ମାଲକାନଗିରି: ପୋଖରୀ ସୌନ୍ଦର୍ଯ୍ୟୀକରଣ ପାଇଁ କେନାଲ ବନ୍ଧକୁ ଭାଙ୍ଗି ଦେଇଥିଲେ। କେନାଲ ପାଣି ବହାରକୁ ଯାଉଥିବା ବେଳେ ଜଳସେଚନ ବିଭାଗ ପାଣି ଛାଡିବା ବନ୍ଦ କରିଦେଇଥିଲେ। କେନାଲ ଶୁଖିଲା ପଡିଥିବା ବେଳେ ଚାଷୀମାନେ ଚିନ୍ତାରେ ପଡିଯାଇଥିଲେ। ପାଣି କିଭଳି ଜମିରେ ମଡାଇବେ ଓ ଭଲ ଫସଳ ଅମଳ କରିବେ। ଏନେଇ ‘ସମ୍ବାଦ’ ଖବର କାଗଜରେ ଗତ ୧୨ ତାରିଖରେ ‘ପୋଖରୀ ସୌନ୍ଦର୍ଯ୍ୟୀକରଣ ପାଇଁ ହିଡ କାଟିଦେଲା ପୌରପାଳିକା, ଶୁଖିଲା ପଡିଛି କେନାଲ, ଚିନ୍ତାରେ ଚିନାବାଦମ ଚାଷୀ’ ଶୀର୍ଷକରେ ଖବର ପ୍ରକାଶିତ ହୋଇଥିଲା। ଏନେଇ ଜିଲ୍ଲା ପ୍ରଶାସନ ଏହାକୁ ଗୁରତର ଭାବରେ କେନାଲ ମରାମତି କରି ପାଣି ଛାଡିଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ମାଲକାନଗିରି ସତୀଗୁଡା ଜଳଭଣ୍ଡାର ପାଣିକୁ କେନାଲ ମାଧ୍ୟମରେ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଜଳସେଚନ ପାଇଁ ବ୍ୟବହାର କରାଯାଉଛି। ସତୀଗୁଡା ରାଇଟ ମୁଖ୍ୟ କେନାଲରୁ ମାଲକାନଗିରି ଡିଷ୍ଟ୍ରିବ୍ୟୁଟାରୀ କେନାଲ ବାହାରିଛି, ଯାହାକି ପ୍ରାୟ ୫ କିଲୋମିଟର ଲମ୍ବା ହୋଇଥିବା ବେଳେ ମୋଟ ୯୩୮ ହେକ୍ଟର ଚାଷ ଜମିକୁ ଜଳସେଚନ କରୁଛି। ଏହି ଡିଷ୍ଟ୍ରିବ୍ୟୁଟାରୀରୁ ବାହାରିଥିବା କେତେକ ମାଇନର କେନାଲରୁ ଏମଭି-୪୨, ଏମଭି-୪୩, ଏମଭି-୨, ତମସା ଓ ଗୌଡଗୁଡା ପଞ୍ଚାୟତ କେତେକ ଚାଷ ଜମିକୁ ପାଣି ଯାଉଛି। ଏହି ଡିଷ୍ଟ୍ରିବ୍ୟୁଟାରୀରେ ପାଣି ମାଲକାନଗିରି ସହର ଭିତର ଦେଇ ଯାଉଥିବା ବେଳେ ପୌରପାଳିକାର ଝାଟିମାଟି ସାହି ନିକଟରେ ଥିବା ପୋଖରୀରେ କେନାଲ ପାଣି ଗୋଟିଏ ପଟେ ପଶୁଛି ଅନ୍ୟ ପଟେ ବାହାରି ଯାଉଥିଲା।

Advertisment

ଏଭଳି ସ୍ଥିତିରେ ମୁକ୍ତା ଯୋଜନାରେ ୧ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଝାଟିମାଟି ସାହିର ପୋଖରୀକୁ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆରମ୍ଭ କରିଦେଇଛି। ପୋଖରୀ ପାଣି ଖାଲି କରିବା ପାଇଁ କେନାଲ ହିଡକୁ କାଟି ଦେଇଥିବା ବେଳେ ଡିଷ୍ଟ୍ରିବ୍ୟୁଟାରୀରେ ପାଣି ଆଉ ଛଡାଯାଉନାହିଁ। ଯାହାଫଳରେ କେନାଲ ସମ୍ପୂର୍ଣ୍ଣ ଶୁଖିଲା ପଡିଛି। ଏଭଳି ସ୍ଥିତିରେ ଚାଷୀମାନେ ପାଣି ପାଇବାରୁ ବଞ୍ଚିତ ହୋଇଥିଲେ। ଶହଶହ ହେକ୍ଟର ଜମିରେ ହେଉଥିବା ଚିନାବାଦାମ ଓ ପନିପରିବା କରୁଥିବା ଚାଷୀମାନେ ଚିନ୍ତାରେ ପଡିଥିଲେ। କେତେକ ସ୍ଥାନରେ ପାଣି ଅଭାବରୁ ଗଛ ମଧ୍ୟ ମରିଯାଇଥିଲେ। ଋଣ କରି ଚାଷ କରୁଥିବା ଚାଷୀମାନେ ଜମିକୁ ପାଣି ଛାଡିବା ପାଇଁ ଦାବି କରିଥିଲେ ମଧ୍ୟ ଜଳସେଚନ ବିଭାଗ ଏତିପ୍ରତି ଗୁରତ୍ବ ଦେଇନଥିଲେ। ସମ୍ବାଦ ଖବର କାଗଜରେ ଚାଷୀଙ୍କ ସମସ୍ୟା ବିଷୟରେ ପ୍ରକାଶିତ ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ସହ ନେଇଥିଲା। ଜିଲ୍ଲାପାଳ ବିଶାଲ ସିଂ ଜଳସେଚନ ବିଭାଗ ଓ ପୌରପାଳିକାର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।

ଏଥିସହ ଋବି ଋତୁରେ ଚାଷୀ ଯେପରି ପାଣି ସୁବିଧାରେ ପାଇପାରିବେ ସେ ନେଇ କେନାଲକୁ ମରାମତି କରି ପାଣି ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସତୀଗୁଡା ମାଟିବନ୍ଧ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ବେହେରାଙ୍କ କହିବାନୁଯାୟୀ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ୧୨ ତାରିଖ ଠାରୁ କାମ ଆରମ୍ଭ କରାଯାଇଥିଲା। ଝାଟିମାଟି ସାହି ନିକଟରେ ଥିବା ପୋଖରୀରେ କେନାଲର ନୂତନ ଆଡିବନ୍ଧ ତିଆରି କରାଯାଇଛି। ଏବେ କେନାଲରେ ପାଣି ଗଲେ ମଧ୍ୟ ପୋଖରୀ ସୌନ୍ଦର୍ଯ୍ୟୀକରଣ କାମ ହୋଇପାରିବ। ଏଥିସହ ଆଜି ଠାରୁ କେନାଲର ପାଣି ଛଡଯାଇଥିବା ବେଳେ ଚାଷୀମାନେ ପାଣି ପାଇପାରିବେ ବୋଲି କହିଛନ୍ତି।