେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଡ୍ୟାମରେ ଉପରମୁଣ୍ଡରେ ଜଙ୍ଗଲ କ୍ଷୟ ଓ ସ୍ଥାନୀୟ ଲୋକଙ୍କ ଅସାବଧାନତାରୁ ଏହି ସମସ୍ୟା ଆହୁରି ବୃଦ୍ଧି ପାଇଛି ।
ନିକଟରେ ଭୁବନେଶ୍ୱର କେନ୍ଦ୍ରୀୟ ଜଳସେଚନ ସର୍କଲ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶାଳିଆ ଡ୍ୟାମର ୧୪ଟି ମାଇନର ଓ ସବ୍-ମାଇନରର କାନ୍ଥର ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଅନୁରୋଧ କରିଛନ୍ତି । ଉକ୍ତ ମାଇନର ଓ ସବ୍ମାଇନର କେନାଲ୍ ଗୁଡ଼ିକ ହେଲା ଅଶ୍ୱିନୀ ମାଇନର, ଅଙ୍କୁଲା ମାଇନର, ମଙ୍ଗଳପୁର ମାଇନର-୨, ପୁଂଜିଆମା ମାଇନର, ସୌରାପଲ୍ଲୀ ମାଇନର, ବାଲିଢିହି ମାଇନର, ଭେଟେଶ୍ୱର ସବ୍ ମାଇନର, ବଂଲୋଇ ମାଇନର, ଅଙ୍କୁଲା ମାଇନର-୨, ଚଷଙ୍ଗର ମାଇନର, ବୀରକେଶରପୁର ମାଇନର, ତାଳେଶ୍ୱର ମାଇନର, ଲକ୍ଷ୍ମୀ ପ୍ରସାଦ ମାଇନର, ତୋଟାପଡ଼ା ସବ୍ ମାଇନର, ଭେଟେଶ୍ୱର ମାଇନର ।
୨୦୧୯ରେ ଜଳସେଚନ ବିଭାଗର ଏକ ଟିମ୍ ଶାଳିଆ ଡ୍ୟାମରେ ପୁଂଖାନୁପୁଂଖ ସୁରକ୍ଷା ଯାଂଚ କରି ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ । ଏଥିରେ ଡ୍ୟାମରେ ମାଟି ଜମା ହୋଇ ଡ୍ୟାମ ଉଚ୍ଚତା ଠାରୁ ଅଧିକ ଜଳ ରହିବା, ଡ୍ୟାମରେ ସ୍ପିଲ୍ୱେ ଓ ପାଇପ୍ ଆଦିରେ ଫାଟ ହେବା, ସ୍ଥାନୀୟ ଲୋକଙ୍କ ଅବାଧ ପ୍ରବେଶ ଓ ଗାଈଗୋରୁଙ୍କ ଚରାବୁଲା ଯୋଗୁଁ କେନାଲରେ ଅନେକ ସ୍ଥାନରେ ବନ୍ଧ ଦୁର୍ବଳ ହେବା ଆଦି ୧୧ଟି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ମରାମତି ପାଇଁ ପରାମର୍ଶ ଦେଇଥିଲେ । ପରାମର୍ଶ ଅନୁସାରେ ଡ୍ୟାମର କେତେକ ମରାମତି କାର୍ଯ୍ୟ କରାଯାଇଥିଲେ ମଧ୍ୟ ମୁଖ୍ୟ ମାଟି ବନ୍ଧ ଓ କେନାଲର ବନ୍ଧଗୁଡ଼ିକର ଆବଶ୍ୟକ ମରାମତି ହୋଇପାରିନାହିଁ । ଏହା ସହ ଉପରମୁଣ୍ଡରେ କ୍ରମାଗତ ଭାବେ ଜଙ୍ଗଲ କ୍ଷୟ ଯୋଗୁଁ ଡ୍ୟାମ୍ ପ୍ରତି ବିପଦ ବଢ଼ିବାରେ ଲାଗିଛି ।
ଜଳ ସେଚନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟାନୁସାରେ, ଡ୍ୟାମ୍ ନିର୍ମାଣ ହେବା ଦିନ ଠାରୁ ବର୍ତମାନ ସୁଦ୍ଧା ୫ ଥର - ୧୯୯୦, ୧୯୯୫, ୨୦୦୩, ୨୦୦୯ ଓ ୨୦୧୩ ମସିହାରେ ବନ୍ୟା ହୋଇ ଆଖପାଖର ଶତାଧିକ ଏକର ଚାଷଜମି ନଷ୍ଟ ହୋଇଯାଇଥିଲେ । ଯଦିଓ ଗତ ୯ ବର୍ଷ ମଧ୍ୟରେ ବଡ଼ଧରଣର ବନ୍ୟା ହୋଇନାହିଁ, କିନ୍ତୁ ବର୍ତମାନ ଶାଳିଆ ଡ୍ୟାମ୍ ନେଇ ଅଧିକ ବଜେଟର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ସମସ୍ୟା ବୃଦ୍ଧି ପାଇବ ବୋଲି ଜଳସେଚନ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଖୋର୍ଦ୍ଧା-ଗଂଜାମ ସୀମାନ୍ତରେ ବାଣପୁର ଠାରେ ଥିବା ଶାଳିଆ ଡ୍ୟାମ୍ ୧୯୬୨ରେ ନିର୍ମାଣ ଆରମ୍ଭ ହୋଇ ୧୯୭୨ରେ କାର୍ଯ୍ୟକ୍ଷମ ହୋଇଥିଲା । ୪୨୩.୬୭ ମିଟର ଦୀର୍ଘ ଏହି ଡ୍ୟାମର ଉଚ୍ଚତା ୩୨.୯୧ ମିଟର । ୧୯.୭୫୧ କିଲୋମିଟର ଲମ୍ବା ବାଣପୁର କେନାଲ୍ ବ୍ୟବସ୍ଥା ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ୬୮୧୫ ହେକ୍ଟର ଓ ୨୩.୧୧୦ କିଲୋମିଟର ଦୀର୍ଘ ସୁମଣ୍ଡଳ କେନାଲ୍ ବ୍ୟବସ୍ଥା ଦ୍ୱାରା ଗଂଜାମ ଜିଲ୍ଲାର ୨୮୦୦ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦିଆଯାଉଛି । ଏହାର ମୋଟ ହାରାହାରି କ୍ଷମତା ୬୦ ମେଗାମିଟର ।