ବାଲେଶ୍ବର: ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ୨୮ ତାରିଖ ଶୁକ୍ରବାର ସମ୍ବଲପୁରରୁ ଆରମ୍ଭ ହୋଇଛି। ମହିଳା ସଶକ୍ତୀକରଣ ଉପରେ ପର୍ଯ୍ୟବେସିତ ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଆଞ୍ଚଳିକ ସମାବେଶ ଆସନ୍ତା ୩୧ ତାରିଖ ସୋମବାର ବାଲେଶ୍ବର ସହର ଉପକଣ୍ଠ ବାମପଦାସ୍ଥିତ ନୋସି ବିଜିନେସ୍‌ ପାର୍କ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏହି ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ-୨୦୨୩’ରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ୪୫ଟି ବ୍ଲକରୁ ୧୫୦ରୁ ଅଧିକ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିବେ। ପ୍ରତି ବ୍ଲକରୁ ଦକ୍ଷତା ଓ ଉଦ୍ୟମ ଆଧାରରେ ଚୟନ କରାଯାଇ ମହିଳା ଉଦ୍ୟୋଗୀମାନଙ୍କୁ ଏହି ମହିଳା ସମାବେଶକୁ ନିମନ୍ତ୍ରଣ କରାଯାଇଛି।

Advertisment

‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ହେବାକୁ ଥିବା ଏହି ଅଭିନବ କାର୍ଯ୍ୟକ୍ରମକୁ ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବେ। ଏଥିରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏବଂ ପୂର୍ବତନ ଓଏଏସ୍‌ ତଥା ଟିସିୟା ଆଗ୍ରି ଭେନ୍‌ଚର୍‌ର ପରିଚାଳନା ନିର୍ଦ୍ଦେଶିକା ଡକ୍ଟର ନିନା ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରିବେ। ଦ୍ବିତୀୟ ଅଧିବେଶନରେ ‘ସ୍ବାବଲମ୍ବୀ ମହିଳା: ସଫଳତାର ସୂତ୍ର’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ବାଲେଶ୍ବରର ମହାପ୍ରବନ୍ଧକ ପ୍ରଣବ କୁମାର ନାୟକ, ଓର୍‌ମାସ ବାଲେଶ୍ବରର ଡେପୁଟି ସିଇଓ କୌଶିକ ପାତ୍ର ଓ ଓଡ଼ିଶା ଜୀବିକା ମିସନ ତଥା ମିସନ ଶକ୍ତି ବାଲେଶ୍ବରର ଜିଲ୍ଲା ପ୍ରକଳ୍ପ ପରିଚାଳକ କାର୍ତ୍ତିକ ଚନ୍ଦ୍ର ନାୟକ ବିଶେଷଜ୍ଞ ଆଲୋଚକ ଭାବେ ଯୋଗଦେବେ।
ସୂଚନା ଥାଉକି, ଚଳିତବର୍ଷ ‘ସମ୍ବାଦ’ ପକ୍ଷରୁ ସମ୍ବଲପୁର, କଟକ, ବାଲେଶ୍ବର ଓ ବ୍ରହ୍ମପୁର ଠାରେ ଏହିଭଳି ସମାନ ଢଙ୍ଗରେ ଆଞ୍ଚଳିକ ସମାବେଶ ଆୟୋଜିତ ହେବ। ଶେଷରେ ଭୁବନେଶ୍ବର ଠାରେ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯିବ, ଯେଉଁଥିରେ ପ୍ରତି ଆଞ୍ଚଳିକ ସମାବେଶରୁ ମନୋନୀତ ୨୫ ଜଣ ଲେଖାଏଁ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିବେ।