‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା କୁଇଜ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣ

ଜୟପୁର: ‘ସମ୍ବାଦ’ର ୩୮ତମ ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର ଓ କୁଇଜ୍ ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେବା ସହ ମୂଲ୍ୟାୟନ ମଧ୍ୟ ସରିଛି। ଆଜି ସମ୍ବାଦ ଜୟପୁର ସଂସ୍କରଣ କାର୍ଯ୍ୟାଳୟ ପରିସରରେ ଜୟପୁର ଜିଲ୍ଲାର ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର ଓ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପୁର ସଂସ୍କରଣର ମୁଖ୍ୟଶାଖା ପରିଚାଳକ ତ୍ରିନାଥ ଖାଡ଼ଙ୍ଗା ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ସମ୍ବାଦର ମାନପତ୍ର ସହ ଆର୍ଥିକ ପୁରସ୍କାରରେ ପୁରସ୍କୃତ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବକୁ ନଗର ପ୍ରତିନିଧି ସୁରେଶ ନାଇଡୁ, ଞାନଚାନ୍ଦ ଜଗନ୍ନାଥ, ବିତ୍ତବିଭାଗର ଆନନ୍ଦ ଓଝା, ମାନବସମ୍ବଳ ବିଭାଗର ତ୍ରିଶୁଳ ସାନ୍ତ୍ରା ସହଯୋଗ କରିଥିଲେ।

ସେଭଳି ଆଜି ସମ୍ବାଦ ଜୟପୁର ସଂସ୍କରଣ କାର୍ଯ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଅନଲାଇନରେ ଜୟପୁର ଜିଲ୍ଲାର ୩ ପ୍ରତିଯୋଗୀ ଭାଗ ନେଇଥିଲେ। ଗତକାଲି ଜୟପୁର ସଂସ୍କରଣ ସମ୍ବାଦ କାର୍ଯ୍ୟାଳୟ ପରିସରରେ ଚିତ୍ରାଙ୍କନ ଓ ଓଡିଆ ହସ୍ତାକ୍ଷର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ମୂଲ୍ୟାୟନ କରାଯାଇଥିଲା। ଏହି ପ୍ରତିଯୋଗୀ ମାନେ ରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି। ୧ମରୁ ୫ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟଜିଲ୍ଲାର ୫୦୦ ଛାତ୍ରଛାତ୍ରୀ ଓ ୬ଷ୍ଠରୁ ୮ମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ହସ୍ତାକ୍ଷର ପ୍ରତିଯୋଗିତାରେ ୪୯୬ଜଣ ପ୍ରତିଯୋଗୀ ଅନଲାଇନରେ ଭାଗ ନେଇଥିଲେ। ଗତ କାଲି ଏହି ଚିତ୍ରାଙ୍କନ ଓ ଓଡିଆ ହସ୍ତାକ୍ଷର ପ୍ରତିଯୋଗୀଙ୍କ ଖାତା ମୂଲ୍ୟାୟନ କରାଯାଇଥିଲା। ସମ୍ବାଦ ଜୟପୁର ଜିଲ୍ଲା ପାଇଁ ଚିତ୍ରାଙ୍କନରେ ପ୍ରଥମସ୍ଥାନ ସରସ୍ବତୀ ଶିଶୁ ମନ୍ଦିରର ଅଭିନବ ସାହୁ, ଦ୍ବିତୀୟସ୍ଥାନ ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ଆୟୁଷ ନାୟକ ଓ ତୃତୀୟସ୍ଥାନ ବିଞାନ ଇଣ୍ଟରନ୍ୟାସନାଲ ସ୍କୁଲର ସୁରଂଜନ କୁମାର ସାହୁ ଲାଭ କରିଛନ୍ତି। ଏଥିରେ ବିଚାରକ ଭାବେ ସରକାରୀ ବିକ୍ରମ ଦେବ ଚାରୁ ଓ କାରୁ କଳା ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲୀକ, କଳା ଶିକ୍ଷକ ତଥା ଜୟପୁର ଫିଲ୍ମ କଂପାନୀର ମୁଖ୍ୟ ପି.ବିଶାଳ ପଟ୍ଟନାୟକ, ଟେଲି ନିର୍ଦ୍ଦେଶକ ସୁଧାଶକର ପଟ୍ଟନାୟକ ମୂଲ୍ୟାଙ୍କନ କରିଥିଲେ।

ସେଭଳି ଓଡିଆ ହସ୍ତାକ୍ଷର ଜୟପୁର ଜିଲ୍ଲା ପାଇଁ ପ୍ରଥମ ସ୍ଥାନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଶାରଦାବିହାରର ପ୍ରିୟରଂଜନ ଷଡଙ୍ଗୀ, ଦ୍ବିତୀୟ ସ୍ଥାନ ଅଭିପସାରାଣୀ ସାହୁ, ଓ ତୃତୀୟ ସ୍ଥାନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦନଗରର ଓମ ପ୍ରକାଶ ମହାରାଣା ଲାଭ କରିଛନ୍ତି। ଏଥିରେ ବିଚାରକ ଭାବେ ଶିକ୍ଷାବିତ୍ ଯଞେଶ୍ବର ପଣ୍ଡା, ବିଜୟ ଲକ୍ଷ୍ମୀ ସ୍ବାଇଁ, ଓ ଅଧ୍ୟାପିକା ତପସ୍ବିନୀ କୁମାରୀ ସାହୁ ଭାଗ ନେଇ ମୂଲ୍ୟାୟନ କରିଥିଲେ। କୁଇଜ୍ ପ୍ରତିଯୋଗିତାରେ ଜୟପୁର ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ଶାରଦାବିହାରର ସୁଶାନ୍ତ କୁମାର ଦାଶ, ଓ ୨ୟ ସ୍ଥାନ ମହେଶ୍ବର ମିଶ୍ର ,୩ୟ ସ୍ଥାନରେ ପ୍ରକାଶ ବିଦ୍ୟାଳୟର ମଧୁସ୍ମିତା ପାଣିଗ୍ରାହୀ ଲାଭ କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା ଅଫଲାଇନ ଜୋନସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ସ୍ଥଗିତ ରଖାଯାଇଥିଲା। ଏହି ଦୁଇ ପ୍ରତିଯୋଗିତା ଆସନ୍ତା ୨୯ତାରିଖ ବୁଧବାର ଦିନ ସ୍ଥାନୀୟ ଅରବିନ୍ଦନଗରସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଉକ୍ତ ଦିନ ସାଢ଼େ ୯ଟା ସୁଦ୍ଧା ପ୍ରତିଯୋଗୀ ମାନେ ଉପସ୍ଥିତ ରହି ପୁନଃ ପଞ୍ଜିକରଣ କରିବେ।

ସମ୍ବନ୍ଧିତ ଖବର