‘ସମ୍ବାଦ’ ପ୍ରଭାବ: ଅସହାୟ ଦିନ ମଜୁରିଆ ପରିବାରକୁ ମିଳିଲା ଘର

ଭଡା ନ ଦେବାରୁ ତଡ଼ିଦେଇଥିଲେ ଘର ମାଲିକ

ରାଉରକେଲା: ଭଡା ନ ଦେଇ ପାରିବାରୁ ଭଡାଘରୁ ତଡା ଖାଇଥିବା ଅସହାୟ ଦିନ ମଜୁରିଆ ସଞ୍ଜୟ ପରିବାର ସହ ଉଦିତନଗର ପୁରୁଣା କୋର୍ଟ ପରିସରରେ ବରଗଛ ମୂଳେ ଦୟନୀୟ ଜୀବନ ବିତାଉଥିଲେ। ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବାରେ ସହାୟତା ପାଇଁ ଆଗେଇ ଆସିଥିଲେ ବିଭିନ୍ନ ସଙ୍ଗଠନ। ଇତିମଧ୍ୟରେ ବଜରଙ୍ଗ ଦଳର ସୋନୁ ସାହୁ ଓ ଯୁବ ନେତା ପ୍ରକାଶ ପାଶ୍ବାନ ଅସହାୟ ସଞ୍ଜୟ ସାହୁ ଓ ତାଙ୍କ ପରିବାରକୁ ଉଦିତନଗର ଶୀତଳପଡାରେ ଏକ ଘର ମାଗଣାରେ ଯୋଗାଇ ଦେଇଛନ୍ତି। ଦୁହେଁ ଅପରାହ୍ନ ପ୍ରାୟ ୪ଟାରେ ପରିବାର ନିକଟରେ ପହଞ୍ଚିଥିଲେ।

ସୋନୁ ଶୀତଳ ପଡାରେ ଏକ ମାଗଣା ଘରର ବ୍ୟବସ୍ଥା କରିଥିଲେ। ପ୍ରକାଶ ଭଡାରେ ଆଣିଥିବା ଏକ ସ୍କୋର୍ପିଓରେ ସେମାନଙ୍କୁ ନେଇ ଶୀତଳପଡାରେ ଘରେ ଛାଡି ଦେଇଥିଲେ। ଏଥିସହ ସେକ୍ଟର-୧ର ନନ୍ଦୁ ଲୋହାର ପରିବାରକୁ ୨୦୦୦ ଟଙ୍କା ସହ କିଛି ରାସନ ସାମଗ୍ରୀ ଦେଇଛନ୍ତି। ବାସନ୍ତି କଲୋନି ବଜରଙ୍ଗ ଷ୍ଟୋର ମାଲିକ ଗୌରୀ ଶଙ୍କର ପ୍ରସାଦ ଚାଉଳ, ଡାଲି, ବିସ୍କୁଟ ସହ କିଛି ଟଙ୍କା ମଧ୍ୟ ଦେଇଛନ୍ତି। ଲିଡ୍‌ ରାଉରକେଲାର କୃଷ୍ଣଚନ୍ଦୟ ସାହୁ ୧୦୦୦ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ସେହିପରି ଆର୍‌ଏମ୍‌ସିର କେତେଜଣ କର୍ମଚାରୀ ମଧ୍ୟ କିଛି ଅତ୍ୟାବଶ୍ୟକ ଜିନିଷ ଦେଇଛନ୍ତି। କଠିନ ସମୟରେ ପରିବାର ଦୁଃଖକୁ ଲୋକଙ୍କ ନିକଟରେ ପହଞ୍ଚାଇଥିବାରୁ ସଞ୍ଜୟ ଓ ତାଙ୍କ ପତ୍ନୀ ଶାନ୍ତି ‘ସମ୍ବାଦ’ ପରିବାର ସାଧୁବାଦ ଜଣାଇଛନ୍ତି। ସହାୟତାର ହାତ ବଢ଼ାଇଥିବା ସଙ୍ଗଠନର କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ ଜିଲ୍ଲା ସବ୍‌ଡେଗାର ଏକ ଉପାନ୍ତ ଗାଁର ଦିନ ମଜୁରିଆ ସଞ୍ଜୟ ପରିବାର ସହ ରହନ୍ତି। ଗତ ପ୍ରାୟ ୧୫ ବର୍ଷ ତଳେ କାମ କରିବାକୁ ପତ୍ନୀ ଶାନ୍ତିକୁ ଧରି ଚାଲି ଆସିଥିଲେ ରାଉରକେଲା ସହରକୁ। ବିଭିନ୍ନ ବସ୍ତିରେ ମାସିକ ୭୦୦ରୁ ୧୦୦୦ ଟଙ୍କା ଝୁମ୍ପୁଡି ଘର ଭଡା ନେଇ ରହୁଥିଲେ। ଝଅଣ ବୋଝେଇ ଟ୍ରକରେ ଶ୍ରମିକ ଭାବେ ସେ କାମ କରୁଥିଲେ। ମାସକୁ ୬ରୁ ୭ ହଜାର ଟଙ୍କା ରୋଜଗାର କରୁଥିଲେ। ବର୍ଷେ ତଳେ ପାନପୋଷ ବାଙ୍ଗଲାଟୋଲାରୁ ରୁପୁଟୋଲା ବସ୍ତିରେ ଯାଇ ସେମାନେ ରହୁଥିଲେ। ସେଠାରେ ତାଙ୍କର ଝିଅ ଜନ୍ମ ହୋଇଥିଲା। ପରିବାର ବେଶ୍‌ ହସ୍‌ ଖୁସିରେ ଚାଲିଥିଲା।

ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଚଟାଣରେ ଗୋଡ ଖସିଯିବାରୁ ତାଙ୍କ ପତ୍ନୀ ତଳେ ପଡିଯାଇଥିଲେ। ଡାହାଣ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ପତ୍ନୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରିଥିଲେ। ଅନ୍ୟ କେହି ଆତ୍ମୀୟ ନଥିବାରୁ ସଞ୍ଜୟ କୁନି ଝିଅକୁ ଧରି ପତ୍ନୀଙ୍କ ଯତ୍ନ ନେବାଲାଗି ହସ୍ପିଟାଲରେ ପ୍ରାୟ ୧୭ ଦିନ ରହିଥିଲେ। ଯାହା କିଛି ଟଙ୍କା ସାଇତି କରି ରଖିଥିଲେ ସେତକ ଔଷଧ କିଣାରେ ସରି ଯାଇଥିଲା। ମେଡିକାଲ ଡିସ୍‌ଚାର୍ଜ ହେବା ପର ଦିନ ସରକାର କରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଭାବିଥିଲେ, ପତ୍ନୀ ଓ ଝିଅକୁ ଭଡାଘରେ ଛାଡି କାମ କରିବାକୁ ଯାଇ କିଛି ରୋଜଗାର କରିବେ। କିନ୍ତୁ କରୋନା କଟକଣା ଦାଉ ସାଜିଥିଲା। ତଥାପି ମନରେ ଧମ୍ଭଧରି ଭଡାଘରେ କିଛିଦିନ ରହିବେ ବୋଲି ଭାବି ହସ୍ପିଟାଲରୁ ବାହାରିଥିଲେ। କିନ୍ତୁ ଭଡାଘରେ ପହଞ୍ଚିବା ବେଳକୁ ଘର ମାଲିକ ତାଙ୍କ ଜିନିଷ ପତ୍ର ବାହାର କରି ଅନ୍ୟ ଜଣକୁ ଭଡା ଦେଇ ସାରିଥିଲେ।

‘‘ଏଭଳି କଠିନ ସମୟରେ କୁଆଡେ ଯିବୁ। ମା‌ସେ ଦୁଇ ମାସ ପା‌ଇଁ ରହିବାକୁ ଦିଅନ୍ତୁ। ଲକ୍‌ଡାଉନ୍‌ ଖୋଲିଗଲେ ବକେୟା ଘରେ ଭଡା ଶୁଝିଦେବି’’ କହି ସଞ୍ଜୟ ବହୁ କାକୁତି ମିନତି ହୋଇଥିଲେ। କିନ୍ତୁ ମାନବିକତା ଭୁଲି ଯାଇଥିବା ଘର ମାଲିକ କିଛି ଶୁଣି ନଥିଲେ। ‘‘ଗଣ୍ଠଲି ନେଇ ଏଠାରେ ଯାଅ!’’ କହି ତଡି ଦେଇଥିଲେ। ନିରୁପାୟ ହୋଇ ପତ୍ନୀ ଓ ୬ ବର୍ଷର ଝିଅଙ୍କୁ ଧରି ସଞ୍ଜୟ ଉଦିତନଗର ପୁରୁଣା କୋର୍ଟ ଗଛମୂଳେ ଆଶ୍ରୟ ନେଇଥିଲେ। ରାତିରେ କୋର୍ଟ ବାରଣ୍ଡରେ ରାତି କାଟୁଥିଲେ।

ସମ୍ବନ୍ଧିତ ଖବର