ସାହିତ୍ୟଘର ସମୂହ ହିତର କବଚ: ସୌମ୍ୟରଂଜନ

ଆଠଗଡ଼ ଉପଖଣ୍ଡସ୍ତରୀୟ ‘ସମ୍ବାଦ-ସାହିତ୍ୟଘର’ର ୧୧ତମ ସ୍ବନକ୍ଷତ୍ର ଉତ୍ସବ

ତିଗିରିଆ: ସାହିତ୍ୟ ସବୁବେଳେ ସମୂହ ହିତ କଥା ଚିନ୍ତା କରେ। ତେଣୁ ସାହିତ୍ୟଘର ସମୂହ ହିତର କବଚ। ଅନ୍ୟର ଅନୁଭବକୁ ଶିଖିବା ପାଇଁ ସମସ୍ତଙ୍କର ଏକ ମାନସିକତା ରଖିବା ଦରକାର ଓ ଭଲ ଅନୁଭବକୁ ବାଣ୍ଟିବା ପାଇଁ ମଧ୍ୟ ସେଭଳି ପ୍ରସ୍ତୁତି ଆବଶ୍ୟକ। କୌଣସି କାର୍ଯ୍ୟକ୍ରମକୁ ସ୍ବାର୍ଥ ରଖି କଲେ ସେଥିରେ ସଫଳତା ମିଳେ ନାହିଁ। କେବଳ ସଫଳତା ନେଇ ଖୁସି ହେଲେ ହେବନି, ବିଫଳତାର ମଧ୍ୟ କାରଣ ଖୋଜିବା ଆବଶ୍ୟକ ବୋଲି ‘ସମ୍ବାଦ’ର ସମ୍ପାଦକ, ‘ସମ୍ବାଦ-ସାହିତ୍ୟଘର’ର ଅଧ୍ୟକ୍ଷ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ପଞ୍ଚାଗାଁରେ ଆୟୋଜିତ ଆଠଗଡ଼ ଉପଖଣ୍ଡ ‘ସମ୍ବାଦ-ସାହିତ୍ୟଘର’ର ୧୧ ତମ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ‘ସମ୍ବାଦ-ସାହିତ୍ୟଘର’ ମାଧ୍ୟମରେ ଏକ ବିରାଟ ସମ୍ଭାବନା ମୁଁ ଦେଖୁଛି। ବୁଦ୍ଧିଜୀବୀ, ମଧ୍ୟବିତ୍ତ, ନାଗରିକମାନଙ୍କୁ ସଚେତନ କରାଇ ଗଣତନ୍ତ୍ରର ବିଲକ୍ଷଣ, ଅବକ୍ଷୟ ଓ ଅନୁଷ୍ଠାନମାନଙ୍କର ଅବକ୍ଷୟକୁ ରୋକିବା ଦିଗରେ ‘ସମ୍ବାଦ-ସାହିତ୍ୟଘର’ ସ୍ତମ୍ଭ ଭାବରେ ଛିଡ଼ା ହେବ। ଆଠଗଡ଼ ଉପଖଣ୍ଡର ୫ଟି ‘ସମ୍ବାଦ-ସାହିତ୍ୟଘର’ ଆଠଗଡ଼, ତିଗିରିଆ, ମାଣିଆବନ୍ଧ, ବଡ଼ମ୍ବା ଓ ନରସିଂହପୁରର ମିଳିତ ସହଯୋଗରେ ତଥା ତିଗିରିଆ ‘ସମ୍ବାଦ-ସାହିତ୍ୟଘର’ର ଆନୁକୂଲ୍ୟରେ ‘ସମ୍ବାଦ-ସାହିତ୍ୟଘର’ର ୧୧ତମ ସ୍ବନକ୍ଷତ୍ର ଉତ୍ସବ ପାଳନ କରାଯାଇଛି।

ତିଗିରିଆ ବ୍ଲକ ପାଞ୍ଚଗାଁ ପଞ୍ଚାୟତସ୍ଥିତ ଗ୍ରାମାଞ୍ଚଳ ବହୁମୁଖି ସାମାଜିକ ସାଂସ୍କୃତିକ କେନ୍ଦ୍ର ପରିସରରେ ତିଗିରିଆ ‘ସମ୍ବାଦ-ସାହିତ୍ୟଘର’ର ସଭାପତି ଜଗବନ୍ଧୁ ତୁଙ୍ଗସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ-ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ଯୋଗଦେଇ ୧୦ ବର୍ଷ ତଳେ ଆରମ୍ଭ ହୋଇଥିବା ‘ସାହିତ୍ୟଘର’ର ସଂଖ୍ୟା ବର୍ତ୍ତମାନ ୩୫୬ରେ ପହଞ୍ଚିବା ସହ ଏହାର ସଭ୍ୟ-ସଭ୍ୟା ସଂଖ୍ୟା ପ୍ରାୟ ୫୦ହଜାରରେ ପହଞ୍ଚିଥିବା ସୂଚନା ଦେଇଥିଲେ। ସାହିତ୍ୟଘର ଆଜି ସବୁ ମହଲରେ ଆଦୃତ ହୋଇ ସାରିଛି ଓ ସାହିତ୍ୟଘରକୁ ସାରା ଓଡ଼ିଶା ଦେଖୁଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମାଣିଆବନ୍ଧ ‘ସମ୍ବାଦ-ସାହିତ୍ୟଘର’ ସଭାପତି ନାରାୟଣ ପାତ୍ର, ନରସିଂହପୁର ସଭାପତି କୁଳମଣି ବାରିକ, ବଡ଼ମ୍ବାର ସଭାପତି ଚନ୍ଦ୍ରଶେଖର ମହାନ୍ତି, ଆଠଗଡ଼ ସଂପାଦକ ବିଷ୍ଣୁପ୍ରସାଦ ଦାସ ଓ ତିଗିରିଆ ‘ସମ୍ବାଦ-ସାହିତ୍ୟଘର’ର ଉପ-ସଭାପତି ସରୋଜ ଦାଶ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ୫ଟି ‘ସମ୍ବାଦ-ସାହିତ୍ୟଘର’ ସଭାପତି, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସଫଳ ବ୍ୟକ୍ତିତ୍ବ ଓ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ତିଗିରିଆ ‘ସମ୍ବାଦ-ସାହିତ୍ୟଘର’ର ଉପ-ସଭାପତି ସରୋଜ ଦାଶ ଏହି ଅଞ୍ଚଳର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ତିଗିରିଆର ‘ସମ୍ବାଦ’ ପ୍ରତିନିଧି ଚନ୍ଦ୍ରଶେଖର ମିଶ୍ର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର