ବ୍ୟବହାର ବଢ଼ିଲେ ଭାଷା ସମୃଦ୍ଧ ହେବ : ସୌମ୍ୟରଞ୍ଜନ

ବଡ଼ବିଲ ସମ୍ବାଦ ସାହିତ୍ୟ ଘରର ପ୍ରଥମ ବାର୍ଷିକ ଉତ୍ସବ

ବଡ଼ବିଲ : ବ୍ୟବହାର ବଢ଼ିଲେ ଭାଷା ଓ ସାହିତ୍ୟ ସମୃଦ୍ଧ ହେବ ବୋଲି ବଡ଼ବିଲ ସମ୍ବାଦ ସାହିତ୍ୟ ଘରର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭା‌ବେ ଯୋଗଦେଇ ‘ସମ୍ବାଦ’ ସମ୍ପାଦକ, ସାହିତ୍ୟ ଘରର ପ୍ରତିଷ୍ଠାତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ବଡ଼ିବଲ ସୀତାରାମ ରୁଙ୍ଗଟା ଟାଉନ ହଲ୍‌ରେ ଆଜି ବଡ଼ବିଲ ‘ସମ୍ବାଦ ସାହିତ୍ୟ ଘର’ ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗଦେଇଥିଲେ। ମୁଖ୍ୟ ଅତିଥିଭାବେ ଶ୍ରୀ ପଟ୍ଟନାୟକ, ମୁଖ୍ୟବକ୍ତା ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା, ସମ୍ମାନିତ ଅତିଥିଭାବେ ବଡ଼ବିଲ ସମ୍ବାଦ ସାହିତ୍ୟ ଘର ସଭାପତି ପ୍ରଫୁଲ୍ଲ ମହାପାତ୍ର, ସଂପାଦକ ବସନ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ଭାଷା ଓ ଭାବର ଖେଳ ହେଉଛି ସାହିତ୍ୟ। ଏହାର ରୂପ ଓ ସ୍ବରୂପ ଭିନ୍ନ। ଏହା ଗଦ୍ୟ ହୋଇପାରେ କିମ୍ବା ପଦ୍ୟ ହୋଇପାରେ। ତେଣୁ ଭାଷା ସାହିତ୍ୟର ପ୍ରତ୍ୟେକ ରୂପକୁ ବଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଅନେକ ସମୟରେ ଭାଷା ଓ ସାହିତ୍ୟର ଅପମୃତ୍ୟୁ ହେଉଛି ବୋଲି ଅଭିଯୋଗ ହୁଏ। ମାତ୍ର ଅଭିଯୋଗକାରୀ ହିଁ ଭାଷା ଓ ସାହିତ୍ୟର ଅପମୃତ୍ୟୁ ପାଇଁ ଦାୟୀ। କାରଣ ଭାଷା, ସାହିତ୍ୟର ବ୍ୟବହାର ନ କଲେ ଏହାର ଅପମୃତ୍ୟୁ ହୋଇଥାଏ। ତେଣୁ ଆମେ ଯେତେ ପାରିବା ଏହାର ବ୍ୟବହାର ବଢ଼ାଇବା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିଶେଷ କରି ଯୁବପିଢ଼ିର ବୈଷୟିକ ଜ୍ଞାନକୌଶଳକୁ ସାହିତ୍ୟ ସହିତ ଯୋଡ଼ିବାକୁ ପଡ଼ିବ। ଆଜିର ଦିନରେ ସମସ୍ତଙ୍କ ପାଖରେ ମୋବାଇଲ ରହିଛି। ତେଣୁ ମୋବାଇଲ ହିଁ ଭାଷା ସମୃଦ୍ଧି ଦିଗରେ ସହାୟକ ହେବା ଉଚିତ ବୋଲି ‌ସେ କହଥିଲେ। ଅନ୍ୟପକ୍ଷରେ ଭାଷା, ସାହିତ୍ୟ ପାଇଁ ମନ ଭିତରେ ଉତ୍ସାହ ଥିଲେ ଭା‌ଷା କେବେ ବି ମରିବନି । ଦିନକୁ ଦିନ ଏହା ସମୃଦ୍ଧ ହୋଇ ଚାଲିବ ବୋଲି ସେ କହିଥିଲେ ।

