ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ତଥା ଶିକ୍ଷକ ଅଶାନ୍ତ ପଟେଲଙ୍କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ସୂଚନାରୁ ପ୍ରକାଶ ଯେ, ସ୍ବର୍ଗତ ଶ୍ରୀ ପଟେଲ ପଟେଲ ଆଜି ନିଜ ସ୍କୁଲ କାମ ସାରି ଚନ୍ଦାହାଣ୍ଡି ବିଇଓ କାର୍ଯ୍ୟାଳୟକୁ ସିଆରସିସି ମାନଙ୍କ ଏକ ବୈଠକରେ ଯୋଗ ଦେବା ନିମନ୍ତେ ଆସୁଥିବା ସମୟରେ ଚନ୍ଦାହାଣ୍ଡି-ଉମରକୋଟ ମୁଖ୍ୟ ରାସ୍ତା ଖଡଖଡି କଲଭର୍ଟ ଠାରେ ଏକ ବୋଲେରୋ ଗାଡ଼ି ନଂ- ୟୁପି ୭୭ଏଚ ୩୦୮୯ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିବା ବେଳେ ବୋଲେରୋଟି ମହରା ଗ୍ରାମ ନିକଟରେ ଖରାପ ହୋଇ ଯାଇଥିବା ବେଳେ ପୁଲିସ ଗାଡି ଜବତ କରିବା ସହ ଡ୍ରାଇଭର ସମେତ ଅନ୍ୟ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି।
ତେବେ ଚନ୍ଦାହାଣ୍ଡି ଡାକ୍ତରଖାନା ଶବାଗାରରେ ଶବ ରହିଥିବା ବେଳେ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୮୮/୨୨ ରେ ଦୁର୍ଘଟଣା ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଚନ୍ଦାହାଣ୍ଡି ବ୍ଲକରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ଶେଷ ଦର୍ଶନ ନିମନ୍ତେ ଶତାଧିକ ଆତ୍ମୀୟ ସ୍ଵଜନ ଓ ଶିକ୍ଷକ ଶିକ୍ଷୟତ୍ରୀ ସ୍ଥାନୀୟ ହସ୍ପିଟାଲରେ ପହଞ୍ଚିଥିଲେ। ସ୍ଵର୍ଗତ ପଟେଲ ଏକାଧାରରେ ଜଣେ ଛାତ୍ର ବତ୍ସଳ ଖ୍ୟାତି ସମ୍ପନ୍ନ ଶିକ୍ଷକ ଭାବେ ପ୍ରତିଷ୍ଠିତ ଥିବାବେଳେ ସେ ସାହିତ୍ୟ ସାଧନା କ୍ଷେତ୍ରରେ ବହୁ ପାରଦର୍ଶିତା ଲାଭ କରିଥିଲେ।
ସେ ଗବେଷଣା ମୂଳକ ରଚନା, ରମ୍ୟ ରଚନା, ପ୍ରବନ୍ଧ ଓ ବ୍ୟଙ୍ଗ କବିତା ରଚନା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବେଳେ ସେ ଚନ୍ଦାହାଣ୍ଡି ବ୍ଲକ ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ଭାବେ ଦାୟିତ୍ଵ ତୁଲାଇବା ସହ ପଟେଲ ମାଳି ସମାଜର ସଭାପତି ଥିଲେ। ତାଙ୍କ ବିୟୋଗ ଚନ୍ଦାହାଣ୍ଡି ବ୍ଲକ ଶିକ୍ଷକ ସମାଜ ଓ ସାହିତ୍ୟପ୍ରେମୀଙ୍କ ପ୍ରତି ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତାଙ୍କ ବିୟୋଗରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ, ସାଂସଦ ରମେଶ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, କ୍ଷେମରାଜ ବାଘ, ଗୋବିନ୍ଦ ଜୈନ, ବିଇଓ ଈଶ୍ବର ମାଝୀ, ବିଡିଓ ଧର୍ମରାଜ ମାଝୀ, ଫଟିକି ସରପଞ୍ଚ ମଞ୍ଜୁନାଥ ମାଝୀ, ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ, ବିଶିକେସନ ପାଢ଼ୀ, କିଶୋର ଖମାରୀ, ପୁରୁଷୋତ୍ତମ ପାରୀ, ପଦୁଲୋଚନ ସାହୁ, ଦୁତିବାହାନ ଖମାରୀ, ତ୍ରିପତୀ ଦଳେଇ, ସନ୍ତୋଷ ଖମାରୀ, ହୃଷିକେଶ ସୁନାନୀ, ଚନ୍ଦ୍ରଧ୍ୱଜ ଡଙ୍ଗରୀ, ଦେବେନ୍ଦ୍ର ବାଘ, ନିଳାମ୍ବର ପଟେଲଙ୍କ ସମେତ ସାହିତ୍ୟ ଘରର ସମସ୍ତ ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଗଭିର ଶୋକବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-22-at-8.31.49-PM.jpeg)