କଟକ: ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି। ୧୫ଟି ଜୋନ ପାଇଁ ହେବାକୁ ଥିବା ନିର୍ଦ୍ଦେଶକ ନିର୍ବାଚନରେ ୧୦ଟି ଆସନରେ ନିର୍ଦ୍ଦେଶକମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବାକି ୫ଟି ଆସନ ପାଇଁ ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଉକ୍ତ ୧୦ଟି ଆସନରୁ ଅଧା ଅର୍ଥାତ୍‌ ୫ଟି ଆସନ ବଡ଼ମ୍ବା ନିର୍ବାଚନମଣ୍ଡଳୀର ହୋଇଥିବା ବେଳେ ଏଥିରୁ ବିଜେଡି ପ୍ୟାନେଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପଟେ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଥିବା ସୁବାସ କୁମାର ପାଢୀ ୧୦ନମ୍ବର ଆସନରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିପକ୍ଷରେ ଅନିଲ କୁମାର ଲେଙ୍କା ପ୍ରାର୍ଥୀ ରହିଛନ୍ତି। ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ପର୍ବ ସରିବା ପରେ ଆଜି ଚୂଡାନ୍ତ ତାଲିକା ଓ ନିର୍ବାଚନ ହେଉଥିବା ଆସନ ଓ ପ୍ରାର୍ଥୀଙ୍କ ଚିହ୍ନ ସଂପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଙ୍କୀ, ତିଗିରିଆ, ବଡମ୍ବା, ଡମପଡା, ନରସିଂହପୁରକୁ ନେଇ ବାଙ୍କୀ କେନ୍ଦ୍ରୀୟ ବ୍ୟାଙ୍କ ସମବାୟ ବ୍ୟାଙ୍କ ଗଠିତ। ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ୧୫ଟି ନିର୍ଦ୍ଦେଶକ ପଦ ମଧ୍ୟରୁ ବାଙ୍କୀ ନିର୍ବାଚନମଣ୍ଡଳୀ ଅଧୀନରେ ୫ଟି, ବଡମ୍ବା ନିର୍ବାଚନମଣ୍ଡଳୀ ଅଧୀନରେ ୬ଟି ଓ ଆଠଗଡ଼ ନିର୍ବାଚନମଣ୍ଡଳୀ ଅର୍ଥାତ୍‌ ତିଗିରିଆର ୪ଟି ନିର୍ଦ୍ଦେଶକ ପଦ ରହିଛି। ସେଥିରୁ ୧, ୩, ୪, ୫, ୮, ୯, ୧୧ନମ୍ବର ଜୋନ ଓବିସି/ଏସ୍‌ଇବିସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୧୨, ୧୩, ୧୫ନମ୍ବର ଜୋନ ଓବିସି/ଏସ୍‌ଇବିସି ବର୍ଗ (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ୧୪ନମ୍ବର ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୬ ଓ୧୦ନମ୍ବର ଆସନ ଅଣସଂରକ୍ଷିତ, ୨ ଓ ୭ନମ୍ବର ଆସନ ଏସ୍‌ସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।

Advertisment

ସେଥିରୁ ୧ନମ୍ବର ଆସନରେ ମନୋରଞ୍ଜନ ଦେହୁରୀ, ୩ନମ୍ବର ଜୋନରୁ ତ୍ରିନାଥ ପ୍ରଧାନ, ୪ନମ୍ବର ଜୋନରୁ ଗୌରହରୀ ପରିଡା, ୬ନମ୍ବର ଆସନରୁ ମନୋଜ କୁମାର ବିଶ୍ବାଳ, ୭ନମ୍ବର ଜୋନରୁ ଜ୍ଞାନରଞ୍ଜନ ପରିଡା, ୮ନମ୍ବର ଆସନରୁ ରବି ନାରାୟଣ ସ୍ବାଇଁ, ୧୨ନମ୍ବର ଜୋନରୁ ସୁଷମା ମହାରଣା, ୧୩ନମ୍ବରରୁ ବାସନ୍ତୀ ଦେଇ, ୧୪ନମ୍ବରରୁ ସୁଷମା ପଣ୍ଡା, ୧୫ନମ୍ବର ଆସନରୁ ଅର୍ଚ୍ଚନା ପଣ୍ଡିତ ପ୍ରମୁଖ ୧୦ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ୨ନମ୍ବର ଜୋନରେ ଅଶାନ୍ତି ବେହେରା ଓ କୁଳମଣି ମଲ୍ଲିକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବାବେଳେ ୫ନମ୍ବର ଜୋନରେ ନିରଞ୍ଜନ ସାହୁ ଓ ରତ୍ନାକର ସ୍ବାଇଁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ୯ନମ୍ବର ଜୋନରେ ଅଜୟ କୁମାର ରାଉତ୍‌ ଓ ସନାତନ ଦୁଃଖିନରାୟ, ୧୦ ନମ୍ବର ଜୋନରେ ପୂର୍ବତନ ବ୍ୟାଙ୍କ ସଭାପତି ସୁବାସ ପାଢୀ ଓ ଅନିଲ କୁମାର ଲେଙ୍କା ଏବଂ ୧୧ନମ୍ବର ଜୋନରେ ସର୍ବାଧିକ ୪ ଜଣ ପ୍ରାର୍ଥୀ ରହିଛନ୍ତି। ସେହି ଆସନରେ ହିମାଂଶୁ ଭୂଷଣ ପରିଡା, ଗତିକୃଷ୍ଣ ସ୍ବାଇଁ, ପ୍ରସନ୍ନ କୁମାର ସ୍ବାଇଁ ଓ ଦେବେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ବଡମ୍ବା-ନରସିଂହପୁର ନିର୍ବାଚନମଣ୍ଡଳୀରୁ ୬ଟି ନିର୍ଦ୍ଦେଶକ ପଦ ମଧ୍ୟରୁ ୫ଜଣ ବିଜେଡି ପ୍ୟାନେଲର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାରୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦଳୀୟ ଏକତା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ନରେନ୍ଦ୍ର କୁମାର ସାହୁ, ଦେବାଶିଷ ପରିଡା, ସୁକାନ୍ତ ବେହେରା, ସୁବାସ ଦେବନାଥ, ସନ୍ତୋଷ ମିଶ୍ର, ଶ୍ରୀନିବାସ ବେହେରା, ରତ୍ନା ମହାପାତ୍ର, ସୁଶାନ୍ତ କୁଣ୍ଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।