ଉଦ୍‌ଘାଟକ ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଥିଲେ, ସାହିତ୍ୟ ଓ ଭାଷାର ପ୍ରସାରପାଇଁ ଏଭଳି ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ। ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହିବା ଉଚିତ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା କହିଥିଲେ, ସମଗ୍ର ବିଶ୍ବ ଆଜି କବିତା ଦିବସ ପାଳନ କରୁଛି। ଆଜି ସମସ୍ତ ସଭାସମିତିରେ ଯେତେ ସବୁ କବିତା ପାଠ ହୋଇଥିବ ତାହା ସୁଖଦୁଃଖ ଦୁଇଟି ଭାବକୁ ନେଇ ଲେଖା ହୋଇଥ‌ାଏ। ମାତ୍ର ଜନଜୀବନ ସହିତ ଯୋଡ଼ି ହୋଇ ରହିଥିବା କବିତା ହିଁ କାଳଜୟୀ ହୋଇଥାଏ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ହୁଅନ୍ତୁ ବା ଫକୀରମୋହନ ସେନାପତି ସମସ୍ତଙ୍କ ଲେଖା ଜନଜୀବନ ସହ ଯୋଡ଼ି ହୋଇରହିଛି। ତେଣୁ ‌ସାହିତ୍ୟ ସେବା କରୁଥିବା ଯୁବପିଢ଼ି ଜନଜୀବନ ସହ ଯୋଡ଼ି ହେବାକୁ ଡକ୍ଟର ଲେଙ୍କା ଆହ୍ବାନ ଦେଇଥିଲେ ।

ବଡ଼ବିଲ ସମ୍ବାଦ ସାହିତ୍ୟଘର ସଭାପତି ପ୍ରଫୁଲ୍ଲ ମହାପାତ୍ର କହିଥିଲେ, ବଡ଼ବିଲ ଏକ ଉପାନ୍ତ ଅଞ୍ଚଳ। ଏହାର ସୀମାକୁ ଲାଗିଛି ଝାଡ଼ଖଣ୍ଡ ରାଜ୍ୟ। ଏକଦା ଏହି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଓଡ଼ିଆ ଲୋକ ରହୁଥିଲେ। ମାତ୍ର ଏବେ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷା ଭାବେ ଘୋଷଣା କରିଥିଲେ ବି ଏହା ପୋଥି ବାଇଗଣ ଭଳି ଅଛି। ସେଠାରେ କିଭଳି ଓଡ଼ିଆ ଭାଷାର ପୁନରୁଦ୍ଧାର ହୋଇପାରିବ ସେ ଦିଗରେ ସମସ୍ତେ ଉଦ୍ୟମ କରିବାକୁ ସେ ନିବେଦନ କରିଥିଲେ। ବଡ଼ବିଲ ସମ୍ବାଦ ସାହିତ୍ୟଘର ସଂପାଦକ ବସନ୍ତ କୁମାର ମହାପାତ୍ର କହିଥିଲେ, ସମ୍ବାଦ ସାହିତ୍ୟଘର ସବୁବେଳେ ନିଜ ସାମାଜିକ ଦାୟିତ୍ବବୋଧ ତୁଲାଇ ଆସିଛି। ଗଛ ଲଗା ହେଉ କି ରକ୍ତଦାନ ଶିବିର ସବୁଥିରେ ଆଗରେ ଥିବା ବଡ଼ବିଲ ସମ୍ବାଦ ସାହିତ୍ୟଘର ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖିବ ବୋଲି ସେ କହିଥିଲେ।

ଏହି ଅବସରରେ ସାହିତ୍ୟ ଘରର ମୁଖପତ୍ର ‘ଧୂଳି’ ଉନ୍ମାଚିତ ହୋଇଥିଲା। ମୁଖ୍ୟଅତିଥି ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟକ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ମୁଖ୍ୟଅତିଥି ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟବକ୍ତା ଡକ୍ଟର ଶୁଭଶ୍ରୀ ଲେଙ୍କା, ସଭାପତି ପ୍ରଫୁଲ୍ଲ ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଆରମ୍ଭରେ ଦ୍ରୌପଦୀ ଦେବୀ ସାଂସ୍କୃତିକ ସଂଗଠନ ପକ୍ଷରୁ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ଶେଷରେ ଉପଦେଷ୍ଟା ବ୍ରଜକିଶୋର ପଣ୍ଡା ଧନ୍ୟବାଦ ଦେଇଥିଲେ। ସଭା ପୂର୍ବରୁ କବିତା ପାଠୋତ୍ସବ ହୋଇଥିଲା। ସେହିପରି ଅତିଥିଙ୍କ ଦ୍ବାରା ବଡ଼ବିଲ ସମ୍ବାଦ ସାହିତ୍ୟଘର ପରି‌ସରରେ ପ୍ରତିଷ୍ଠା ହୋଇଥିବା ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମ‌ୋଚନ କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁଖ୍ୟବକ୍ତା ଡ. ଶୁଭଶ୍ରୀ ଲେଙ୍କା ବୃକ୍ଷରୋପଣ କରିଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ, ବଡ଼ବିଲ ସମ୍ବାଦ ପ୍ରତିନିଧି ତଥା ସାହିତ୍ୟଘର ଆବାହକ ସୁବୋଧ ଦାସ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର